ସଂପୂର୍ଣ୍ଣ ଭାରତବର୍ଷରେ ରାମନବମୀ ହିନ୍ଦୁ ଧର୍ମାବଲମ୍ବୀଙ୍କ ପାଇଁ ଏକ ପ୍ରମୁଖ ଉତ୍ସବ ହୋଇଥିବାବେଳେ ଏହି ଉତ୍ସବକୁ ନେଇ ରାଉରକେଲାରେ ମଧ୍ୟ ସ୍ୱତନ୍ତ୍ର ପରିଚୟ ରହିଛି । ହେଲେ ରାମନବମୀ ଆଖଡ଼ା ଶୋଭାଯାତ୍ରାକୁ ସନ୍ଧ୍ୟାରେ ନ କରିବା ପାଇଁ ପ୍ରଶାସନ ପକ୍ଷରୁ ହୋଇଥିବା ନିଷ୍ପତିକୁ ନେଇ ଅନେକ ଆଖଡ଼ା କମିଟି ଓ ଅସଂଖ୍ୟ ଶ୍ରଦ୍ଧାଳୁ
ଦୁଃଖ ପ୍ରକାଶ କରିଥିବାବେଳେ ଏ ପ୍ରସଙ୍ଗରେ ଗଭୀର ଉଦ୍ବେଗ ପ୍ରକାଶ କରିଛନ୍ତି ବିଶ୍ୱହିନ୍ଦୁ ପରିଷଦର ବରିଷ୍ଠ କାର୍ଯ୍ୟକର୍ତା ତଥା ଧର୍ମ ପ୍ରସାର ପ୍ରାନ୍ତ ସମ୍ପାଦକ ଶାନ୍ତନୁ କୁସୁମ । ଶ୍ରୀ କୁସୁମ ପ୍ରଶାସନର ଏ ପ୍ରକାର ନିଷ୍ପତିକୁ ନାପସନ୍ଦ କରିବା ସହିତ ଉତ୍ସବ ପାଳନରେ ମାତ୍ରାଧିକ ପ୍ରଶାସନିକ କଟକଣା ଗଣତନ୍ତ୍ରର ବିରୁଦ୍ଧାଚରଣ ଅଟେ ବୋଲି ମତବ୍ୟକ୍ତ
କରିଛନ୍ତି । ଶ୍ରୀ କୁସୁମ ଏହି ପରିପ୍ରେକ୍ଷୀରେ ଏକ ପ୍ରେସ୍ ବିବୃତିରେ କହିଛନ୍ତି ଯେ ଭାରତ ଏକ ସର୍ବ ବୃହତ ଗଣତନ୍ତ୍ର ରାଷ୍ଟ୍ର ହୋଇଥିବା ବେଳେ ଏଠାରେ ନିଜ ଇଚ୍ଛାନୁସାରେ ନିଜ ସଂସ୍କୃତି ଓ ପରମ୍ପରାକୁ ପାଳନ କରିବା ପାଇଁ ସମ୍ବିଧାନ ସ୍ୱୀକୃତି ଓ ଅଧିକାର ଦେଇଛି । ତେଣୁ ଅନେକ ମୌଳିକ ଅଧିକାର ଭିତରେ ଧର୍ମ ସ୍ୱତନ୍ତ୍ରତା ମଧ୍ୟ ସମ୍ବିଧାନର ଏକ ପ୍ରମୁଖଅଧିକାର । ହେଲେ ଆଇନ ଶୃଙ୍ଖଳାର ଦ୍ୱାହି ଦେଇ ପିଢି ପରେ ପିଢି ଧରି ଚାଲିଆସୁଥିବା ପରମ୍ପରାକୁ ଭାଙ୍ଗିଦେବା ଗଣତନ୍ତ୍ରର ବିରୁଦ୍ଧାଚରଣ ନୁହେଁ କି ବୋଲି ଶ୍ରୀ କୁସୁମ ପ୍ରଶ୍ନ କରିଛନ୍ତି । କିଛି ହାତ ଗଣତି ଅସାଧୁ ବ୍ୟକ୍ତି ଉଦ୍ଦେଶ୍ୟମୂଳକ ଭାବରେ ବିଶୃଙ୍ଖଳା ସୃଷ୍ଟି କରି ଉତ୍ସବକୁ ଭଣ୍ଡୁର କରିବା ପାଇଁ ଚେଷ୍ଟା କରୁଥିବାବେଳେ ବିଶୃଙ୍ଖଳାକାରୀଙ୍କ
ପାଖରେ ପ୍ରଶାସନ ନଇଁଯିବା ଦୁର୍ଭାଗ୍ୟଜନକ ବୋଲି ଶ୍ରୀ କୁସୁମ ମତବ୍ୟକ୍ତ କରିଛନ୍ତି । ରାମ ନବମୀ ଆସୁରିକ ଶକ୍ତିକୁ ବିନାଶ କରି ଧର୍ମର ସ୍ଥାପନାର ପର୍ବ ହୋଇଥିବା ବେଳେ ଚଳିତ ବର୍ଷ ରାମନବମୀରେ ଆସୁରିକ ଶକ୍ତି ତଥା ବିଶୃଙ୍ଖଳାକାରୀଙ୍କ ବିଜୟ ହୋଇଛି ବୋଲି ସେ କଡ଼ା ଆକ୍ଷେପ କରିଛନ୍ତି । ତା’ଛଡ଼ା ରାମନବମୀ ଉତ୍ସବ ପାଳନକୁ ନେଇ ରାଜ୍ୟ ସରକାର ଭଦ୍ରକ ସହରରେ ଜାରି କରିଥିବା କଟକଣାକୁ ମଧ୍ୟ ସେ ଘୋର ସମାଲୋଚନା କରିବା ସହିତ ହିନ୍ଦୁସ୍ଥାନ ନାମରେ ପରିଚିତ ଭାରତରେ ହିନ୍ଦୁମାନଙ୍କ ବଂଚିବାର ଅଧିକାରକୁ ଛଡ଼େଇ ନିଆଯାଉଛି ବୋଲି ଶ୍ରୀ କୁସୁମ ମତବ୍ୟକ୍ତ କରିଛନ୍ତି ।
Comments
Post a Comment