କୋଟି କୋଟି ଟଙ୍କାର ସମ୍ପତ୍ତିକୁ ତ୍ୟାଗ କରି ଦୀକ୍ଷା ନେଲେ ୮ ତରୁଣୀ


ସୁରଟ, ୧୪/୨  : ସଂସାରରେ ଧନସମ୍ପତ୍ତି ଭୋଗ କରିବାକୁ କିଏ ବା ନ ଚାହେଁ  । କଥାରେ ଅଛି ଯାହାର ଯେତେ ଧନ ତା’ର ସେତେଲୋଭ  । ମାତ୍ର ଏହି ସାଂସାରିକ ମୋହମାୟାକୁ ପରିତ୍ୟାଗ କରି ଆଧ୍ୟାତ୍ମିକ ମାର୍ଗକୁ ବାଛି ନେଇଛନ୍ତି ସୁରଟର ୮ ଜଣ ତରୁଣୀ  । ସେମାନେ ଗୁଣରତ୍ନେଶ୍ୱର ମହାରାଜାଙ୍କ ସାନ୍ନିଧ୍ୟରେ ସେମାନେ ନିଜର କୋଟି କୋଟି ଟଙ୍କାର ସମ୍ପତ୍ତିକୁ ତ୍ୟାଗ କରି ଦୀକ୍ଷା ଗହଣପୂର୍ବକ ସନ୍ନ୍ୟାସିନୀ ହୋଇଯାଇଛନ୍ତି  । ସୁରଟର ନାନାପୁରା ଜୈନ ସଂଘରେ ଗୁରୁବାର ଏକାସଙ୍ଗେ ୮ ଜଣ ତରୁଣୀ ଦୀକ୍ଷା ଗ୍ରହଣ କରି ସଂଯମ ମାର୍ଗରେ ପରିଚାଳିତ ହୋଇଛନ୍ତି  । ଏହି ୮ ଜଣ ତରୁଣୀ ହେଲେ ମିଜଲ ଶାହା, ଧ୍ରୁବୀ କୋଠରୀ, ପୂଜା ଶାହା, ଖୁସୀ ଜୈନ, ସ୍ୱିଟ୍ ସାଧ୍ୱୀ, ପୂଜା ଛାଜଡେ, ସ୍ନେହୀ କୋଠରୀ ଏବଂ ମହକ ଜୈନ  । ଗୁଣରତ୍ନେଶ୍ୱର ମହାରାଜଙ୍କୁ ଭେଟିବା ପରେ ତାଙ୍କର ସରଳ ଓ ନିରାଡ଼ମ୍ବର ଜୀବନଶୈଳୀରେ ପ୍ରଭାବିତ ହୋଇ ସେମାନେ ସଂସାରର ମୋହମାୟାକୁ ପରିତ୍ୟାଗ କରି କେବଳ ସଂଯମ ମାର୍ଗରେ ପରିଚାଳିତ ହେବା ପାଇଁ ଦୀକ୍ଷା ଗ୍ରହଣ କରିଥିବା କହିଛନ୍ତି  । ସେପଟେ ଏହି ୮ ଜଣ ତରୁଣୀଙ୍କ ଦୀକ୍ଷାନ୍ତ ସମାରୋହରେ ପରିବାର ଲୋକେ ଓ ବହୁଳ ସଂଖ୍ୟାରେ ଜୈନ ଶ୍ରଦ୍ଧାଳୁମାନେ ଉପସ୍ଥିତ ରହିଥିଲେ  । ଢ଼ୋଲ ଓ ନାଗରା ଦ୍ୱାରା ସେମାନଙ୍କ ସ୍ୱାଗତ କରାଯାଇଥିଲା  । ଦୀକ୍ଷା ନେଇଥିବା ତରୁଣୀମାନେ ଜୈନ ଧର୍ମର ପରମ୍ପରାନୁଯାୟୀ ଧଳ ବସ୍ତ୍ର ପରିଧାନପୂର୍ବକ ମହାରାଜ ଗୁଣରତ୍ନେଶ୍ୱରଜୀଙ୍କ ଠାରୁ ଦୀକ୍ଷା ଗ୍ରହଣ କରିଥିଲେ  । ସାଂସାରିକ ଜୀବନରେ କେବଳ ଦୁଃଖ ବ୍ୟତୀତ କିଛି ମିଳିନଥାଏ ଯେତେବେଳେକି ଈଶ୍ୱରଙ୍କ ମାର୍ଗରେ ପରିଚାଳିତ ହେଲେ ସତ ସୁଖ ପ୍ରାପ୍ତି ହୋଇଥାଏ ମନେ କରି ସେମାନେ ଦୀକ୍ଷା ଗ୍ରହଣ କରିଛନ୍ତି  । ତେବେ ଇତିମଧ୍ୟରେ ଜୈନ ସମ୍ପ୍ରଦାୟର ୪୪୨ ଜଣ ଦୀକ୍ଷା ଗ୍ରହଣ କରିସାରିଛନ୍ତି  ।

Comments