
ହାଇଦ୍ରାବାଦ, ୧୬/୪ : ୨୦୦୭ରେ ହାଇଦ୍ରାବାଦ ମକ୍କା ମସଜିଦ୍ ବିସ୍ଫୋରଣ ମାମଲରେ ଆଜି ଆସିଛି ରାୟ । ଏନ୍ଆଇଏ୍ର ସ୍ୱତନ୍ତ୍ର ଅଦାଲତ ଏହା ଉପରେ ରାୟ ଶୁଣାଇଛନ୍ତି । ମାମଲାରେ ସ୍ୱାମୀ ଅସୀମାନନ୍ଦଙ୍କ ସମେତ ସମସ୍ତ ୫ ଅଭିଯୁକ୍ତଙ୍କୁ ଦୋଷମୁକ୍ତ କରିଛନ୍ତି ଅଦାଲତ । ୨୦୦୭ ମସିହା ମଇ ୧୮ ତାରିଖରେ ମକ୍କା ମସଜିଦ୍ ଉପରକୁ ଆକ୍ରମଣ ହୋଇଥିଲା । ଏଥିରେ ୯ ଜଣ ପ୍ରାଣ ହରାଇଥିବାବେଳେ ୫୮ ଜଣ ଆହତ ହୋଇଥିଲେ । ପ୍ରଥମେ ପୋଲିସ ମାମଲାର ତଦନ୍ତ କରିଥିଲା । କିନ୍ତୁ ପରବର୍ତୀ ସମୟରେ ମାମଲାର ତଦନ୍ତ ସିବିଆଇ ହାତକୁ ନେଇଥିଲା । ତେବେ ୨୦୧୧ରେ ସିବିଆଇ ରାଷ୍ଟ୍ରୀୟ ତଦନ୍ତ ଏଜେନ୍ସି (ଏନ୍ଆଇଏ)କୁ ମାମଲା ହସ୍ତାନ୍ତର କରିଥିଲା । ଏହି ମାମଲାରେ ସ୍ୱାମୀ ଅସୀମାନନ୍ଦଙ୍କ ସମେତ ମୋଟ୍ ୧୦ ଜଣଙ୍କୁ ଅଭିଯୁକ୍ତ ବୋଲି ଦର୍ଶାଯାଇଥିଲା । ସେମାନଙ୍କ ମଧ୍ୟରୁ କେବଳ ୫ ଜଣଙ୍କୁ ଗିରଫ କରାଯାଇ ସେମାନଙ୍କ ବିରୋଧରେ ମାମଲା ଦାୟର କରାଯାଇଥିଲା । ସେମାନେ ହେଲେ ଦେବେନ୍ଦ୍ର ଗୁପ୍ତ, ଲୋକେଶ ଶର୍ମା, ସ୍ୱାମୀ ଅସୀମାନନ୍ଦଓରଫ ନବ କୁମାର ସରକାର, ଭରତ ମୋହନଲାଲ ରାତେଶ୍ୱର ଓରଫ ଭରତ ଭାଇ ଏବଂ ରାଜେନ୍ଦ୍ର ଚୌଧୁରୀ । ଦୁଇ ଅଭିଯୁକ୍ତ ସ୍ୱାମୀ ଅସୀମାନନ୍ଦ ଓ ଭରତ ମୋହନଲାଲ ରାତେଶ୍ୱର ଜାମିନ ପାଇ ବାହାରି ଆସିଥିବାବେଳେ ଅନ୍ୟ ୩ ଜଣ ବିଚାର ବିଭାଗୀୟ ରିମାଣ୍ଡର ହାଇଦ୍ରାବାଦସ୍ଥିତ କେନ୍ଦ୍ରୀୟ କାରାଗାରରେ ଥିଲେ । ଅନ୍ୟ ୨ ଅଭିଯୁକ୍ତ ସନ୍ଦୀପ ଭି ଡାଙ୍ଗେ ଏବଂ ରାମଚନ୍ଦ୍ର କଲସାଙ୍ଗ୍ରା ଏବେ ବି ଫେରାର ଅଛନ୍ତି । ଅନ୍ୟ ଜଣେ ଅଭିଯୁକ୍ତ ସୁନିଲ ଯୋଶୀଙ୍କ ଦେହାନ୍ତ ହୋଇଯାଇଥିବାବେଳେ ଅନ୍ୟ ୨ ଅଭିଯୁକ୍ତ ବିରୋଧରେ ତଦନ୍ତ ଚାଲିଛି । ୪ର୍ଥ ଅତିରିକ୍ତ ମେଟ୍ରୋପଲିଟାନ୍ ସେସନ୍ ଅଦାଲତ ତଥା ଏନ୍ଆଇଏ ପାଇଁ ସ୍ୱତନ୍ତ୍ର ଅଦାଲତ ବିଚାର ଶେଷ କରି ଏପ୍ରିଲ୍ ୧୬ ତାରିଖ ଦିନ ରାୟ ଶୁଣାଇବାକୁ ଗତ ସପ୍ତାହରେ ଦିନ ଧାର୍ଯ୍ୟ କରିଥିଲେ । ସ୍ଥାନୀୟ ପୋଲିସ ଦ୍ୱାରା ପ୍ରାଥମିକ ତଦନ୍ତ କରାଯିବା ପରେ ମାମଲା ସିବିଆଇକୁ ହସ୍ତାନ୍ତର କରାଯାଇଥିଲା । ସିବିଆଇ ଚାର୍ଜସିଟ୍ ଫାଇଲ୍ କରିଥିଲା । ୨୦୧୧ରେ ସିବିଆଇ ଠାରୁ ଏହି ମାମଲା ଏନ୍ଆଇଏ ନେଇଥିଲା । ବିଚାର ସମୟରେ ସମୁଦାୟ ୨୨୬ ଜଣ ସାକ୍ଷୀଙ୍କୁ ପଚରା ଯାଇଥିଲା ଓ ୪୧୧ଟି ଦଲିଲ୍ ଦାଖଲ କରାଯାଇଥିଲା ।
Comments
Post a Comment