ବାଲେଶ୍ୱର- ୨୧/୩ : ଆସନ୍ତା ରାମନବମୀ ଉତ୍ସବ କିପରି ଶାନ୍ତି ଶୃଙ୍ଖଳାର ସହ ପାଳନ କରାଯିବ ସେ ନେଇ ଏକ ଶାନ୍ତି କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ରମେଶ ଚନ୍ଦ୍ର ରାଉତଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା । ପ୍ରାରମ୍ଭରେ ଜିଲ୍ଲାପାଳ ନୂତନ ଭାବେ ଯୋଗ ଦେଇଥିବା ଆରକ୍ଷୀ ଅଧିକ୍ଷକ ଡି. ଯୁଗଳ କିଶୋର କୁମାରଙ୍କୁ ଜନସାଧାରଣଙ୍କ ସହ ପରିଚିତ କରାଇବା ସହ ତାଙ୍କ ଦାୟିତ୍ୱ ଗ୍ରହଣକୁ ସ୍ୱାଗତ ଜଣାଇଥିଲେ । ପରେ ଆଲୋଚନାକୁ ଆଗେଇ ନେଇ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସୁବାଷ ନିଆଲ ଶ୍ରୀରାମ ନବମୀ ପାଳନ କମିଟି କି ଧରଣର କାର୍ଯ୍ୟକ୍ରମ ଚଳିତ ବର୍ଷ ପାଇଁ ପ୍ରସ୍ତୁତ କରିଛନ୍ତି ସେ ସମ୍ପର୍କରେ ଗୃହକୁ ଅବଗତ କରିବା ପାଇଁ ଆହ୍ୱାନ ଜଣାଇଥିଲେ । କମିଟିର ପ୍ରସ୍ତାବ ମୁତାବକ ପୂର୍ବବର୍ଷ ଭଳି ୨୪ତାରିଖ ଅପରାହ୍ନ ୩ ଘଟିକା ସମୟରେ ସ୍ଥାନୀୟ ପରମିଟ ପଡିଆ ଠାରୁ ଏକ ମୋଟର ସାଇକେଲ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିବା ସହ ପୁଣି ପରମିଟ ପଡିଆରେ ପହଂଚିବେ । ଏଥିରେ ପ୍ରାୟ ୨ହଜାର ମୋଟର ସାଇକେଲ ସାମିଲ ହେବେ । ତେବେ ରାଲି ଚଳିତ ଥର କେତେକ ନୂଆ ରୁଟ୍ରେ ଯିବା ପ୍ରସ୍ତାବ ଉପରେ ପୋଲିସ ଅରାଜି ହେବାରୁ ସେ ନେଇ ପୋଲିସ ଓ କମିଟି ଆଲୋଚନା କରି ନୂଆ ସିଦ୍ଧାନ୍ତ ଗ୍ରହଣ କରିବାକୁ କୁହାଯାଇଛି । ତା ପରଦିନ ସକାଳ ୮ଘଟିକା ଠାରୁ ପଦଯାତ୍ରା କରାଯିବ । ତେବେ ରାଲି ଏବଂ ପଦଯାତ୍ରା ବେଳେ କୌଣସି ରାଜନୈତିକ ତଥା ଉତେଜକ ସ୍ଲୋଗାନ ଉପରେ ପୋଲିସ କଟକଣା ଜାରି କରିଛି । ସେହିପରି କୌଣସି ବ୍ୟକ୍ତି ନିଜ ସହ ନଡିଆ ନେଇ ରାଲି କିମ୍ବା ପଦଯାତ୍ରାରେ ସାମିଲ ହୋଇ ପାରିବେ ନାହିଁ । ଏହି ସମୟରେ ଉଚ୍ଚ ଶବ୍ଦଯୁକ୍ତ ଡାକବାଜି ଯନ୍ତ୍ର ବ୍ୟବହାର କରାଯିବ ନାହିଁ । ପ୍ରତ୍ୟେକ ଛକମାନଙ୍କରେ ପାଳନ କମିଟି ତରଫରୁ ସ୍ୱେଚ୍ଛାସେବୀ ମୁତୟନ କରାଯାଇ ଯାନବାହାନ ଯାତାୟତ ଶୃଙ୍ଖଳିତ କରାଯିବା ସହ କୌଣସି ପ୍ରକାର ଅସାମାଜିକ କାର୍ଯ୍ୟରେ ଲିପ୍ତ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇ ଆଇନଶୃଙ୍ଖଳା ବଜାୟ ରଖିବାକୁ ପୋଲିକୁ ସହଯୋଗ କରିବାକୁ କୁହାଯାଇଛି । ସେହିପରି ରାମନବମୀ ଦିନ ସହରରେ ମଦ ଦୋକାନ ବନ୍ଦ କରିବାକୁ କମିଟି ପ୍ରସ୍ତାବ ଦେଇଥିଲେ । ତେବେ ଜିଲ୍ଲାପାଳ ନିୟମ ଅନୁଯାୟୀ ତା ଉପରେ ବିଚାର କରି ପଦକ୍ଷେପ ନେବାକୁ ପ୍ରତିଶ୍ରୁତି ଦେଇଥିଲେ । ତା ଛଡା ବୈଠକରେ ଆଲୋଚନା କରାଯାଇଥିବା ନିର୍ଦ୍ଧାରିତ ବିଷୟଗୁଡିକରୁ ବିଚ୍ୟୁତ ହୋଇ କୌଣସି ପ୍ରକାର ଅଭାବନୀୟ କାଣ୍ଡ ଯେପରି କୌଣସି ବ୍ୟକ୍ତି ନ ଘଟାନ୍ତି ସେଥିପ୍ରତି କମିଟି ମଧ୍ୟ ସଜାଗ ଦୃଷ୍ଟି ଦେବାକୁ ଚେତାଇ ଦେଇଥିଲେ । ସହରରେ ଶାନ୍ତି ଶୃଙ୍ଖଳା ସହ ଯେପରି ରାମ ନବମୀ ପାଳନ ହେବ ସେଥିପାଇଁ ସବୁ ସମ୍ପ୍ରଦାୟର ଲୋକେ ସହଯୋଗ କରିବାକୁ ବୈଠକରେ ପ୍ରତିଶ୍ରୁତି ଦେଇଥିଲେ । ଏହି ଅବସରରେ ରାଲି ଓ ପଦଯାତ୍ରା ଆୟୋଜିତ ହେବାକୁ ଥିବା ବେଳେ ପ୍ରସ୍ତାବିତ ରାସ୍ତାରେ ରହିଥିବା ବାଲି, ଚିପ୍ସ୍ ଭଳି ନିର୍ମାଣ ସାମଗ୍ରୀଗୁଡିକୁ ତୁରନ୍ତ ଅପସାରଣ କରିବାକୁ ପଦକ୍ଷେପ ନେବାକୁ ଜିଲ୍ଲାପାଳ ଉପଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି
Comments
Post a Comment