ନୂଆଦିଲ୍ଲୀ,୨୯ା୬ : ଚୀନ୍କୁ ତାରି ଭାଷାରେ ଜବାବ ଦେବା ପାଇଁ ଅଣ୍ଟା ଭିଡିଛି ଭାରତ । ଲଦାଖର ଗଲୱାନ ଭେଲିରେ ଚୀନ୍ର ପିଏଲ୍ଏ ସେନାକୁ ମୁହଁତୋଡ ଜବାବ ଦେବା ସହ ନିଜର ଭିତ୍ତିଭୂମି ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଜାରି ରଖିଛି ଭାରତୀୟ ସେନା । ତେବେ ଚୀନ୍ ଉପରେ ଭାରତ ଆଜି ଏକ ବଡ ଧରଣର ‘ଡିଜିଟାଲ ଷ୍ଟ୍ରାଇକ୍’ କରିଛି । ଟିକ୍ଟକ୍, ସେୟାରଇଟ୍ ସମେତ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଆପ୍କୁ ଭାରତ ନିଜ ଦେଶରେ ସମ୍ପୂର୍ଣ୍ଣ ରୂପେ ନିଷେଦ୍ଧ କରିଛି । ଟିକ୍ଟକ, ସେୟାର ଇଟ୍ ସମେତ ବିଭିନ୍ନ ଆପ୍ ମାଧ୍ୟମରେ ଚୀନ୍ର କମ୍ୟୁନିଷ୍ଟ ସରକାର ଭାରତୀୟ ବଜାରରୁ ବିପୁଳ ପରିମାଣରେ ରାଜସ୍ୱ ସଂଗ୍ରହ କରିଥାଏ । ଏହାସହିତ ଭାରତୀୟ ନାଗରିକଙ୍କୁ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମଧ୍ୟ ଚୀନ୍ ହାସଲ କରିଥାଏ । ଭାରତୀୟମାନଙ୍କ ମୋବାଇଲ ନମ୍ବର, ମେଲ୍ ଆଇଡି ଠାରୁ ଆରମ୍ଭ କରି ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହାସଲ କରିବା ପରେ ଚୀନ୍ ଷଡଯନ୍ତ୍ର ଜରିଆରେ ଭ୍ରମାତ୍ମକ ତଥ୍ୟ ମଧ୍ୟ ଆପ୍ ବ୍ୟବହାରକାରୀ ମାନଙ୍କ ମଧ୍ୟରେ ପ୍ରଚାର ପାଇଁ ସମର୍ଥ ହୋଇଥାଏ । ଭାରତର ଏଭଳି ଆଭିମୁଖ୍ୟ ଚୀନ୍ର ତଥାକଥିତ ଡିଜିଟାଲ ଅହଂକାର ଉପରେ ଏକ ଶକ୍ତ ଚାପୁଡା ବୋଲି ବିଚାର କରାଯାଉଛି । ଆଜି କେନ୍ଦ୍ର ସରକାରଙ୍କ ପକ୍ଷରୁ ଭାରତରେ ନିଷିଦ୍ଧ ହୋଇଥିବା ଆପ ଗୁଡିକ ମଧ୍ୟରେ ଟିକ୍ଟକ୍, ସେୟାର ଇଟ୍ ମଧ୍ୟରେ ରହିଛି ଜୁମ୍, ୟୁସି ବ୍ରାଉଜର, ଜେଣ୍ଡର, ୱେଇବୋ, ୟୁସି ନ୍ୟୁଜ, କ୍ଲବ ଫାକ୍ଟ୍ରି, ହେଲୋ, ନ୍ୟୁଜଡଗ, କାମ ସ୍କାନର, କ୍ଲିନ ମାଷ୍ଟର, ୱଣ୍ଡର ସିନେମା, ସ୍ୱିଟ୍ ସେଲଫି, ବିଗୋ ଲାଇଭ, ଏମଆଇ ଭିଡିଓ କଲ, ୱିମିଟ୍, ଭଲ୍ଟ ହାଇଡ୍, ଭିଗୋ ଭିଡିଓ, ବିଚାଟ୍, ବିଉଟଇପ୍ଲସ, କ୍ୱାଇ, ରୋମ୍ବି, ସେଇନ୍, ଫଟୋବାଣ୍ଡର, ଆପ୍ସ ବ୍ରାଉଜର, ଭିଭା ଭିଡିଓ, ଭାଇରସ କ୍ଲିନ୍ର, ମାଇ କମ୍ୟୁନିଟି, ଡିୟୁ ରେକର୍ଡର, ୟୁକାମ୍, ମାଇ ଷ୍ଟୋର, ଡିଞୁ ବ୍ରାଉଜର, କ୍ୟାଚ୍କ୍ଲିଅର, କ୍ୟୁକ୍ୟୁ ଲଞ୍ଚର, କ୍ୟୁକ୍ୟୁ ମ୍ୟୁଜିକ, କ୍ୟୁକ୍ୟୁ ପ୍ଲେୟାର, ବାଇଦୁ ମ୍ୟାପ୍, ବାଇଦୁ ଟ୍ରାନ୍ସଲେଟ୍, ୱଣ୍ଡର କ୍ୟାମେରା, ଇଏସ୍ ଫାଇଲ୍ ଏକ୍ସପ୍ଲୋରର, ମେଲ୍ ମାଷ୍ଟର, ମାଇ ଭିଡିଓ କଲ୍-ସାଓମି ଏବଂ ପାରାଲେ୍ ସ୍ପେସ୍ ଇତ୍ୟାଦି । ସରକାରଙ୍କ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ବିଭିନ୍ନ ଉତ୍ସରୁ ଏ ନେଇ ଅନେକ ଅଭିଯୋଗ ଗ୍ରହଣ କରିଛି । ଅନ୍ୟପଟେ ଚୀନ୍ରୁ ଭାରତକୁ ଆମଦାନୀ ହେଉଥିବା ବିଭିନ୍ନ ଦ୍ରବ୍ୟ ଉପରେ ଖୁବ୍ଶୀଘ୍ର କଟକଣା ଲାଗାଇବା ପାଇଁ କେନ୍ଦ୍ର ସରକାର ବିଚାର କରୁଥିବା ଅନ୍ୟଏକ ବିଶ୍ୱସ୍ତ ସୂତ୍ରରୁ ଜଣାପଡିଛି । ଭାରତୀୟ ବଜାରରୁ ଚୀନ୍ ବାର୍ଷିକ ୭୦ ବିଲିଅନ୍ ଡଲାରରୁ ଅଧିକ ଅର୍ଥ ସଂଗ୍ରହ କରିଥାଏ । ସେହିପରି ଭାରତୀୟ ବଜାରକୁ କରାୟତ କରିବା ସହ ଭାରତର ଦେଶୀୟ, ଏମ୍ଏସ୍ଏମ୍ଇ ଓ ଅନ୍ୟାନ୍ୟ କମ୍ପାନୀ ଗୁଡିକୁ ପ୍ରତିଦ୍ୱନ୍ଦ୍ୱିତାରୁ ହଟାଇବା ପାଇଁ ଚୀନ୍ କେତେକ ସାମଗ୍ରୀ କ୍ଷେତ୍ରରେ ଡମ୍ପିଂ ନୀତି ଗ୍ରହଣ କରିଥାଏ । ଏହି ଡମ୍ପିଂ ନୀତିର ଅର୍ଥ ହେଉଛି ଚୀନ୍ ନିଜ ଦେଶରେ ବିକ୍ରି ହେଉଥିବା ଦ୍ରବ୍ୟର ମୂଲ୍ୟ ଠାରୁ କମ୍ ଦରରେ ସାମଗ୍ରୀ ଭାରତୀୟ ବଜାରରେ ବିକ୍ରି କରିଥାଏ । ସେହିପରି କେତେକ କ୍ଷେତ୍ରରେ ଉତ୍ପାଦନ ଖର୍ଚ୍ଚ ଠାରୁ କମ୍ ମୂଲ୍ୟରେ ମଧ୍ୟ ସାମଗ୍ରୀ ଚୀନ୍ ଭାରତୀୟ ବଜାରରେ ବିକ୍ରି କରିଥାଏ । ଚୀନ୍ର ଏହି ନୀତି ଯୋଗୁ ପ୍ରତିଯୋଗିତା ମୂଳକ ବଜାରରେ ଭାରତର ସ୍ୱଦେଶୀ କମ୍ପାନୀମାନେ ତିଷ୍ଟିବା କାଠିଗର ପାଠ ହୋଇଥାଏ । ତେବେ ଚୀନ୍କୁ ହାତରେ ନ ମାରି ଭାତରେ ମାରିବା ପାଇଁ ଭାରତର ଏଭଳି ରଣନୀତି ସାମୟିକ ପାଇଁ ଭାରତୀୟଙ୍କୁ ଅସୁବିଧାରେ ପକାଇପାରେ, ମାତ୍ର ପରବର୍ତ୍ତୀ ସମୟରେ ଏହା ଭାରତୀୟଙ୍କ ପାଇଁ ଦୀର୍ଘକାଳୀନ ଫାଇଦା ଆଣିଥାଏ ଏବଂ ରାଷ୍ଟ୍ରକୁ ମଧ୍ୟ ସାମୟିକ ଦୃଷ୍ଟିକୋଣରୁ ସଶକ୍ତ କରିଥାଏ
Comments
Post a Comment