ନିରଙ୍କାରୀ ଭବନରେ ଆତଙ୍କୀ ହମଲା


ନୂଆଦିଲ୍ଲୀ ଅମୃତସର, ୧୮/୧୧: ପୁଣି ଥରେ ଦେଶରେ କହର ଖେଳାଇଦେଇଛନ୍ତି ଆତଙ୍କବାଦୀ । ରବିବାର ପଞ୍ଜାବ ଠାରୁ ଜମ୍ମୁ କାଶ୍ମୀର ଓ ଦିଲ୍ଲୀ ପର୍ଯ୍ୟନ୍ତ ସବୁଠାରେ ଜାରି ହୋଇଛି ହାଇଆଲର୍ଟ । କାରଣ ଆତଙ୍କବାଦୀଙ୍କ ଟାର୍ଗେଟରେ ଆସିଛି ଭାରତ । ଆଜି ପଞ୍ଜାବରେ ବଡ ଧରଣର ଆତଙ୍କୀ ଆକ୍ରମଣ ଅପେକ୍ଷା ସେମାନଙ୍କ ମୋଡସ ଅପେରାଣ୍ଡି ଓ ଇଣ୍ଟେଣ୍ଟ ଚିନ୍ତାର ବିଷୟ ହୋଇଛି । ଆତଙ୍କବାଦୀମାନେ ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟଙ୍କୁ ଟାର୍ଗେଟ କରିଛନ୍ତି । ଯାହା ଦ୍ୱାରା ପୁଣି ପଞ୍ଜାବକୁ ଭାଗ ଭାଗ କରି ବିଦ୍ୱେଷ ସୃଷ୍ଟି କରିବାର ମଞ୍ଜି ପୋତା ଯାଇପାରିବ । ପ୍ରାୟ ୩ ଦଶନ୍ଧି ହେଲା ପଞ୍ଜାବରେ ଆତଙ୍କବାଦର ଚିହ୍ନବର୍ଣ୍ଣ ନଥିଲା  । ତେବେ ମଝିରେ ମଝିରେ ପାକିସ୍ତାନୀ ଆତଙ୍କବାଦୀମାନେ ସୀମାପାର ଆତଙ୍କବାଦ ଅନ୍ତର୍ଗତ ଏଠାରେ ହିଂସାକାଣ୍ଡ ଭିଆଉଥିବା ଦେଖିବାକୁ ମିଳିଥାଏ  । ଯେଉଁଥିରେ ସରକାରୀ ପ୍ରତିଷ୍ଠାନ, ସେନାର ଆଡ୍ଡା ବା ଅସ୍ତ୍ରାଗାରକୁ ଟାର୍ଗେଟ କରାଯାଇଥାଏ  । କିନ୍ତୁ ଏଥର ଅମୃତସରରେ ଥିବା ଏକ ଧାର୍ମିକ ପୀଠ ନିରଙ୍କାରୀ ଭବନକୁ ଟାର୍ଗେଟ କରାଯାଇଛି  । ବିସ୍ଫୋରଣରେ ଏଠାରେ ୩ ଜଣଙ୍କ ମୃତ୍ୟୁ ଘଟିଛି ଓ ୧୦ରୁ ଅଧିକ ଗୁରୁତର ଭାବେ ଆହତ ହୋଇଛନ୍ତି  । ଏହି ଆତଙ୍କୀ ହମଲ୍ା ସମୟରେ ସେହି ଭବନରେ ପ୍ରାୟ୨ଶହରୁ ଅଧିକ ଶ୍ରଦ୍ଧାଳୁ ଉପସ୍ଥିତ ଥିଲେ  । ଅମୃତସର ଉପକଣ୍ଠରେ ଥିବା ଆଦିଲୱାଲ ଗ୍ରାମରେ ନିରଙ୍କାରୀ ଭବନ ଉପରେ ଆତଙ୍କବାଦୀମାନେ ଏଭଳି ଆକ୍ରମଣ କରିବେ ବୋଲି କେହି ଭାବିନଥିଲେ  । ତେବେ ଶ୍ରଦ୍ଧାଳୁମାନେ ରୁଣ୍ଡ ହୋଇଥିବାବେଳେ କେହି ଜଣେ ଅଜ୍ଞାତ ବାହାରୁ ଗ୍ରେନେଡ୍ ଫିଙ୍ଗିଥିବା କୁହାଯାଉଛି  । ଏହା ଏକ ଆତଙ୍କବାଦୀ ଆକ୍ରମଣ ବୋଲି ପଞ୍ଜାବ ପୁଲିସ ମହାନିର୍ଦ୍ଦେଶକ ସୁରେଶ ଆରୋରା କହିଛନ୍ତି  । ଏନେଇ ପୁଲିସ ଅଧିକ ପ୍ରମାଣ ସଂଗ୍ରହ କରୁଥିବା ସେ ସୂଚନା ଦେଇଛନ୍ତି  । ଯେଉଁଠାରେ ଆକ୍ରମଣ ହୋଇଛି ସେଠାରୁ ମାତ୍ର କିଛି କି.ମି. ଦୂରରେ ଅନ୍ତରାଷ୍ଟ୍ରୀୟ ବିମାନ ବନ୍ଦର ଅବସ୍ଥିତ  । ଏଥିନେଇ ସ୍ଥାନୀୟ ପୁଲିସ ସିସିଟିଭି ଭିଡିଓ ଫୁଟେଜ୍ ଯାଞ୍ଚ କରିବାକୁ ଚାହୁଁଥିଲେ ମଧ୍ୟ ଏହି ଅଞ୍ଚଳରେ କାହାରି ଘରେ ସିସିଟିଭି ଲଗାଯାଇନାହିଁ  । ପୁଲିସ କହିଛି ଯେ, ଏହି ଆକ୍ରମଣ ନେଇ ପୂର୍ବରୁ ଗୁଇନ୍ଦା ସୂଚନା ନଥିଲା । ଏହି ଘଟଣା ପଛରେ ଅନସର ଗଜୱତ ଉଲ ହିନ୍ଦର ମୁଖ୍ୟ ଜାକିର ମୁଷାର ହାତ ଥିବା କୁହାଯାଉଛି କାରଣ କିଛି ଦିନ ତଳେ କେନ୍ଦ୍ର ଗୃହ ବିଭାଗ ପଞ୍ଜାବ ସରକାରଙ୍କୁ ସତର୍କ କରାଇଥିଲେ ଯେ, ପଞ୍ଜାବରେ ଜାକିର ମୁଷାର ୬ରୁ ୭ଜଣ ଆତଙ୍କୀ ପ୍ରବେଶ କରିଛନ୍ତି । ତେଣୁ ଏହି ଘଟଣା ପାଇଁ ପଞ୍ଜାବ ପୁଲିସର ଅବହେଳାକୁ ଦାୟୀ କରାଯାଉଛି ।

Comments