୮ ଗୋରୁ ବୋଝେଇ ଗାଡ଼ି ଜବତ



ଖଣ୍ଡପଡା,୨୭ା୬: ଗତ କାଲି ୮ଟି ଗୋରୁ ବୋଝେଇ ଗାଡ଼ି ଜବତ ହୋଇଥିବାବେଳେ ସମସ୍ତ ୮୮ ଗୋରୁକୁ ଗୋଶାଳାକୁ ନିଆଯାଇଛି । ସେଥିମଧ୍ୟରୁ ୨ଟି ଗୋରୁର ମୃତ୍ୟୁ ହୋଇଥିବାବେଳେ ୭ ଅସୁସ୍ଥ ଥିବା ଜଣାପଡ଼ିଛି । ସୂଚନା ଅନୁଯାୟୀ ଦୀର୍ଘବର୍ଷ ଧରି ଖଣ୍ଡପଡ଼ା, ଗଣିଆ ଓ ଦଶପଲ୍ଲା ଅଞ୍ଚଳରୁ ପଶ୍ଚିମବଙ୍ଗର କଲିକତା ଅଞ୍ଚଳକୁ ଟ୍ରକ୍ ଯୋଗେ ଗୋ ଚାଲାଣ ହେଉଥିବା ନେଇ ପ୍ରଶାସନ ନିକଟରେ ଅଭିଯୋଗ ହୋଇ ଆସୁଥିଲା । ବିଳମ୍ବରେ ହେଉ ପଛେ ଗତ ୨୫ ତାରିଖ ରାତିରେ ଖଣ୍ଡପଡ଼ା ଥାନା ଓ କଣ୍ଟିଲୋ ଫାଣ୍ଡି ପୁଲିସ ମିଳିତ ଭାବେ ଚଢ଼ଉ କରି ବାଣପୁର ଗ୍ରାମ ନିକଟରୁ ଗୋରୁ ବୋଝେଇ ୭ଟି ଟ୍ରକ୍ ଓ ଗୋଟିଏ ପିକ୍‌ଅପ୍ ଭ୍ୟାନ୍‌କୁ ଜବତ କରିବାରେ ସକ୍ଷମ ହୋଇଥିଲେ । ଉକ୍ତ ଗାଡ଼ିରୁ ୮୮ଟି ଗୋରୁକୁ ପୁଲିସ ଉଦ୍ଧାର କରିଥିବା ବେଳେ ବିଳମ୍ବିତ ରାତିର ସୁଯୋଗ ନେଇ ଗାଡ଼ି ଚାଳକ ଓ ହେଲପରମାନେ ଘଟଣାସ୍ଥଳରେ ଟ୍ରକ୍‌ଗୁଡ଼ିକୁ ଛାଡ଼ି ଫେରାର ହୋଇଯାଇଥିଲେ । ତେବେ ପୁଲିସ ୨ଜଣଙ୍କୁ ଗିରଫ କରି ଖଣ୍ଡପଡ଼ା ଥାନାରେ ଏ ସମ୍ପର୍କରେ ମାମଲା ରୁଜୁ କରିଥିବା ଜଣାଯାଇଛି । ପୁଲିସ ଦ୍ୱାରା ଉଦ୍ଧାର ସମସ୍ତ ଗୋରୁଙ୍କୁ ଖଣ୍ଡପଡ଼ା ବ୍ଲକ୍‌ର କିଆଝର ପଞ୍ଚାୟତ ଅଧୀନ ଗିରିଡ଼ିପଲ୍ଲୀସ୍ଥିତ ଜୀବ ବିକାଶ ପରିଷଦର ଗୋଶାଳାକୁ ପଠାଇ ଦିଆଯାଇଥିବା ଜଣାପଡ଼ିଛି । ତେବେ ଗୋଶାଳାରେ ପହଞ୍ଚିବା ପୂର୍ବରୁ ୨ଟି ଗୋରୁଙ୍କର ମୃତ୍ୟୁ ହୋଇଥିବା ବେଳେ ୭ଟି ଗୋରୁ ଏବେ ସମ୍ପୂର୍ଣ୍ଣ ଅସୁସ୍ଥ ଥିବା ନେଇ ଗୋଶାଳାର ମୁଖ୍ୟ ପରିଚାଳକ ଦୁର୍ଯ୍ୟୋଧନ ପରିଡ଼ାଙ୍କଠାରୁ ପ୍ରକାଶ । ତେବେ ଖବର ପାଇ ଖଣ୍ଡପଡ଼ା ପ୍ରାଣୀ ଚିକିତ୍ସାଧିକାରୀ ରମେଶ ଚନ୍ଦ୍ର ବେହେରା ଓ ସହଯୋଗୀମାନେ ଗୋ ଶାଳାରେ ପହଞ୍ଚି ସମସ୍ତ ଗାଈଗୋରୁଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ ଆବଶ୍ୟକୀୟ ଚିକିତ୍ସା କରିଥିବା ଜଣାଯାଇଛି । ତେବେ ଉକ୍ତ ଗୋ ଚାଲାଣ ର‌୍ୟାକେଟ୍‌ରେ ବାଣପୁର ଓ ଏହାର ଆଖପାଖ ଅଞ୍ଚଳର କେତେକ ଅସାମାଜିକ ବ୍ୟକ୍ତିଙ୍କ ପ୍ରଚ୍ଛନ୍ନ ହାତ ଥିବା ନେଇ ସାଧାରଣରେ ଚର୍ଚ୍ଚା ଜୋର ଧରଛି । ତେବେ ଗୋ ଚାଲାଣ ର‌୍ୟାକେଟ୍‌ରେ ସଂପୃକ୍ତ ଥିବା ବ୍ୟକ୍ତି ବିଶେଷଙ୍କୁ ତୁରନ୍ତ ଗିରଫ କରି ସେମାନଙ୍କ ବିରୋଧରେ ଆଇନ ଅନୁଯାୟୀ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବୁଦ୍ଧିଜୀବୀ ମହଲରୁ ଦାବି ହେଉଛି । ଏଥିପ୍ରତି ନୟାଗଡ଼ ଜିଲ୍ଲାପାଳ ଓ ଏସ୍‌ପି ଦୃଷ୍ଟି ଦେବାକୁ ଦାବି ହେଉଛି ।

Comments