କଟକ, ୧୪/୪: ସ୍ଥାନୀୟ ହାଇକୋର୍ଟ ଛକସ୍ଥିତ ଡଃ ବି.ଆର. ଆମ୍ବେଦକରଙ୍କ ପ୍ରତିମୂର୍ତି ସମ୍ମୁଖରେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ, କଟକ ନଗର ପକ୍ଷରୁ ୧୨୭ତମ ଆମ୍ବେଦକର ଜୟନ୍ତୀ ପାଳିତ ହୋଇଯାଇଛି । ସଂଘର ପ୍ରାନ୍ତ ସମ୍ପର୍କ ପ୍ରମୁଖ ଆଇନଜୀବୀ ସର୍ବେଶ୍ୱର ବେହେରା ଏବଂ କଟକ ନଗର କାର୍ଯ୍ୟବାହ ବିପିନ ବିହାରୀ ରାଉତ ସମ୍ବିଧାନ ନିର୍ମାତା ଭାରତରତ୍ନ ଡଃ ଆମ୍ବେଦକରଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରିଥିଲେ । କଟକର ଶତାଧିକ ସ୍ୱୟଂ ସେବକ ସଂଘର ଗଣବେଷ ପିନ୍ଧି ଡଃ ଆମ୍ବେଦକରଙ୍କୁ ଶ୍ରଦ୍ଧାଳି ଜ୍ଞାପନ କରିଥିଲେ । ଆଇନଜୀବୀ ଶ୍ରୀ ବେହେରା ଡଃ ଆମ୍ବେଦକରଙ୍କ ସଂଘର୍ଷମୟ ଜୀବନ ଉପରେ ଆଲୋକପାତ କରି ତାଙ୍କର ଜନ୍ମ ଦିବସକୁ 'ସାମାଜିକ ସମରସତା ଦିବସ' ରୂପେ ପାଳନ କରିବାକୁ ଆହ୍ୱାନ ଦେଇଥିଲେ । ଅନ୍ୟତମ ବକ୍ତା ଶ୍ରୀ ରାଉତ ସାମାଜିକ ଏକତାର ପ୍ରତୀକ ଡଃ ଆମ୍ବେଦକରଙ୍କୁ ସଂଘ ନିଜ ପ୍ରାତଃ ସ୍ମରଣରେ ସ୍ଥାନ ଦେଇ ଅନେକ ଦିନରୁ ସମ୍ମାନିତ କରିଆସୁଛି ବୋଲି ଦର୍ଶାଇଥିଲେ । ଅପରାହ୍ଣରେ କଲେଜଛକସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଏହି ଉପଲକ୍ଷେ କଟକର ସାହି ବସ୍ତି ବାସିନ୍ଦା ନେଇ ସଂଘ ତରଫରୁ ଅନ୍ୟ ଏକ ଉତ୍ସବ ଅନୁଷ୍ଠିତ ହୋଇଥିଲା । ସାମାଜିକ ସମରସତା ନାମକ ଏହି ଉତ୍ସବରେ କୁଳମଣି ପ୍ରଧାନ ଭାଷଣ ଦେଇ ହିନ୍ଦୁ ସମାଜରୁ ଅସ୍ପୃଶ୍ୟତା ଦୂର କରିବାକୁ ଆହ୍ୱାନ ଦେଇଥିଲେ ।
Comments
Post a Comment