ଏମ୍‍ଜିନରେଗା ଅର୍ଥ କାଟ୍ କରିବନି କେନ୍ଦ୍ର ସରକାର



ନୂଆଦିଲ୍ଲୀ/ ଭୁବନେଶ୍ୱର: କରୋନା ମହାମାରୀ ପରିପ୍ରେକ୍ଷୀରେ କେନ୍ଦ୍ର ସରକାର ବିଭିନ୍ନ ଯୋଜନାରୁ ଅର୍ଥ କାଟ ଆରମ୍ଭ କରିଥିବାବେଳେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମ୍ୟ ନିଶ୍ଚିତ ରୋଜଗାର ଆଇନ୍‍ (ଏମ୍‍ଜିନରେଗା) ଏବଂ ଗରିବ ରୋଜଗାର କଲ୍ୟାଣ ଅଭିଯାନ (ଜିକେଆରଏ) ଭଳି ରୋଜଗାର ଭିତ୍ତିକ ଯୋଜନାରୁ ଅର୍ଥକାଟ୍‍ କରିବା ମୁଡ୍‍ରେ ନାହାନ୍ତି । କରୋନା ଯୋଗୁଁ ରାଜସ୍ୱ ଆଦାୟ ଗୁରୁତର ପ୍ରଭାବିତ ହୋଇଥିବାରୁ କେନ୍ଦ୍ର ସରକାର ଏବେ ରାଜ୍ୟକୁ ଯୋଗାଉଥିବା ଅର୍ଥରୁ କାଟ୍‍ ଆରମ୍ଭ କରିଛନ୍ତି । ଏପ୍ରିଲ୍‍ ଓ ମଇ ମାସରେ କେନ୍ଦ୍ର ସରକାର ଠିକଣା ଭାବେ ଅର୍ଥ ଯୋଗାଇ ଥିବାବେଳେ ଜୁନ୍‍ ମାସରୁ ଅର୍ଥକାଟ୍‍ ଆରମ୍ଭ ହୋଇଛି ଏବଂ ଆଗାମୀ ଦିନରେ ଏହା ବୃଦ୍ଧି ପାଇବାର ଆଶଙ୍କା କରାଗଲାଣି । ଅନ୍ୟ ପକ୍ଷରେ ଏମ୍‍ଜିନରେଗା ଭଳି ରୋଜଗାର ଭିତ୍ତିକ ଯୋଜନା ପାଇଁ ଅଧିକ ଅର୍ଥ ଯୋଗାଯିବ ବୋଲି କେନ୍ଦ୍ର ସରକାର ସ୍ପଷ୍ଟ କରିଛନ୍ତି । ଏମ୍‍ଜିନରେଗାରେ ଅର୍ଥ କାଟ୍‍ ହେବନାହିଁ ବୋଲି କେନ୍ଦ୍ର ସରକାର କହିବା ସହିତ ପ୍ରବାସୀ ଶ୍ରମିକଙ୍କ ସଂଖ୍ୟା ବୃଦ୍ଧିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରମାନଙ୍କୁ ଏହି ଯୋଜନାରେ ଆଗୁଆ ଭାବେ ୫୦୦ କୋଟି ଟଙ୍କା ଖର୍ଚ୍ଚ କରିବାର ଅନୁମତି ପ୍ରଦାନ କରିଛନ୍ତି । ଇତି ମଧ୍ୟରେ କେନ୍ଦ୍ର ସରକାର ୨୦୨୦-୨୧ ଆର୍ଥିକ ବର୍ଷରେ ଏମ୍‍ଜିନରେଗା ପାଣ୍ଠିକୁ ୧,୦୧,୫୦୦ କୋଟି ଟଙ୍କାକୁ ବୃଦ୍ଧି କରିଛନ୍ତି । ଚଳିତ ବଜେଟ୍‍ରେ ଏହା ୬୧,୫୦୦ କୋଟି ଟଙ୍କା ଥିଲା । ଯୋଜନାରେ ୪୦ହଜାର କୋଟି ଟଙ୍କା ବୃଦ୍ଧି ପାଇଥିବାରୁ ଓଡିଶା ସରକାର ବଜେଟ୍‍ ବରାଦ ବାଦ୍‍ ଆଉ ୨୦୦୦ କୋଟି ଟଙ୍କା ଅତିରିକ୍ତ ଭାବେ ପାଇବେ ବୋଲି ଆଶା ରଖିଛନ୍ତି । ଅନୁରୂପ ଭାବେ ଅନ୍ୟତମ ରୋଜଗାର ଭିତ୍ତିକ କେନ୍ଦ୍ରୀୟ ଯୋଜନା ଜିକେଆରଏ ମଧ୍ୟ ଅର୍ଥାଭାବ ଯୋଗୁଁ ପ୍ରଭାବିତ ହେବନାହିଁ ବୋଲି କେନ୍ଦ୍ର ସରକାର ପ୍ରତିଶ୍ରୁତି ଦେଇଛନ୍ତି । କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ସଚିବ ନଗେନ୍ଦ୍ର ନାଥ ସିହ୍ନା ସ୍ପଷ୍ଟ କରିଛନ୍ତି ଯେ ୬ଟି ରାଜ୍ୟର ୧୧୬ଟି ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ଏହି ଯୋଜନା ପାଇଁ ପର୍ଯ୍ୟାପ୍ତ ପାଣ୍ଠି ଯୋଗାଇ ଦିଆଯିବ । ଓଡିଶାର ୪ଟି ଜିଲ୍ଲା ଗଞ୍ଜାମ, ବଲାଙ୍ଗିର, ଭଦ୍ରକ ଓ ବାଲେଶ୍ୱର ଜିଲ୍ଲା ଏହି ତାଲିକାରେ ରହିଛି । ଜିକେଆରଏ ପାଇଁ ଜିଲ୍ଲା ଖଣିଜ ଫାଉଣ୍ଡେସନ (ଡିଏମ୍‍ଏଫ୍‍) ଅର୍ଥ ଥିବାରୁ ଏହି ଯୋଜନା ପାଇଁ ଅର୍ଥର ଅଭାବ ପରିଲକ୍ଷିତ ହେବନାହିଁ । କେନ୍ଦ୍ରୀୟ ସଚିବ ଶ୍ରୀ ସିହ୍ନା ଏହି ଯୋଜନାରେ ଅର୍ଥ ଯୋଗାଇବାପାଇଁ କହିବା ସହିତ ମିଶନ ମୋଡ୍‍ରେ ପ୍ରକଳ୍ପ ଗୁଡିକୁ ଗ୍ରହଣ ପାଇଁ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି । ଏହି ଯୋଜନାର ଅଗ୍ରଗତି ଜାଣିବାପାଇଁ କେନ୍ଦ୍ର ସରକାର କେନ୍ଦ୍ରୀୟ ନୋଡାଲ ଅଫିସର ନିଯୁକ୍ତ କରିଥିବାବେଳେ ସେମାନେ ନିୟମିତ ଭାବେ ରାଜ୍ୟ ସରକାରଙ୍କ ସହିତ ସମ୍ପର୍କରେ ଅଛନ୍ତି । ଇତି ମଧ୍ୟରେ ଖଣି ମନ୍ତ୍ରାଳୟ ଡିଏମ୍‍ଏଫ୍‍ ରୁ ଜିକେଆରଏକୁ ଅର୍ଥ ପ୍ରଦାନ ଲାଗି ରାଜ୍ୟ ସରକାରଙ୍କୁ କହିଛନ୍ତି । କେନ୍ଦ୍ର ଖଣି ସଚିବ ସୁଶିଲ କୁମାର କହିଛନ୍ତି ଯେ ଜିଲ୍ଲା ପ୍ରଶାସନ ନିକଟରେ ଡିଏମ୍‍ଏଫ୍‍ ପାଣ୍ଠି ରହିଥିବାବେଳେ ସେଥିରେ ଜିକେଆରଏ ଯୋଜନାରେ ନୂଆ ପ୍ରକଳ୍ପ କାର୍ଯ୍ୟକାରୀ କରାଯାଇ ପାରିବ । ଉଭୟ ଗ୍ରାମ୍ୟ ଉନ୍ନୟନ ଓ ଖଣି ମନ୍ତ୍ରାଳୟ ଜିକେଆରଏ ଯୋଜନାକୁ ତ୍ୱରାନ୍ୱିତ କରୁଥିବାବେଳେ ଏହାକୁ ମିଶନ ମୋଡ୍‍ରେ କାର୍ଯ୍ୟକାରୀ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁତ୍ୱଆରୋପ କରିଛନ୍ତି 

Comments