ରାକ୍ଷୀ ପୂର୍ଣ୍ଣିମା: ଏକ ସାର୍ବଜନୀନ ପର୍ବ

ମନୁଷ୍ୟ ଏକ ସାମାଜିକ ପ୍ରାଣୀ । ତେଣୁ ସମାଜ ମଧ୍ୟରେ ବାର ମାସରେ ତେର ପର୍ବ ପାଳିଥାଏ । ଏହି ପର୍ବ ମଧ୍ୟରେ ରହିଛି ରକ୍ଷା ବନ୍ଧନ ପର୍ବ । ରକ୍ଷା ବନ୍ଧନ ସାମାଜିକ ଓ ପାରିବାରିକ ମଧ୍ୟରେ ଏକତାର ବନ୍ଧନ । ଏହା ଅଟଳ ବିଶ୍ୱାସର ବନ୍ଧନ । ହିମାଳୟ ଠାରୁ କୁମାରିକା   ପର୍ଯ୍ୟନ୍ତ ସମସ୍ତ ଭାରତବାସୀ ଆଜି ଗୋଟିଏ ବନ୍ଧନରେ ବାନ୍ଧି ହୋଇ ଅଛନ୍ତି । ଭାରତୀୟ ସଂସ୍କୃତି ସମସ୍ତଙ୍କୁ ଗୋଟିଏ ରଜୁରେ ବାନ୍ଧି ରଖିଛି । ସେହି ସଂସ୍କୃତିରେ ରକ୍ଷା ବନ୍ଧନର ମହତ୍ୱ ବହୁ ଉଚ୍ଚରେ ।
ରକ୍ଷା ବନ୍ଧନ କଥା କହିଲେ ପ୍ରଥମେ ଭାଇ ଓ ଭଉଣୀ ମଧ୍ୟରେ ଥିବା ଅନାବିଳ ସଂପର୍କ କଥା ମନେ ପଡେ । ଗହ୍ମା ପୂର୍ଣ୍ଣିମା ଦିନ ଭଉଣୀ ଭାଇ ହାତରେ ରକ୍ଷାର ସୂତ୍ର ବାନ୍ଧି ଦେଇ ନିଜ ସୁରକ୍ଷାର ଦାୟିତ୍ୱ ଭାଇ ଉପରେ ସମର୍ପି ଦିଏ । ଭାଇ ଭଉଣୀ ମଧ୍ୟରେ ଯେଉଁ ସ୍ନେହ,ପ୍ରେମ,କର୍ତ୍ତବ୍ୟ ରହିଛି ଏହି ପର୍ବ ତାର ସମସ୍ତ ଦିଗକୁ ସୂଚାଇ ଦିଏ ।
ପୁରାଣରେ ମଧ୍ୟ ରକ୍ଷା ବନ୍ଧନ ସଂପର୍କରେ ମଧ୍ୟ ବର୍ଣ୍ଣନା ଅଛି । ରାଜା ବଳି ଯଜ୍ଞ ଶେଷକରି ସ୍ୱର୍ଗ  ଅଧିକାର ପାଇଁ ପ୍ରଯତ୍ନ କଲେ । ଏହା ଦେଖି ଦେବରାଜ ଇନ୍ଦ୍ର ପ୍ରମାଦ ଗଣିଲେ । ସେ ଭଗବାନ ବିଷ୍ଣୁଙ୍କୁ ପ୍ରାର୍ଥନା କଲେ । ଭଗବାନ ବ୍ରାହ୍ଣଣ ବେଶଧରି ବଳିକୁ  ଭିକ୍ଷା ମାଗିଲେ । ଗୁରୁ ମନାକଲା ପରେ ମଧ୍ୟ ବଳି ବିଷ୍ଣୁଙ୍କୁ ତିନି ପାଦ ଭୂମି ଦାନ ଦେଲେ । ଭଗବାନ ତିନିପାଦରେ ଆକାଶ,ପାତାଳ ଓ ଧରିତ୍ରୀକୁ ନେବାପରେ ବଳିକୁ ରସାତଳକୁ ପଠାଇଦେଲେ । କିନ୍ତୁ ବଳି ନିଜର ଭକ୍ତି ବଳରେ ବିଷ୍ଣୁଙ୍କୁ ପ୍ରସନ୍ନ କରାଇ ପ୍ରତ୍ୟେକ ସମୟରେ ନିଜ ପାଖରେ ରହିବା ପାଇଁ କହିଲେ । ବିଷ୍ଣୁ ତାଙ୍କ ପାଖରେ ରହିବେ ବୋଲି ସମ୍ମତି ପ୍ରଦାନ କଲେ । ହେଲେ ମା ଲକ୍ଷ୍ମୀ ଠାକୁରାଣୀ ଏ ବିଷୟ ଜାଣି ପାରି ଚିନ୍ତିତ ହୋଇ ପଡିଲେ । ଶେଷରେ ନାରଦଙ୍କ କଥା ଅନୁସାରେ ସେ ବଳିଙ୍କ ନିକଟକୁ ଯାଇ ତାଙ୍କ ହାତରେ ରକ୍ଷାସୂତ୍ର ବାନ୍ଧି ଭାଇ କରି ନେଲେ । ଏହାପରେ ବିଷ୍ଣୁଙ୍କୁ ନିଜ ସାଥିରେ ନେଇଗଲେ ।
ମହାଭାରତରେ ମଧ୍ୟ ରକ୍ଷା ବନ୍ଧନ ସଂପର୍କରେ ଉଲ୍ଲେଖ ଅଛି । ଭଗବାନ ଯୁଧିଷ୍ଠିର ଭଗବାନ କୃଷ୍ଣଙ୍କୁ ପଚାରିଲେ ସମସ୍ତ ସଂକଟକୁ କିପରି ମୁକାବିଲା କରିହେବ । କୃଷ୍ଣ ସେନାଙ୍କ ହାତରେ ରାକ୍ଷୀ ବାନ୍ଧିବା ପାଇଁ ପରାମର୍ଶ ଦେଇଥିଲେ । ଶିଶୁପାଳ ବଧ ସମୟରେ କୃଷ୍ଣଙ୍କ ଦେହରେ ଆଘାତ ଲାଗିଥିଲା । ଦ୍ରୌପଦୀ ରକ୍ତକୁ  ଅଟକାଇବା ପାଇଁ ନିଜର ଶାଢି ଚିରି ଶ୍ରୀକୃଷ୍ଣଙ୍କ କ୍ଷତ ସ୍ଥାନରେ ବାନ୍ଧି ଦେଇଥିଲେ । ଯେତେବେଳେ ଦ୍ରୌପଦୀର ବସ୍ତ୍ର ହରଣ ହୋଇଥିଲା ସେହି ସମୟରେ ଭଗବାନ କୃଷ୍ଣ ଦୌପଦୀଙ୍କର ଋଣ ସୁଝି ଦେଇଥିଲେ ।
ରକ୍ଷାବନ୍ଧନର ମଧ୍ୟ ଐତିହାସିକ ମହତ୍ୱ ରହିଛି । ରାଜପୁତମାନେ ଯେତେବେଳେ ଯୁଦ୍ଧକୁ ଯାଉଥିଲେ ସେ ସମୟରେ ରାଜପୁତ ରମଣୀମାନେ ସେମାନଙ୍କ ହାତରେ ରେଶମର ଡୋରି ସହିତ ମଥାରେ କୁମକୁମର ତିଳକ ଲଗାଇ ଦେଉଥିଲେ । ବିଶ୍ୱାସ ଥିଲା ଏହାଦ୍ୱାରା ସେମାନେ ବିଜୟ ହୋଇ ଫେରି ଆସୁଥିଲେ । ଚିତୋର ବିଧବା ମହାରାଣୀ ଥିଲେ କର୍ମାବତୀ । ତାଙ୍କ ରାଜ୍ୟ ଉପରେ ଶତ୍ରୁ ପକ୍ଷ ଆକ୍ରମଣ କରିବା ପାଇଁ ଯୋଜନା କରୁଥିଲେ । ସେ ଏହା ଜାଣିସାରିବା ପରେ ନିଜ ରାଜ୍ୟକୁ ଗୁଜୁରାଟର ବାହାଦୂର ଶାହାଙ୍କ ଠାରୁ ରକ୍ଷା କରିବା ପାଇଁ ମୋଗଲ ସମ୍ରାଟ ହିମାୟୁନଙ୍କ ନିକଟକୁ ରାକ୍ଷୀ ପଠାଇ ସାହାର୍ଯ୍ୟ ଭିକ୍ଷା କରିଥିଲେ । ମୋଗଲ ସମ୍ରାଟ ରାଣୀଙ୍କ ଭାବନାକୁ  ବୁଝି ତାଙ୍କର ସମ୍ମାନ ରଖିଥିଲେ ।
ସିକନ୍ଦର ମଧ୍ୟ ଏହି ରାକ୍ଷୀ ମାଧ୍ୟମରେ ନିଜର ଫାଇଦା ହାସଲ କରିଥିଲା । ସିକନ୍ଦରର ପତ୍ନୀ ହିନ୍ଦୁ ଶତ୍ରୁ ପୁରୁଙ୍କ ହାତରେ ରାକ୍ଷୀ ବାନ୍ଧି ଥିଲେ । ଏହା ବଦଳରେ ଯୁଦ୍ଧ ସମୟରେ ସିକନ୍ଦରକୁ ନମାରିବା ପାଇଁ ପ୍ରତିଶ୍ରୁତି ମଧ୍ୟ ମାଗିଥିଲେ । ପୁରୁ ଯୁଦ୍ଧ ସମୟରେ ଭଉଣୀର ସେହି କଥାକୁ ମନେ ପକାଇ ଦେଇ ଥିବା କଥାକୁ ରକ୍ଷା କରିଥିଲେ । ସିକନ୍ଦରକୁ ନମାରି ଜୀବନ ଦାନ ଦେଇଥିଲେ ।
ଭାରତୀୟ ସ୍ୱାଧିନତା ଆନ୍ଦୋଳନ ସମୟରେ ରକ୍ଷା ବନ୍ଧନ ପର୍ବର ଗୁରୁତ୍ୱ ମଧ୍ୟ ରହି ଥିଲା । ସ୍ୱାଧିନତା ଆନ୍ଦୋଳନ ସମୟରେ ଚନ୍ଦ୍ରଶେଖର ଆଜାଦଙ୍କୁ ଧରିବା ପାଇଁ ବ୍ରିଟିଶ ସୈନିକମାନେ କଳ ବଳ କୌଶଳ ଖଟାଇ ଥିଲେ । ହେଲେ ଆଜାଦ ସମସ୍ତଙ୍କ ଆଖିରେ ଧୁଳି ଦେଇ ଖସି ଯାଉଥିଲେ । ଦିନେ ଏକ ଝଡତୋଫାନ ରାତିରେ ଜଣଙ୍କ ଘରେ ପହଞ୍ôଚଲେ । ସେହି ଘରେ ଜଣେ ବିଧବା ତାର ବଢିଲା ଝିଅ ସହିତ ରହୁଥିଲେ । ସେ ପ୍ରଥମେ ଆଜାଦଙ୍କୁ ଦେଖି ଚୋର ବା ଡାକୁ ବୋଲି ଭାବି ନେଇ ଘରୁ ବିଦା କରିଦେଇଥିଲେ । ପରେ ଯେତେବେଳେ ଚନ୍ଦ୍ରଶେଖର ଆଜାଦ ନିଜର ପରିଚୟ ଦେଲେ ସେତେବେଳେ ସେ ମହିଳା ଜଣଙ୍କ ତାଙ୍କୁ ସସମ୍ମାନନେଇ ଘରେ ୍ରରଖିଥିଲେ । ଆଜାଦ ଜାଣିବାକୁ ପାଇଲେ ଦାରିଦ୍ରତା କାରଣରୁ ତାଙ୍କ ଝିଅର ବିଭାହ ହୋଇ ପାରିନାହିଁ । ଆଜାଦ ସଙ୍ଗେସଙ୍ଗେ ମହିଳାଙ୍କୁ ଡାକି କହିଲେ ମୋତେ ଧରାଇଦେଲେ ଇଂରେଜ ସରକାର ପାଞ୍ଚ ହଜାର ଟଙ୍କା ପୁରସ୍କାର ଦେବେ । ତେଣୁ ଆପଣ ମୋତେ ଧରାଇ ଦେଇ ସେହି ଟଙ୍କାରେ ଆପଣଙ୍କ ଝିଅର ବାହାଘର କରାଇ ନିଅନ୍ତୁ । ଏହା ଶୁଣିବା ପରେ ବିଧବା ମହିଳାଙ୍କ ଆଖିରୁ ଧାରଧାର ହୋଇ ଲୋତକ ବହିଗଲା । ସେ କହିଲେ ଦେଖ ଭାଇ ତୁମେ ଦେଶକୁ ସ୍ୱାଧିନ କରିବା ପାଇଁ କାମ କରୁଛ । କେତେ ଝିଅ ବୋହୁଙ୍କର ସମ୍ମାନ ରଖୁଛ । ତୁମମାନଙ୍କ ହାତରେ ଏଦେଶର ଭାଗ୍ୟ ଭବିଷ୍ୟତ । ମୁଁ ମୋର ସ୍ୱାର୍ଥ ପାଇଁ ଏଭଳି ବେଇମାନ କାମ କରି ପାରିବି ନାହିଁ । ଏହାକହି ସେ ସଙ୍ଗସଙ୍ଗେ ଆଜାଦଙ୍କ ହାତରେ ରାକ୍ଷୀ ବାନ୍ଧି ଭାଇକରି ନେଲେ ଏବଂ ଦେଶ ସେବାପାଇଁ କଥା ଦେଲେ । ତାପରଦିନ ସକାଳ ହେଲା ବେଳକୁ ଆଜାଦ ସେ ସ୍ଥାନ ଛାଡି ଦେଇଥିଲେ । ସେ ତକିଆତଳେ ଛାଡି ଦେଇ ଯାଇଥିଲେ ପାଞ୍ଚ ହଜାର ଟଙ୍କା ଓ ଗୋଟିଏ ଚିଠି । ସେଥିରେ ଲେଖାଥିଲା ମୋର ସ୍ନେହର ଭଉଣୀପାଇଁ ଏହା ସାମାନ୍ୟ ଉପହାର ।
ବିଶ୍ୱକବି ରବିନ୍ଦ୍ରନାଥ ଠାକୁର ବଙ୍ଗଭଙ୍ଗ  ଆନ୍ଦୋଳନକୁ ବିରୋଧ କରିବା ପାଇଁ ରକ୍ଷା ବନ୍ଧନକୁ ମୁଖ୍ୟ ଅସ୍ତ୍ର କରିଥିଲେ । ଏହି ପର୍ବଦିନ ବଙ୍ଗଭଙ୍ଗକୁ ବିରୋଧ କରିବା ପାଇଁ ଜନଜାଗରଣ ଆରମ୍ଭ ହୋଇଥିଲା । ଏହିପର୍ବ ଏକତା ଓ ଭାଇଚାରାର ପ୍ରତୀକ ହୋଇ ଯାଇଥିଲା । ଗୁରୁଦେବ ରବିନ୍ଦ୍ରନାଥ ଠାକୁର ଏହି ପର୍ବର ଏକ ନୂଆ ଅର୍ଥ ଦେଇ କହିଥିଲେ ଏହି ପର୍ବହେଉଛି ଦେବତ୍ୱର ପର୍ବ । ଏହା କେବଳ ଭାଇ ଓ ଭଉଣୀଙ୍କର ପର୍ବନୁହେଁ । ଏଥିରେ କୌଣସି ସନ୍ଦେହ ନାହିଁ । ସଂପର୍କର ବନ୍ଧନରୁ ଯଦି ଆମେ ଉପରକୁ ଉଠି ରକ୍ଷା ବନ୍ଧନର ଭାବନାକୁ ନେଇ କୌଣସି କ୍ଷେତ୍ରରେ ପ୍ରୟୋଗ କରିବା ତେବେ ତାର ସ୍ୱରୁପ ବଦଳି ଯିବ ନିଶ୍ଚୟ । ଯଦି ସୀମାକୁ ଯାଇ ସୈନକ ହାତରେ ରାକ୍ଷୀ ବାନ୍ଧିବା ତେବେ ରାଷ୍ଟ୍ର ରକ୍ଷା ହେବ । ପର୍ଯ୍ୟାବରଣ ରକ୍ଷା ପାଇଁ ସାଧାରଣ ଜନତାଙ୍କ ହାତରେ ରାକ୍ଷୀ ବାନ୍ଧିବା ପର୍ଯ୍ୟାବରଣ ରକ୍ଷା ହେବ । ତେଣୁ ଏହି ଦୃଷ୍ଟିରୁ ଦେଖିବାକୁ ଗଲେ ଏହା ଏକ ରାଷ୍ଟ୍ରୀୟ ପର୍ବ ଅଟେ ।

Comments