ପୁରୀ : ମହାପ୍ରଭୁ ଏବଂ ଶ୍ରୀଦେବୀ(ଲକ୍ଷ୍ମୀ)ଠାକୁରାଣୀଙ୍କ ସହିତ ବିବାହ ସରିଥିଲା । ଗଇଁଠାଳ ଫିଟିନଥିଲା ଅର୍ଥାତ୍ ବିବାହ କର୍ମ ଅଧାରେ ରହିଛି । ଦେବସ୍ନାନ ପୂର୍ଣ୍ଣିମାରେ ମହାପ୍ରଭୁ ସ୍ନାନ କରି ଜ୍ୱରରେ ପଡ଼ିଲେ । ବିଭିନ୍ନ ପଥି ପାଞ୍ଚଣ ଖାଇ ଆରୋଗ୍ୟ ଲାଭ କଲେ । ଦ୍ୱିତୀୟାତିଥିରେ ମହାପ୍ରଭୁ ଲକ୍ଷ୍ମୀଙ୍କୁ ସାକ୍ଷାତ ନ କରି ଭାଇ ଓ ଭଉଣୀଙ୍କୁ ସାଥିରେ ନେଇ ଶ୍ରୀଗୁଣ୍ଡିଚା ଯାତ୍ରାରେ ବାହାରି ଜନ୍ମବେଦୀରେ ଅବସ୍ଥାନ କରିଛନ୍ତି । ବିରହ ବେଦନାରେ ଥିବା ଲକ୍ଷ୍ମୀ ଠାକୁରାଣୀ ମହାପ୍ରଭୁଙ୍କୁ ଫେରାଇ ନେବା ଲାଗି ଆସିଥିଲେ । ମହାପ୍ରଭୁ ଦର୍ଶନ ଦେଲେ କିନ୍ତୁ ମହାଲକ୍ଷ୍ମୀଙ୍କ ଫେରିବା ଅନୁରୋଧକୁ ରଖିଲେ ନାହିଁ । ଏଥିରେ ରୋଷ କରି ମହାଲକ୍ଷ୍ମୀ ମହାପ୍ରଭୁଙ୍କ ନନ୍ଦିଘୋଷ ରଥର କିଛି ଅଂଶ ଭାଙ୍ଗି ଦେଇ ହେରାଗୌରୀ ସାହିଦେଇ ଶ୍ରୀମନ୍ଦିରକୁ ବାହୁଡ଼ିଥିଲେ । ଫେରିବା ସମୟରେ ସାହି ଅଧିବାସୀଙ୍କ ଦ୍ୱାରା ପନ୍ତି ଭୋଗ ଗ୍ରହଣ କରିଥିଲେ । ଶ୍ରୀଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁଙ୍କ ସନ୍ଧ୍ୟା ଧୂପ ପୂର୍ବରୁ ଶ୍ରୀମନ୍ଦିରରେ ମହାଲକ୍ଷ୍ମୀଙ୍କ ମାଜଣା ହୋଇଥିଲା । ପରେ ମହାଲକ୍ଷ୍ମୀ ପାଲିଙ୍କିରେ ବିଜେ ହୋଇ ଘଣ୍ଟ, ଛତା, କାହାଳୀ ସହିତ ପଟୁଆରରେ ଶ୍ରୀଗୁଣ୍ଡିଚା ମନ୍ଦିର ଅଭିମୁଖେ ବାହାରିଥିଲେ । ନନ୍ଦିଘୋଷ ରଥ ନିକଟରେ ଲକ୍ଷ୍ମୀ ଠାକୁରାଣୀ ପହଞ୍ôଚବା ପରେ ପତି ମହାପାତ୍ର ବନ୍ଦାପନା, ଚାମର ଆଲଟ, ଘସାବିଡିଆ ଏବଂ ଦହି ପଟି ମଣୋହୀ କରିଥିଲେ । ସନ୍ଧ୍ୟାଧୂପ ପୂଜା ବସିଥିବା ସମୟରେ ଲକ୍ଷ୍ମୀ ଠାକୁରାଣୀ ଗୁଣ୍ଡିଚାମନ୍ଦିର ଜଗମୋହନକୁ ବିଜେ ହୋଇ ଜୟବିଜୟ ଦ୍ୱାର ପାଖକୁ ଆସିଥିଲେ । ପତି ମହାପାତ୍ର ସେବକ ମହାପ୍ରଭୁଙ୍କ ଆଜ୍ଞାମାଳ ଆଣି ଲକ୍ଷ୍ମୀ ଠାକୁରାଣୀଙ୍କୁ ପ୍ରଦାନ କରିଥିଲେ । କିନ୍ତୁ ମହାପ୍ରଭୁ ମହାଲକ୍ଷ୍ମୀଙ୍କ ସହିତ ଫେରିନଥିଲେ । ଏହା ପରେ ଲକ୍ଷ୍ମୀ ଠାକୁରାଣୀ ଅଭିମାନ କରି ନାକଚଣା ଦ୍ୱାର ଦେଇ ନନ୍ଦିଘୋଷ ରଥ ନିକଟକୁ ଯାଇ ରଥର କିଛି ଅଂଶ ଭାଙ୍ଗିଥିଲେ । ମହାପ୍ରଭୁଙ୍କ ଏହି ମାନବୀୟ ଲୀଳାକୁ ଦେଖିବା ପାଇଁ ପ୍ରବଳମାତ୍ରାରେ ଭକ୍ତଙ୍କ ମଧ୍ୟରେ ଭିଡ଼ ଲାଗିଥାଏ । ତେବେ ଚଳିତବର୍ଷ ମହାମାରୀ କରୋନା କଟକଣା ପାଇଁ ବିନାଭକ୍ତରେ ମହାପ୍ରଭୁଙ୍କ ସମସ୍ତ ନୀତିକାନ୍ତି ସମ୍ପନ୍ନ କରାଯାଉଛି ।
Comments
Post a Comment