ବିଶ୍ୱରେ ବଢୁଛି ଭାରତର ପ୍ରାଧାନ୍ୟ




-ଉଦ୍ଯାପିତ ହେଲା ଆରଏସ୍ଏସ୍ର ସଂଘ ଶିକ୍ଷାବର୍ଗ
କଟକ,୧୧/୬; ସଂଘର ୯୪ ବର୍ଷ ସାଧନାରେ ଭାରତର ହିନ୍ଦୁତ୍ୱର ପ୍ରଭାବ ତ୍ରିବ୍ରଗତିରେ ବଢିବାରେ ଲାଗିଛି । ଭାରତ ହିନ୍ଦୁତ୍ୱ ରାସ୍ତାରେ ଚାଲିବାକୁ ଆରମ୍ଭ କରିଥିବା କାରଣରୁ ବିଶ୍ୱରେ ଦେଶର ଗୌରବ ବୃଦ୍ଧି ପାଇଛି । ସଂଘଶିକ୍ଷା ବର୍ଗରେ ଏପରି କାର୍ଯ୍ୟକର୍ତ୍ତା ନିର୍ମାଣ କରିବା ପକ୍ରିୟା ୧୯୨୭ରୁ ଚାଲି ଆସିଛି । ଚଳିତ ବର୍ଷ ୮୬ଟି ସ୍ଥାନରେ ୨୦,୦୦୦ରୁ  ଉଦ୍ଧ୍ୱର୍ ଶିକ୍ଷାର୍ଥି  ପ୍ରଶିକ୍ଷଣ ନେଉଛନ୍ତି । ଭାରତର ଗୌରବ ଆଗାମୀ ଦିନରେ ଆହୁରି ବୃଦ୍ଧି ପାଇବା ସହିତ ବିଶ୍ୱଗୁରୁ ଆଶା ସାକାର ହେବାକୁ ଯାଉଛି ବୋଲି ପ୍ରାଧ୍ୟାପକ ଶ୍ରୀ ଗୋପାଳ ପ୍ରସାଦ ମହାପାତ୍ର ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ସଂଘଶିକ୍ଷା ବର୍ଗ ଉଦ୍ଯାପନ ଉତ୍ସବରେ ମତବ୍ୟକ୍ତ କରିଛନ୍ତି ।

ସବୁବର୍ଷ ପରି ଏବର୍ଷ ମଧ୍ୟ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ତା’ର ନୀରବ ସାଧକ ନିର୍ମାଣ କାର୍ଯ୍ୟ ତଥା ମାନବୀୟତାର ବିକାଶ ପାଇଁ  କଟକ ସହର ଉପକଣ୍ଠ ଗତିରାଉତପାଟଣାସ୍ଥିତ କେଶବଧାମ ଠାରେ  ଗତ ମେ ୨୨ ତାରିଖ ଠାରୁ ୨୧ ଦିନ ବ୍ୟାପି ଚାଲୁଥିବା ସଂଘଶିକ୍ଷା ବର୍ଗର ଆଜି ସମାରୋପ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ସଂଘ ତରଫରୁ ଏଠାରେ ଅନୁଷ୍ଠିତ ତିନୋଟି ବର୍ଗର ଶିକ୍ଷାର୍ଥୀମାନଙ୍କ ମଧ୍ୟରେ ୫୪ ଜଣ ଶିକ୍ଷକ ଓ ଅଧ୍ୟାପକ, ୩୧ ଜଣ କୃଷକ, ୭୧ ଜଣ ବ୍ୟବସାୟୀ, ୩୨ ଜଣ କର୍ମଚାରୀ, ୦୨ ଜଣ ଡାକ୍ତର, ୧୫ ଜଣ ଓକିଲ, ୨୦୩ ଜଣ ଛାତ୍ର ଓ ୨୦ ଜଣ ଅନ୍ୟ ଶିକ୍ଷାର୍ଥୀ ଭାଗ ନେଇଛନ୍ତି । ଶିକ୍ଷାର୍ଥୀମାନେ ଏହି ବର୍ଗରୁ ଶିକ୍ଷା କରିଥିବା  ଯୋଗ,ସୂର୍ଯ୍ୟ ନମସ୍କାର, ଆସନ, ବ୍ୟାୟାମଯୋଗ, ଦଣ୍ଡ, ନିୟୁଦ୍ଧ, ସ୍ୱଦେଶୀ ଖେଳ, ପଦବିନ୍ୟାସ, ସମତା, ଆଚାରପଦ୍ଧତି, ଚେରୱାଡି ଆଦିର ଚିତ୍ତାକର୍ଷକ ପ୍ରଦର୍ଶନ କରିଥିଲେ ।
ଏହି ସମାରୋପ କାର୍ଯ୍ୟକ୍ରମରେ  ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ଶ୍ରୀ ସଂଜୟ କୁମାର ପଣ୍ଡା ମୁଖ୍ୟ ଅତିଥି  ଏବଂ କ୍ଷେତ୍ର କାର୍ଯ୍ୟବାହ ପ୍ରାଧ୍ୟାପକ ଶ୍ରୀ ଗୋପାଳ  ପ୍ରସାଦ ମହାପାତ୍ର ମୁଖ୍ୟବକ୍ତା ରୂପେ ଯୋଗ ଦେଇଥିଲେ । ଦ୍ୱିତୀୟ ବର୍ଷ ବର୍ଗର ସର୍ବାଧିକାରୀ ଶ୍ରୀ ପ୍ରଶାନ୍ତ କୁମାର ମିଶ୍ର ବର୍ଗବିବରଣୀ ପାଠ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପ୍ରଥମ ବର୍ଷ ବିଶେଷର ବର୍ଗାଧିକାରୀ ଶ୍ରୀ ହେମନ୍ତ କୁମାର ଧର, ପ୍ରଥମ ବର୍ଷ ସାମାନ୍ୟର ବର୍ଗାଧିକାରୀ ଶ୍ରୀ ମନୋରଂଜନ ସାହୁ ଓ ସଂଘର ପ୍ରାନ୍ତ ସଂଘଚାଳକ ଓଡିଶା ପୂର୍ବର ଶ୍ରୀ ସମୀର କୁମାର ମହାନ୍ତି ମଂଚରେ ଉପସ୍ଥିତ ଥିଲେ ।
ସୂଚନା ଯୋଗ୍ୟ ଯେ, ଏହି ବର୍ଗର ପ୍ରଥମବର୍ଷ ସାମାନ୍ୟରେ ଓଡିଶା ପୂର୍ବର ୧୯ଟି ଜିଲ୍ଲା, ବିଶେଷରେ ଓଡିଶାର ସମସ୍ତ ସରକାରୀ ୩୦ଟି ଜିଲ୍ଲା ଏବଂ ୨ୟ ବର୍ଷ ସାମାନ୍ୟରେ ଓଡିଶା, ପଶ୍ଚିମ ବଙ୍ଗ, ଆଣ୍ଡାମାନ ନିକୋବର ଓ ସିକିମର ସ୍ୱୟଂସେବକମାନେ ଭାଗ ନେଇଛନ୍ତି । ସମସ୍ତ ସ୍ୱୟଂସେବକ ଶିକ୍ଷାର୍ଥୀ ଯିବା ଆସିବା ଖର୍ଚ୍ଚ ସହିତ ଶୁଳକ ଯଥାକ୍ରମେ ୭୦୦ ଓ ୮୦୦ ଟଙ୍କା ଲେଖାଏଁ ନିଜ ହାତରୁ ଖର୍ଚ୍ଚ କରି ଶିକ୍ଷାପ୍ରାପ୍ତ କରିଛନ୍ତି । ପ୍ରଥମ ବର୍ଷ ସାମାନ୍ୟରେ ୨୧୧ ଜଣ, ପ୍ରଥମ ବର୍ଷ ବିଶେଷରେ ୬୮ ଜଣ ଓ ଦ୍ୱିତୀୟ ବର୍ଷ ସାମାନ୍ୟରେ ୧୫୬ଜଣ ଏହିପରି ସର୍ବମୋଟ ୪୩୫ ଜଣ ସ୍ୱୟଂସେବକ ଶିକ୍ଷାର୍ଥୀ ଭାଗ ନେଇଛନ୍ତି । ଶିକ୍ଷାର୍ଥୀମାନଙ୍କୁ ଶାରୀରିକ  ଶିକ୍ଷା ପ୍ରଦାନ କରାଯିବା ସହ ବୌଦ୍ଧିକ ଦୃଷ୍ଟିରୁ ଅନେକ ମହାପୁରୁଷଙ୍କ ଜୀବନୀ, ଦେଶ ସମ୍ବନ୍ଧୀୟ ଚର୍ଚ୍ଚା ଆଲୋଚନା ବ୍ୟତିରେକ ବିଶିଷ୍ଟ ବ୍ୟକ୍ତିମାନଙ୍କର ବୌଦ୍ଧିକ ଶୁଣିବାର ସୁଯୋଗ ପ୍ରାପ୍ତ ହୋଇଛି । ସେହିପରି ସେବା ଦୃଷ୍ଟିରୁ ଅଭିଜ୍ଞ ବିଶେଷଜ୍ଞମାନଙ୍କ ଦ୍ୱାରା ପ୍ରାକୃତିକ ଚିକିତ୍ସା, ଆକ୍ୟୁପ୍ରେସର ଆଦି ଶିକ୍ଷା ଦିଆଯାଇଥିଲା । ପ୍ରଚାର ବିଭାଗ ତରଫରୁ ସୋସିଆଲ ମିଡିଆ, ପ୍ରିଣ୍ଟ୍ ମିଡିଆର ଶିକ୍ଷା, ସମ୍ପର୍କ ବିଭାଗ ତରଫରୁ ମଧ୍ୟ ସମାଜର ସବୁବର୍ଗକୁ ସମ୍ପର୍କ କରିବାର ଶିକ୍ଷା ଦିଆଯାଇଥିଲା । ବୈଦିକ ଗଣିତ ଓ ସଂସ୍କୃତ ସଂଭାଷଣର ଶିକ୍ଷା ମଧ୍ୟ ଦିଆଯାଇଥିଲା । ସମସ୍ତ ଶିକ୍ଷାର୍ଥୀ, ଶିକ୍ଷକ, ପ୍ରବନ୍ଧକ ଓ ଅନ୍ୟ ସମସ୍ତ କାର୍ଯ୍ୟକର୍ତ୍ତା ପ୍ରାତଃ ୪ ଘଟିକା ଠାରୁ ରାତ୍ର ୧୦ଟା ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟକ୍ରମରେ ଭାଗ ନେଉଥିଲେ ।
ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ସରସଂଘଚାଳକ ଡ. ମୋହନ ମଧୁକର ରାଓ ଭାଗବତ ଜୀ, ସହ ସରକାର୍ଯ୍ୟବାହ ଡ. କୃଷ୍ଣ ଗୋପାଳ ଜୀ, ଶ୍ରୀ ଭି. ଭାଗେୟାଜୀ ଏବଂ ଶ୍ରୀ ମନମୋହନ ବୈଦ୍ୟଜୀ ଉପସ୍ଥିତ ରହି ସ୍ୱୟଂସେବକମାନଙ୍କୁ ମାର୍ଗଦର୍ଶନ କରିଥିଲେ । ଏହା ବ୍ୟତୀତ ଅନ୍ୟ କ୍ଷେତ୍ରୀୟ ତଥା ପ୍ରାନ୍ତୀୟ ଅଧିକାରୀଙ୍କ ସହିତ ୫୫ ଜଣ ଶିକ୍ଷକ ଏବଂ ସର୍ବମୋଟ ୧୨୦ ଜଣ ବିଭିନ୍ନ ବିଷୟର ବିଶେଷଜ୍ଞ ପ୍ରଶିକ୍ଷଣରେ ସହଯୋଗୀ ହୋଇଥିଲେ । ପ୍ରାୟ ୧୦୦ ଜଣ ପ୍ରବନ୍ଧକ ଉପସ୍ଥିତ ରହି ବର୍ଗର ସମସ୍ତ ବ୍ୟବସ୍ଥା ଦେଖିଥିଲେ । ଆସନ୍ତା କାଲି ଜ୍ୟେଷ୍ଠ ଶୁକ୍ଲ ନବମୀ ପ୍ରାତଃକାଳରେ ଦୀକ୍ଷାନ୍ତ ବୌଦ୍ଧିକ ପରେ ବର୍ଗର ସମାପ୍ତି ହେବ ।

Comments

Post a Comment