ପୂର୍ବତନ ପ୍ରତିରକ୍ଷାମନ୍ତ୍ରୀ ଜର୍ଜ ଫର୍ଣ୍ଣାଣ୍ଡିଜଙ୍କ ଦେହାନ୍ତରେ ସରକାର୍ଯ୍ୟବାହଙ୍କ ଶୋକ


ନୂଆଦିଲ୍ଲୀ, ୨୯/୧  : ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ସରକାରରରେ ପ୍ରତିରକ୍ଷା ମନ୍ତ୍ରୀ ରହିଥିବା ଜର୍ଜ ଫର୍ଣ୍ଣାଣ୍ଡିଜଙ୍କ ୮୮ ବର୍ଷ ବୟସରେ ଦେହାନ୍ତ ହୋଇଯାଇଛି  । ଏହି ବିଶିଷ୍ଟ ସମାଜବାଦୀ ନେତା ଦୀର୍ଘ ବର୍ଷ ଧରି ଅସୁସ୍ଥ ରହିଥିଲେ  । ଅଲଜାଇମର ରୋଗରେ ପୀଡ଼ିତ ଥିବାରୁ ଅନେକ ଦିନ ହେବ ସେ ଶଯ୍ୟାଶାୟୀ ହୋଇଥିଲେ  । ତେବେ ପରେ ସ୍ୱାଇନ୍ ଫ୍ଲୁରେ ଆକ୍ରାନ୍ତ ହେବାରୁ ଅଧିକ ଗୁରୁତର ହୋଇ ଚିକିତ୍ସା ନିମନ୍ତେ ହସ୍ପିଟାଲ୍ରେ ଭର୍ତ୍ତି ହୋଇଥିଲେ ଏବଂ ସେଠାରେ ତାଙ୍କର ପରଲୋକଗମନ ହୋଇଛି  । ସ୍ୱର୍ଗତ ଜର୍ଜ ଫର୍ଣ୍ଣାଣ୍ଡିଜଙ୍କ ଜନ୍ମ ୧୯୩୦ ଜୁନ୍ ୩ ତାରିଖରେ ମାଙ୍ଗାଲୋର୍ରେ ହୋଇଥିଲା  । ୧୮ ବର୍ଷ ବୟସରେ ରୋଜଗାର ଆଶାରେ ମୁମ୍ବାଇ ଚାଲି ଆସିଥିଲେ  । ଏହି ସମୟରେ ତାଙ୍କ ଜୀବନ ଅତ୍ୟନ୍ତ ସଂଘର୍ଷମୟ ଥିଲା  । ସେ ଫୁଟପାଥରେ ରାତ୍ରିଯାପନ କରୁଥିଲେ  । ପରେ ସେ ସୋଶିଆଲିଷ୍ଟ ପାର୍ଟି ଏବଂ ଟ୍ରେଡ୍ ୟୁନିୟନରେ ଅଂଶଗ୍ରହଣ କରିଥିଲେ  । ୧୯୫୦ରେ ସେ କ୍ରମେ ରାଜନୀତିରେ ଅଂଶଗ୍ରହଣ କରିଥିଲେ  । ରକ୍ଷାମନ୍ତ୍ରୀ ଥିବାବେଳେ ନେଇଥିଲେ କଠୋର ନିଷ୍ପତି ୧୯୮୮ରୁ ୨୦୦୪ ମଧ୍ୟରେ ପ୍ରତିରକ୍ଷାମନ୍ତ୍ରୀ ହୋଇଥିବା ଜର୍ଜ ଫର୍ଣ୍ଣାଣ୍ଡିଜଙ୍କ ନେତୃତ୍ୱରେ ଭାରତୀୟ ସେନାରେ କେତେକ ଯୁଗାନ୍ତକାରୀ ପଦକ୍ଷେପ ନିଆଯାଇଥିଲା  । ତାଙ୍କର ୬ ବର୍ଷର କାର୍ଯ୍ୟକାଳ ମଧ୍ୟରେ ପାକିସ୍ତାନ ସହିତ କାରଗିଲ ଯୁଦ୍ଧ ଓ ପୋଖରଣ ଠାରେ ପରମାଣୁ ପରୀକ୍ଷା ସବୁଠାରୁ ମହତ୍ୱପୂର୍ଣ୍ଣ ଘଟଣାବଳୀ ଥିଲା  । ଜର୍ଜ ଫର୍ଣ୍ଣାଣ୍ଡିଜ ମୂଳରୁ ହିଁ ପରମାଣୁ ନିରସ୍ତ୍ରୀକରଣକୁ ସମର୍ଥନ ଦେଇ ଆସୁଥବଲେ  । ମାତ୍ର ୧୯୯୮ରେ ଯେତେବେଳେ ବାଜପେୟୀଙ୍କ ସରକାର ରାଜସ୍ଥାନର ପୋଖରନ ଠାରେ ପରମାଣୁ ପରୀକ୍ଷା କରିବାକୁ ନିଷ୍ପତି ନେଲେ ସେତେବେଳେ ସେ ଏହାକୁ ସମର୍ଥନ କରିଥିଲେ  । ପ୍ରତିରକ୍ଷମାନ୍ତ୍ରୀ ଥିବା ସମୟରେ ସେ ବିଶ୍ୱର ସର୍ବୋଚ୍ଚ ସାମରିକ ଘାଟି ସିଆଚୀନକୁ ୧୮ ଥର ପରିଦର୍ଶନ କରିଥିଲେ  । ସମୁଦ୍ର ପତନ ଠାରୁ ୬୬୦୦ ମିଟର ଉଚ୍ଚରେ ଅବସ୍ଥିତ ଏହି ସାମରିକ ଘାଟିରେ ଭାରତୀୟ ଯୱାନଙ୍କୁ ପ୍ରତି ୨ ମାସରେ ଥରେ ସାକ୍ଷାତ କରି ସେମାନଙ୍କ ମନୋବଳକୁ ବୃଦ୍ଧି କରିଥିଲେ ସ୍ୱର୍ଗତ ଜର୍ଜ ଫର୍ଣ୍ଣାଣ୍ଡିଜ  । ୧୯୯୯ରେ କାରଗିଲ୍ ଯୁଦ୍ଧବେଳେ ସେ ଯୁଦ୍ଧକ୍ଷେତ୍ରରେ ନିୟୋଜିତ ସେନାଧିକାରୀ ଓ ଯୱାନମାନଙ୍କୁ ସାକ୍ଷାତ କରିଥିଲେ  । ଏହି ଯୁଦ୍ଧରେ ଭାରତ ବିଜୟ ଲାଭ କରିଥିଲା  ।
ଏହି ମହାନ ନେତାଙ୍କ ବିୟୋଗରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ସରକାର୍ଯ୍ୟବାହ ଶ୍ରୀ ଭାୟାଜୀ ଯୋଶୀ ଗଭୀର ଦୁଃଖ ପ୍ରକାଶ କରିବା ସହିତ କହିଛନ୍ତି ଯେ, ଗଣତନ୍ତ୍ର ପ୍ରତି ପ୍ରତିବଦ୍ଧତା ସହିତ ସେ ସମସ୍ତ ବିଚାରଧାରା ଲୋକଙ୍କ ସହିତ ସମନ୍ୱୟ ରଖିଥିଲେ ।  ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ସରକାରରରେ ସେ ଏନ୍ଡିଏର ସଂଯୋଜକ ଦାୟିତ୍ୱ ସୁଚାରରୂପେ ତୁଲାଇବା ସହତିତ ସମସ୍ତ ମିତ୍ରଦଳଙ୍କୁ କୁଶଳତା ପୂର୍ବକ ସାଥିରେ ନେଇ ଚାଲିଥିଲେ । ତାଙ୍କର ନିଧନ ଭାରତୀୟ ରାଜନୀତି ପାଇଁ  ଅପୂରଣୀୟ କ୍ଷତି । ତାଙ୍କ ଆତ୍ମାର ସଦ୍ଗତି କାମନା କରିବା ସହିତ ଶୋକସନ୍ତପ୍ତ ପରିବାରଙ୍କୁ ଧର୍ଯ୍ୟ ଓ ଶକ୍ତି ଦିଅନ୍ତୁ ବୋଲି ସେ ଭଗବାନଙ୍କ ନିକଟରେ ପ୍ରାର୍ଥନା କରିଥିଲେ ।

Comments