ବିଦେଶୀଙ୍କ ଠାରୁ ୟୁରୋ ନେଇ ଦୁବାଇ ପଠାଉଥିବା ବ୍ୟକ୍ତି ଗିରଫ


ମୁମ୍ବାଇ, ୩୦/୧  : ଆଜି ପର୍ଯ୍ୟନ୍ତ ଆପଣମାନେ ସୁନା, ଚାନ୍ଦି ଏବଂ ଅନ୍ୟାନ୍ୟ ମାଦକ ଦ୍ରବ୍ୟର ଚୋରାଚାଲାଣ ହେଉଥିବା ଶୁଣିଥିବେ  । ମାତ୍ର ଏବେ ୟୁରୋପୀୟ ସଂଘ ଦ୍ୱାରା ପ୍ରଚଳିତ ହୋଇଥିବା ‘ୟୁରୋ’ ମୁଦ୍ରାର ଚୋରାଚାଲାଣ ଘଟଣା ସାମ୍ନାକୁ ଆସିଛି  । ଭାରତକୁ ଆସୁଥିବା ବିଦେଶୀ ନାଗରିକଙ୍କ ଠାରୁ ‘ୟୁରୋ’ ନେଇ ସେମାନଙ୍କୁ ତା’ ବଦଳରେ ଭାରତୀୟ ମୁଦ୍ରା ଦେଉଥିବା ଜଣେ ଅଭିଯୁକ୍ତ ଜଫର ଆବାସକୁ ମୁମ୍ବାଇ ପୁଲିସ ଗିରଫ କରିଛି  । ତେବେ ଏଭଳି ବିଦେଶୀ ମୁଦ୍ରା ବିନିମୟନ ପାଇଁ ତାକୁ ଲାଇସେନ୍ସ ମିଳିଥିଲା କି ନାହିଁ ଏବଂ ସେ ନେଉଥିବା ୟୁରୋକୁ ନେଇ କ’ଣ କରୁଥିଲା ସେ ସଂକ୍ରାନ୍ତରେ ପୁଲିସ ତଦନ୍ତ ଚଳାଇଛି  । ପୁଲିସର କହିବାନୁଯାୟୀ, ଗିରଫ ଜାଫର ଭାରତ ଆସୁଥିବା ବିଦେଶୀ ନାଗରିକଙ୍କ ଠାରୁ ୟୁରୋ ନେଇ ସେମାନଙ୍କୁ ଭାରତୀୟ ମୁଦ୍ରା ଦେଉଥିଲା ଏବଂ ତା’ ନିକଟରେ ଏବେ ପ୍ରାୟ ୩୦ ହଜାରର ଅଧିକ ୟୁରୋ ରହିଛି ଯାହାର ଭାରତୀୟ ମୂଲ୍ୟ ପ୍ରାୟ ୩୦ ଲକ୍ଷ ଟଙ୍କା ହେବ  । ତେବେ ସେ ଏହି ଟଙ୍କାକୁ ଦୁବାଇ ପଠାଉଥିବା ପୁଲିସ ଜାଣିପାରିଛି  ।

Comments