ଭୁବନେଶ୍ୱର,୧୬/୦୩:- ବିଦେଶୀ ଭାଷାର ଶବ୍ଦ ଗୁଡିକ ପ୍ରଚଳନର ବୃଦ୍ଧି ଯୋଗୁଁ ଅନେକ ଭାରତୀୟ ଭାଷା ଓ ବୋଲି ବିଲୁପ୍ତ ହୋଇ ଯାଉଛି ଏବଂ ଅନେକଙ୍କର ଅସ୍ତିତ୍ୱ ଆଜି ସଂକଟରେ । ଓଡିଶାରେ ଥିବା ଭାଷା ଓ ବୋଲିର ସଂରକ୍ଷଣ ଓ ସମ୍ବର୍ଦ୍ଧନ ପାଇଁ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ କାର୍ଯ୍ୟ କରିବ ବୋଲି ସଂଘର ଓଡିଶା ପୂର୍ବ ପ୍ରାନ୍ତର ପ୍ରାନ୍ତ ସଂଘଚାଳକ ଶ୍ରୀ ସମୀର କୁମାର ମହାନ୍ତି ପ୍ରକାଶ କରିଛନ୍ତି ।
ଭୁବନେଶ୍ୱର ଠାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ବିଷୟ ପ୍ରକାଶ କରି ଶ୍ରୀ ମହାନ୍ତି କହିଲେ ଯେ, ଗତ ମାର୍ଚ୍ଚ ୯ ତାରିଖରୁ ୧୧ ତାରିଖ ପର୍ଯ୍ୟନ୍ତ ନାଗପୁର ଠାରେ ଅନୁଷ୍ଠିତ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଅଖିଳ ଭାରତୀୟ ପ୍ରତିନିଧି ସଭାରେ ଏଥିପାଇଁ ଉଦ୍ବେଗ ପ୍ରକାଶ କରାଯାଇଛି ।
ଅଖିଳ ଭାରତୀୟ ପ୍ରତିନିଧି ସଭା ଏହା ବିଚାର କରୁଛି ଯେ, ବିବିଧ ଭାଷା ଓ ବୋଲିର ସଂରକ୍ଷଣ ତଥା ସମ୍ବର୍ଦ୍ଧନ ଲାଗି ବିଭିନ୍ନ ସରକାର, ଅନ୍ୟ ନୀତି ନିର୍ଦ୍ଧାରକ ସଂସ୍ଥା, ସ୍ୱୟଂସେବୀ ସଂଗଠନ ଓ ଆମ ସମାଜ ସମସ୍ତ ପ୍ରକାର ପ୍ରୟାସ କରିବା ଉଚିତ । ଏଥିଲାଗି ସାରା ଦେଶରେ ପ୍ରାଥମିକ ଶିକ୍ଷା ମାତୃଭାଷା ଓ ଅନ୍ୟ ଭାରତୀୟ ଭାଷାରେ ହେବା ଉଚିତ । ପ୍ରଯୁକ୍ତି, ଆୟୁର୍ବିଜ୍ଞାନ ସହ ଉଚ୍ଚଶିକ୍ଷାର ସମସ୍ତ ବିଭାଗରେ ଶିକ୍ଷଣ, ପାଠ୍ୟ ସାମଗ୍ରୀ ତଥା ପରୀକ୍ଷାର ବିକଳ୍ପ ଭାରତୀୟ ଭାଷାରେ ହେବା ଆବଶ୍ୟକ । ରାଷ୍ଟୟ ଯୋଗ୍ୟତା ଏବଂ ପ୍ରବେଶିକା ପରୀକ୍ଷା (ନିଟ୍) ଏବଂ କେନ୍ଦ୍ରୀୟ ଲୋକସେବା ଆୟୋଗ (ୟୁପିଏସ୍ସି) ପରୀକ୍ଷା ଭାରତୀୟ ଭାଷାରେ ପ୍ରାରମ୍ଭ ହେବା ସ୍ୱାଗତ ଯୋଗ୍ୟ । ଏହା ସହିତ ଅନ୍ୟ ପ୍ରବେଶିକା ଏବଂ ପ୍ରତିଯୋଗିତା ମୂଳକ ପରୀକ୍ଷା, ଯେଉଁଠି ଭାରତୀୟ ଭାଷାର ବିକଳ୍ପ ଆରମ୍ଭ ହୋଇ ନାହିଁ, ସେଥିରେ ମଧ୍ୟ ଏପରି ପ୍ରୟୋଗ ଶୀଘ୍ର ଆରମ୍ଭ କରାଯିବା ଆବଶ୍ୟକ । ସମସ୍ତ ପ୍ରଶାସନିକ ଏବଂ ନ୍ୟାୟିକ କାର୍ଯ୍ୟରେ ଭାରତୀୟ ଭାଷାକୁ ପ୍ରାଥମିକତା ଦିଆଯିବା ଉଚିତ୍ । ଏହା ସହିତ ପ୍ରଶାସନିକ ତଥା ଘରୋଇ କ୍ଷେତ୍ରରେ ନିଯୁକ୍ତି, ପଦୋନ୍ନତି ତଥା ସମସ୍ତ ପ୍ରକାର କାର୍ଯ୍ୟରେ ଇଂରାଜୀକୁ ପ୍ରାଥମିକତା ନଦେଇ ଭାରତୀୟ ଭାଷାକୁ ପ୍ରୋତ୍ସାହନ ଦେବା ଉଚିତ୍ । ସ୍ୱୟଂସେବକ ତଥା ସମସ୍ତ ସମାଜ ନିଜ ପାରିବାରିକ ଜୀବନରେ ବାର୍ତ୍ତାଳାପ ତଥା ଦୈନନ୍ଦିନ ବ୍ୟବହାରରେ ମାତୃଭାଷାକୁ ପ୍ରାଥମିକତା ଦେବା ଉଚିତ୍ । ଏହି ଭାଷା ତଥା ବୋଲିର ସାହିତ୍ୟ-ସଂଗ୍ରହ, ପଠନ-ପାଠନର ପରମ୍ପରାର ବିକାଶ ହେବା ଉଚିତ୍ । ଏହା ସହିତ ଏସବୁ ଭାଷାର ନାଟକ, ସଂଗୀତ, ଲୋକକଳା ଆଦିକୁ ବି ପ୍ରୋତ୍ସାହନ ଦିଆଯିବା ଆବଶ୍ୟକ । ପାରମ୍ପରିକ ଭାବେ ଭାରତରେ ଭାଷା, ସମାଜକୁ ଯୋଡିବାର ମାଧ୍ୟମ ଭାବେ କାମ କରି ଆସୁଛି । ତେଣୁ ସମସ୍ତଙ୍କୁ ନିଜ ମାତୃଭାଷାର ସ୍ୱାଭିମାନ ରଖିବା ସହିତ ଅନ୍ୟ ସମସ୍ତ ଭାରତୀୟ ଭାଷା ପ୍ରତି ସମ୍ମାନର ଭାବ ରଖିବା ଉଚିତ । କେନ୍ଦ୍ର ଓ ସମସ୍ତ ରାଜ୍ୟ ସରକାର ଭାରତୀୟ ଭାଷା, ବୋଲି ତଥା ଲିପି ଗୁଡିକର ସଂରକ୍ଷଣ ଓ ସମ୍ବର୍ଦ୍ଧନ ଲାଗି ପ୍ରଭାବୀ ପ୍ରୟାସ କରିବା ଉଚିତ ।
ଏହି ପ୍ରତିନିଧି ସଭାରେ ୧୫୦୦ ପ୍ରତିନିଧି ଓ କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ । ସେମାନଙ୍କ ଦ୍ୱାରା ଶ୍ରୀଯୁକ୍ତ ସୁରେଶ (ଭାୟାଜୀ) ଯୋଷୀ ପୂର୍ନବାର ୩ ବର୍ଷ ପାଇଁ ସରକାର୍ଯ୍ୟବାହ (ଅଖିଳ ଭାରତୀୟ ସଂପାଦକ) ରୂପେ ନିର୍ବାଚିତ ହୋଇଛନ୍ତି । ଏଥିରେ ସଂଘର ଗତ ତିିନିବର୍ଷ କାର୍ଯ୍ୟର ସମୀକ୍ଷା କରାଯାଇଥିଲା ଏବଂ ଆଗାମୀ ତିନିବର୍ଷ ପାଇଁ କାର୍ଯ୍ୟବୃଦ୍ଧିର ଯୋଜନା କରାଯାଇଥିଲା ।
ବୈଠକରେ ଆସିଥିବା ତଥ୍ୟ ଅନୁଯାୟୀ ସମଗ୍ର ଦେଶରେ ଚଳିତ ବର୍ଷ ସଂଘର ୮୩,୧୫୦ ଶାଖା ଚାଲୁଅଛି ଯାହାକି ଗତବର୍ଷ ଠାରୁ ତିନି ହଜାର ଅଧିକ । ଓଡିଶାରେ ୨୬୮୦ ଶାଖା ଚାଲୁଅଛି ଯାହାକି ଗତବର୍ଷ ଠାରୁ ୬୦୦ ଅଧିକ । ଚଳିତ ବର୍ଷ ଭାରତରେ ୧ଲକ୍ଷ ୨୦ ହଜାର ସ୍ୱୟଂସେବକମାନଙ୍କୁ ବିଭିନ୍ନ ପ୍ରଶିକ୍ଷଣ ଦିଆଯାଇଛି । ଓଡିଶାରେ ଏହି ସଂଖ୍ୟା ୩,୫୦୦ । ସମଗ୍ର ଦେଶରେ ୧ଲକ୍ଷ ୫୨ ହଜାର ଛୋଟବଡ ସେବ ପ୍ରକଳ୍ପ ଚାଲୁଛି, ଓଡିଶାରେ ଏହାର ସଂଖ୍ୟା ୩,୩୦୦ । ଗତ ୨୦୧୦ ମସିହାରୁ ସଂଘ କାର୍ଯ୍ୟ ନିରନ୍ତର ଭାବେ ବଢି ଚାଲିଛି । ଆଗାମୀ ତିନି ବର୍ଷରେ ଏହି କାର୍ଯ୍ୟକୁ ଆହୁରି ବଢାଇବା ପାଇଁ ଯୋଜନା କରାଯାଇଛି । ଏହି ବୈଠକରେ ଓଡିଶାରୁ ୪୫ ଜଣ ପ୍ରତିନିଧି ଯୋଗ ଦେଇଥିଲେ ବୋଲି ଶ୍ରୀ ମହାନ୍ତି ପ୍ରକାଶ କରିଛନ୍ତି ।
ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ସଂଘର ଓଡିଶା ପୂର୍ବ ପ୍ରାନ୍ତର ପୁରୀ ବିଭାଗ ସଂଘଚାଳକ ଶ୍ରୀ ବୈକୁଣ୍ଠନାଥ ସାହୁ ଓ ବିଶ୍ୱ ସମ୍ବାଦ କେନ୍ଦ୍ର ସଦସ୍ୟ ଶ୍ରୀ ପ୍ରକାଶ ଚନ୍ଦ୍ର ପୃଷ୍ଟି ଉପସ୍ଥିତ ଥିଲେ ।
Comments
Post a Comment