ପୁଲୱାମା ଘଟଣା: ୭ ଗିରଫ


ନୂଆଦିଲ୍ଲୀ ,୧୬/୨ : ୨୦୧୬ରେ ବୁରହାନ୍ ୱାଣି ମରିବା ପରେ କାଶ୍ମୀରରେ ହିଂସାକାଣ୍ଡ ସୃଷ୍ଟି ହୋଇଥିଲା । ସେନା ଉପରକୁ ସ୍ଥାନୀୟ ଯୁବକମାନେ ପଥ୍ର ଫିଙ୍ଗିଥିଲେ । ମାସ ମାସ ଧରି ଏଭଳି ବିକ୍ଷୋଭ ଜାରି ରହିଥିଲା । ଏହି ସମୟରେ ଆଦିଲ ମଧ୍ୟ ପଥର ଫିଙ୍ଗାଳିଙ୍କ ସହ ସାମିଲ ଥିଲା । କୁଆଡେ ସେହି ବର୍ଷ ଯବାନଙ୍କ ଗୁଳିରେ ସେ ଆହତ ହୋଇଥିଲା । ତାର ଗୋଡରେ ଗୁଳି ଲାଗିଥିଲା । ତାକୁ କିଛି ଯବାନ ମଧ୍ୟ ପିଟାପିଟି କରିଥିଲେ । ସେବେଠାରୁ ସେ ପ୍ରତିଶୋଧ ନେବା ପାଇଁ ମୌଳବାଦୀଙ୍କ ସହ ସାମିଲ ହୋଇଥିବା କୁହାଯାଉଛି । ଜୈସ୍-ଇ- ମହମ୍ମଦରେ ଯୋଗଦେଇଥିବା ଅନ୍ୟ ୨ ଯୁବକ ଫର୍ଦିନ ଅହମ୍ମଦ ଖାଣ୍ଡେ ଓ ମଞ୍ଜୁର ବାବା ଗତ ୨୦୧୮ ଜାନୁଆରୀରେ ସିଆରପିଏଫ କ୍ୟାମ୍ପ ଉପରେ ଆକ୍ରମଣ କରି ନିହତ ହୋଇଥିଲେ । ସେବେଠାରୁ ଆଦିଲ ଓ ତାର ଆଉ ଜଣେ ସାଙ୍ଗ ଉକ୍ତ ଆତଙ୍କବାଦୀ ସଂଗଠନରେ ଯୋଗଦେବା ସହ ପ୍ରତିଶୋଧ ପାଇଁ ସୁଯୋଗ ଖୋଜୁଥିଲେ । ଗତ ୧୪ ତାରିଖରେ ୨୫୪୭ ଜଣ ଯବାନଙ୍କୁ ୭୮ଟି ବସ୍ରେ ଶ୍ରୀନଗର’ର ନିଶତ୍ ଠାରେ ଥିବା ବେସ କ୍ୟାମ୍ପକୁ ନିଆଯାଉଥିଲା । ଏହି ସମୟରେ ୨ ନମ୍ବର ସ୍ଥାନରେ ଯାଉଥିବା ବସଟିକୁ ଆଦିଲ ପ୍ରାୟ ୧୦୦ କିଲୋ ଆରଡିଏକ୍ସ ଭର୍ତ୍ତି ଥିବା ସ୍କର୍ପିଓ ଆଣି ପିଟି ଦେଇଥିଲା । ଓଭରଟେକ କରିବାକୁ ଉଦ୍ୟମ କରି ୨ ନମ୍ବର ବସକୁ ଧକ୍କା ଦେବାରୁ ଏହି ଭୟ୍ଙ୍କର ବିସ୍ଫୋରଣ ହୋଇଥିଲା । ଅପରାହ୍ନ ପ୍ରାୟ ୩.୩୮ ମିନିଟରେ ଶ୍ରୀନଗରଠାରୁ ପ୍ରାୟ ୩୦ କମି ଦୂର ଅବନ୍ତିପୁରା ନିକଟରେ ଏହି ବିସ୍ଫୋରଣ ହୋଇଥିଲା । ଏହି ଘଟଣାରେ ଏନ୍ଆଇଏ ଏନ୍ଏସ୍ଜି ଓ ସ୍ଥାନୀୟ ପୋଲିସ ତଦନ୍ତ ଆରମ୍ଭ କରିଛନ୍ତି । ଶୁକ୍ରବାର ରାତିରେ ଲେଥô୍ପୁରାର ୭ ଜଣ ସନ୍ଦିଗ୍ଧଙ୍କୁ ଗିରଫ କରାଯାଇଛି । ସେମାନଙ୍କୁ ଅଜ୍ଞାତ ସ୍ଥାନକୁ ନେଇ ଜେରା କରାଯାଉଛି । ସୂଚନା ମୁତାବକ ଜୈସ୍-ଇମହମ୍ମଦର ଜଣେ ସକ୍ରିୟ ସଦସ୍ୟ ତଥା ପାକିସ୍ତାନୀ ନାଗରିକ ୧୦/୧୨ ଦିନ ହେଲା ଏହି ଅଞ୍ଚଳରେ ସନ୍ଦିଗ୍ଧମାନଙ୍କ ସହ ସମନ୍ୱୟ ରକ୍ଷା କରି ବିସ୍ଫୋରକ, ବନ୍ଧୁକ ଓ ଗାଡି ଯେଗାଇଥିଲା । ସେ ଏବେ ଫେରାର ଅଛି । ଏହି ଘଟଣାରେ ସ୍ଥାନୀୟ ମୌଳବାଦୀ ଓ ଲୋକଙ୍କ ସଂପୃକ୍ତି ଘଟଣାକୁ ଅଧିକ ଜଟିଳ କରିଛି ।

Comments