ଭାରତୀୟ ସାମ୍ବାଦିକତା: ସେବା,ସଂଘର୍ଷ ଓ ସମର୍ପଣର ପର୍ଯ୍ୟାୟ


       
                                                           -ଗୋଲଖ ଚନ୍ଦ୍ର ଦାସ
ଗଣତନ୍ତ୍ରରେ ଗଣମାଧ୍ୟମର  ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏକ ସୁସ୍ଥ ସମାଜ ଗଠନ ଦିଗରେ ସେମାନଙ୍କର ସହଯୋଗ ନିତ୍ୟାନ୍ତ ଆବଶ୍ୟକ । ଅସ୍ତ୍ର ଠାରୁ କଲମର ଶକ୍ତି ଅଧିକ ।  ଗଣମାଧ୍ୟମ, ଜନସାଧାରଣଙ୍କ ପାଇଁ ବରଦାନ ସଦୃଶ ଓ ଗଣଙ୍କର ସ୍ୱର । ସଂପ୍ରତି ମୁଦ୍ରଣ, ବୈଦ୍ୟୁତିକ ଏବଂ ସୋସିଆଲ ମିଡିଆ ଦ୍ୱାରା ଜନସଚେତନତା ବୃଦ୍ଧି ପାଇଛି ।  ବର୍ତ୍ତମାନ ସମୟରେ ଗଣମାଧ୍ୟମର ନିରପେକ୍ଷତା ଆମ ଦେଶ ପାଇଁ ଏକ ଶୁଭ ସଂକେତ ।  ପାଶ୍ଚାତ୍ୟ ଗଣମାଧ୍ୟମ ପୁଂଜିର ଦାସ ସାଜିଥିବା ବେଳେ ଏହାର ବିପରୀତ ହେଉଛି ଭାରତୀୟ ଗଣମାଧ୍ୟମ । ଭାରତୀୟ ଗଣ ମାଧ୍ୟମଜଗତ ସେବା,ସଂଘର୍ଷ ଓ ସମର୍ପଣର ପ୍ରତୀକ ।  ଜରୁରୀକାଳୀନ ପରିସ୍ଥିତି ସମୟରେ ବ୍ୟକ୍ତି ସ୍ୱାଧୀନତା ଉପରେ ଯେତେବେଳେ ପ୍ରତିବନ୍ଧକ ଲଗାଯାଇଥିଲା ସେ ସମୟରେ ଭାରତୀୟ ଗଣମାଧ୍ୟମ ଜଗତ ଗଣତନ୍ତ୍ର ରକ୍ଷାରେ କ୍ରାନ୍ତିକାରୀ ସାମାଜିକ ଆନ୍ଦୋଳନ ରୂପ ଧାରଣ କରିଥିଲା । ଭାରତର ସାଂସ୍କୃତିକ ବୈଭବ ଓ  ବିବିଧତାରେ ଭରପୁରୁ ଜନ ସଂସ୍କୃତିର ସର୍ବୋତୋମୁଖି ପ୍ରସାରରେ ଗଣମାଧ୍ୟମର ଅଦ୍ଭୁତ ପୂର୍ଣ୍ଣ ଯୋଗଦାନ ଦେଇଛି ।
ଗଣତାନ୍ତ୍ରକ ଆଲୋଚନା ଓ ଗଣମାଧ୍ୟମରେ ସ୍ୱାଧିନତା ସମ୍ବନ୍ଧରେ ସଚେତନତା ସୃଷ୍ଟି କରିବା,ଜନସାଧାରଣଙ୍କୁ ନିରପେକ୍ଷ,ମୁକ୍ତ ଓ ଦାୟିତ୍ୱ ସମ୍ପନ୍ନ ସଂବାଦ  ସଂସ୍ଥାର ଆବଶ୍ୟକତା ସଂପର୍କରେ ଅବଗତ କରାଇବା, ଯେ କୌଣସି ପ୍ରକାରର ନିୟନ୍ତ୍ରଣ,ବନ୍ଧନ ଓ ସ୍ୱାଧିନତା ହନନ ବିରୋଧରେ ଗଣମାଧ୍ୟମକୁ ସମର୍ଥନ ଯୋଗାଇବା,ରାଷ୍ଟ୍ର ଓ ସଂସ୍କୃତିର ପ୍ରଗତି ପାଇଁ ଲେଖନୀ ଚାଳନା କରୁଛନ୍ତି ଭାରତୀୟ ସାମ୍ବାଦିକ ଗଣ । ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଠାରୁ ଆରମ୍ଭ କରି ଡାକ୍ତର କେଶବ ବଳିରାମ ହେଡେଗେୱାର ପର୍ଯ୍ୟନ୍ତ  ଆମର ପୂର୍ବଜମାନେ ରାଷ୍ଟ୍ରୀୟ ଆଦର୍ଶ ସମ୍ବନ୍ଧରେ ସଚେତନ ଥିଲେ ଏବଂ ରାଷ୍ଟ୍ରୀୟ ସ୍ୱାଭିମାନର ଭାବ ସେମାନଙ୍କ ଭିତରେ ଜାଗ୍ରତ ଥିଲା । ସେମାନେ ନିଜର ଲେଖା ଏବଂ ଭାଷଣରେ  ଭାରତୀୟ ସଂସ୍କୃତି ଏବଂ ଦର୍ଶନର ଭୂୟସୀ ପ୍ରଶଂସା କରିଥିଲେ, ସେମାନେ ତାଙ୍କ ଲେଖା ମାଧ୍ୟମରେ ଭବିଷ୍ୟତର ସୂଚନା ଦେଇ ଯାଇଛନ୍ତି ଯେ ଭାରତୀୟ ସଂସ୍କୃତି ଏବଂ ଦର୍ଶନ ଆଧାର ଉପରେ ବିଶ୍ୱର ନେତୃତ୍ୱ କରାଯାଇ ପାରେ । ସେହି ସମୟରେ ସେମାନେ ଏପରି ଲେଖା ଲେଖିଥିଲେ ଯେ ଯାହାଦ୍ୱାରା ଲୋକମାନେ ପ୍ରଭାବିତ ହୋଇ ବିଦେଶୀ ବସ୍ତ୍ର ଜଳାଇ ଦେଇଥିଲେ । ଭାରତୀୟ ଗଣମାଧ୍ୟମ ସାହସ ପୂର୍ବକ ରାଷ୍ଟ୍ର ଜାଗରଣ  ପିଆଲାରୁ ଅନ୍ତିମ ବୁନ୍ଦା ପର୍ଯ୍ୟନ୍ତ ପାନ କରିଛି ସେହି ଗଣମାଧ୍ୟମ ବର୍ତ୍ତମାନର ମତାନ୍ଧ,ଉଗ୍ରପନ୍ଥୀଙ୍କ ଧମକରେ ଭୟଭୀତ କିମ୍ବା ଭ୍ରମିତ ନହୋଇ  ରାଷ୍ଟ୍ରର ସୁପ୍ତ ପୌରଷକୁ ଜାଗ୍ରତ କରି, ଭଗ୍ନ ସ୍ତୁପ ଭିତରୁ ରାଷ୍ଟ୍ରକୁ ଉଠାଇ ପୁଣି ଗୌରବର ଶିଖରରେ ପହଞ୍ଚାଇବାର କାର୍ଯ୍ୟ କରିଛି ।
ଭାରତୀୟ ସମାଜ ହେଉ ବା ଗଣମାଧ୍ୟମ ହେଉ ଏବେ ନୂତନତା ନାମରେ ପାଶ୍ଚାତ୍ୟ ସଭ୍ୟତାର କେବଳ ବାହ୍ୟ ସ୍ୱରୂପକୁ ହିଁ ଗ୍ରହଣ କରିଛନ୍ତି ।  ଏବେ ଭାରତ ବିଶ୍ୱର ବିଭିନ୍ନ କ୍ଷେତ୍ରରେ ଅଗ୍ରଣୀ ଭୂମିକା ଗ୍ରହଣ କରୁଛି ।  ବିଭିନ୍ନ ଦେଶ ସହିତ ସୁସଂପର୍କ ଦିନକୁ ଦିନ ଘନିଷ୍ଟ ହେବାରେ ଲାଗିଛି । ସେହି ସମୟରେ ବିଦେଶୀ ଅର୍ଥରେ ପାଳିତ ଓ ପୋଷିତ ହେଉଥିବା ଭାରତର କିଛି ଜାତୀୟସ୍ତରୀୟ ଗଣମାଧ୍ୟମ ଦେଶରେ ଘଟୁଥିବା ଛୋଟ ବଡ ଘଟଣାକୁ ତିଳକୁ ତାଳ କରି ମିଥ୍ୟା କାହାଣୀ ସୃଷ୍ଟିକରି ଦେଶର ଶାନ୍ତିପୂର୍ଣ୍ଣ ଗଣତନ୍ତ୍ରରେ ଅଶାନ୍ତି ସୃଷ୍ଟି କରୁଛନ୍ତି । ତଥା କଥିତ ଅସହିଷ୍ଣୁତା ଉପରେ ଛଦ୍ମ ବିବାଦର ଷଡଯନ୍ତ୍ରର ରଚନା, କେରଳରେ ସୃଷ୍ଟି ହୋଇଥିବା ବାମପନ୍ଥୀଙ୍କ ହିଂସାର ତାଣ୍ଡବଲୀଳା ଓ କାଠୁଆ ଘଟଣାର ସତ୍ୟତାକୁ ଚାପିଦେଇ ମନଗଢା କାହାଣୀ ତଥା ବିଭିନ୍ନ ରାଜନୈତିକ ଦଳର ସ୍ୱାର୍ଥ ପାଇଁ ଦରକାର ହେଉଥିବା ଖବରକୁ ରୋଚକ ପୂର୍ଣ୍ଣ ଭାବରେ ପରିବେଷଣ କରିବାରେ ଲାଗିପଡିଛନ୍ତି । ସେମାନଙ୍କର ରାଷ୍ଟ୍ରୀୟ ଗୌରବ ଏବଂ ଦେଶ ଭକ୍ତି ପ୍ରତି ତାଙ୍କର ଦୃଷ୍ଟି ପଡୁ ନାହିଁ । ବିଦେଶୀ ଗଣମାଧ୍ୟମ ଦ୍ୱାରା ଅନୁପ୍ରାଣିତ ହୋଇ ଯେଉଁ ସବୁ ସମ୍ବାଦ ପରିବେଷଣ କରାଯାଉଛି ତାହା ସମାଜର କୌଣସି ଲାଭରେ ତ ଲାଗୁ ନାହିଁ , ଏହାଦ୍ୱାରା ନିଜର କଣ ଲାଭ ହେଉଛି,କାହାକୁ ଖୁସି କରିବା ପାଇଁ ଏଭଳି ସମ୍ବାଦ ପରିବେଷଣ କରାଯାଉଛି ତାହା ଏବେ ସମସ୍ତଙ୍କ ପାଇଁ ପ୍ରଶ୍ନବାଚୀ ସୃଷ୍ଟି କରିଛି ।  
ବିହାରର ମାନବାଧିକାର ଆୟୋଗର ଅଧ୍ୟକ୍ଷ ନ୍ୟାୟମୂର୍ତି ମନ୍ଧତା ସିଂହ କହିଛନ୍ତି ଯେ, ସାମ୍ବାଦିକତାର ମର୍ଯ୍ୟାଦାକୁ ଧ୍ୟାନରେ ରଖି ଯଦି ସାମ୍ବାଦିକତା କରାଯାଏ ତେବେ ସମାଜରେ ସୃଷ୍ଟି ହେଉଥିବା ଅନେକ ସମସ୍ୟା ଆପେ ଆପେ କମିଯିବ । ଜଣେ ସାମ୍ବାଦିକ ଠାରୁ ଆଶାକରାଯାଏ ଯେ, କୌଣସି ବ୍ୟକ୍ତି, ସଂସ୍ଥା କିମ୍ବା ବିଧି ଓ ବ୍ୟବସ୍ଥାର ବିରୋଧି ନହୋଇ ତୃଟିଶୂନ୍ୟ ସମ୍ବାଦ ପିରବେଷଣ କରିବା ଉଚିତ । ଭୂଲକୁ ପରିପ୍ରକାଶ କରିବା । ଯାହା ଦେଖିବା ତାହା ସଠିକ୍ ଭାବରେ ଲେଖିବା ।  ନିହିତ ସ୍ୱାର୍ଥତତ୍ୱର ସମାଜ ବିରୋଧି କାମ ବିରୋଧରେ ଜନଜାଗରଣ କରିବା । ନିଜର ପେଷାଗତ ଗାରିମାକୁ ଧ୍ୟାନରେ ରଖି ସଚ୍ଚୋଟ କର୍ତ୍ତବ୍ୟ ନିର୍ବାହ କରିବାର । ଆବଶ୍ୟକତା ରହିଛି । ମର୍ଯ୍ୟାଦା ଯୁକ୍ତ ସାମ୍ବାଦିକତା ଶକ୍ତିଶାଳୀ ଅଟେ ।
ସତ୍ୟକୁ ଆଡ ବାଙ୍କ ଦେଇ ପ୍ରକାଶ ନକରି  ସିଧାକଥାରେ ପ୍ରକାଶ କରିବା । ଆମେ ଏପରି ସମ୍ବାଦ ପରିବେଷଣ କରିବା ଯେଉଁଥିରେ ଦେଶ ଓ ସମାଜ ପ୍ରତି କିଛି ବିପଦ ସୃଷ୍ଟି କରିବ ନାହିଁ । ଏଥିପ୍ରତି ମଧ୍ୟ ଧ୍ୟାନ ଦେବା ଆବଶ୍ୟକ । ଗଣମାଧ୍ୟମର ଉଦ୍ଦେଶ୍ୟ  ସମାଜରେ ସମ୍ବାଦ ଓ ବିଚାର ପ୍ରସାର କରି ଗଣତନ୍ତ୍ରକୁ ସୁସ୍ଥ ରଖିବାର ବାତାବରଣ ତିଆରି କରିବା । କିନ୍ତୁ ଗଣମାଧ୍ୟମ ଯେତେବେଳେ ନିଜର ମୂଳ ଲକ୍ଷ୍ୟ ଏବଂ କାମରୁ ବିଚ୍ୟୁତ ହୋଇ ଏଜେଣ୍ଡା ତିଆରି କରିବାରେ ଲାଗିଯାଏ ସେ ସମୟରେ ସେ ସମାଜ ଓ ଦେଶ ଦୁଇ ଜଣଙ୍କ ପାଇଁ ଘାତକ ପ୍ରମାଣିତ ହୁଏ । ଗଣମାଧ୍ୟମ କୌଣସି ସଂସ୍ଥା, ବ୍ୟକ୍ତି ଓ ସଂଗଠନର ଅସ୍ତ୍ର ଭାବରେ ପ୍ରୟୋଗ ହୁଏ ତେବେ ସାମ୍ବାଦିକତାରେ ନିରପେକ୍ଷତା ରହିବ ନାହିଁ । ତେଣୁ ସାମ୍ବାଦିକମାନେ ନିଜର ଧର୍ମ ପାଳନ କରିବା ଉଚିତ । ଭାରତୀୟ ସାମ୍ବାଦିକ ମଧ୍ୟ ଭାରତୀୟ ନାଗରିକ । ଦେଶ ଜାତିର ଉଦ୍ଧ୍ୱର୍ରେ ସେ ନୁହଁନ୍ତି । ତେଣୁ ଅନ୍ୟାନ୍ୟ ବ୍ୟକ୍ତିମାନଙ୍କ ଭଳି, ଭାରତର ସାର୍ବଭୌମତ୍ୱ, ଭାରତର ଅସି୍ମତା, ଭାରତର ବୈଶିଷ୍ଟ୍ୟ, ଭାରତର ସୁରକ୍ଷା, ଭାରତୀୟ ଜନମତ ଇତ୍ୟାଦି ଦୃଷ୍ଟିରୁ ତାଙ୍କର କିଛି କର୍ତ୍ତବ୍ୟ ଅଛି, ସେ କର୍ତ୍ତବ୍ୟ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ହିସାବରେ ତାହା ପାଳନ କରିବା ବିଧେୟ ।  ସତ୍ୟ ଓ ତଥ୍ୟ ଭିତ୍ତିିକ ଏବଂ ଗୁଣାତ୍ମକ ସମ୍ବାଦ ଜନସାଧାରଣଙ୍କ ନିକଟରେ ପରିବେଷଣ କରିବା ଗଣମାଧ୍ୟମର ପ୍ରଧାନ କର୍ତ୍ତବ୍ୟ । ଦୁର୍ନୀତି ଯୋଗୁଁ ଭାରତର ପ୍ରକୃତ ବିକାଶ ସମ୍ଭବ ହୋଇପାରୁନାହିଁ । ସମାଜରୁ ଦୁର୍ନୀତି ଓ ଭ୍ରଷ୍ଟାଚାର କେବଳ ଶାସନକଳ ଦ୍ୱାରା ବିଲୋପ ହେବା ସମ୍ଭବ ନୁହେଁ; ଏଥିପାଇଁ ସାମାଜିକ ବିଧି ବ୍ୟବସ୍ଥାରେ ପରିବର୍ତ୍ତନ ହେବା ଆବଶ୍ୟକ । ଏ ଦିଗରେ ଗଣମାଧ୍ୟମ ଏବଂ ଜାତୀୟ ପ୍ରଗତି ଓ ସମାଜ ସଂସ୍କାରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ରଖିଥିବା ଆଜିର ନାରଦଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ  । ଦେବର୍ଷି ନାରଦଙ୍କର ମହାନ ଆଦର୍ଶରେ ନିଜକୁ ଅନୁପ୍ରାଣିତ କରି ବର୍ତ୍ତମାନ ସମୟର ସମସ୍ତ କ୍ଲିବତା ସୃଷ୍ଟିକାରୀ ଚିନ୍ତାଧାର ପରିତ୍ୟାଗ କରି ଆମର ପରମ ପ୍ରିୟ ପବିତ୍ର ମାତୃଭୂମିର ହିତ, ରାଷ୍ଟ୍ରୀୟ ଗୌରବରେ ଓତପ୍ରୋତ, ଆତ୍ମବିଶ୍ୱାସ ତଥା ସମର୍ପଣ ରୂପୀ ଭବ୍ୟ ଭାବକୁ ଶ୍ୱାସ ପ୍ରଶ୍ୱାସରେ ଧାରଣ କରି ଦେଶକୁ ଆଭ୍ୟନ୍ତରୀଣ ଏବଂ ବାହ୍ୟ ସଂକଟର ବିଭୀଷିକାରୁ ରକ୍ଷା କରିବା ପାଇଁ ଉଦ୍ୟମ ରହିବାର ପ୍ରେରଣା ଆମ ଦେଶବାସୀଙ୍କୁ ଦେଇ ପାରିବ ଗଣମାଧ୍ୟମ । ବର୍ତ୍ତମାନ ଯୁଗରେ ଦେବର୍ଷିଙ୍କ ଆଦର୍ଶ ବିଚାରଧାରା ସମସ୍ତ ଗଣମାଧ୍ୟମଙ୍କ ଅନୁକରଣୀୟ । ବ୍ୟକ୍ତିଗତ ସ୍ୱାର୍ଥ ଅପେକ୍ଷା ରାଷ୍ଟ୍ରହିତ,ସାମାଜିକ ଉପକାର ସେମାନଙ୍କର କାର୍ଯ୍ୟ ଉଦ୍ଦେଶ୍ୟ ହେବା ଆବଶ୍ୟକ ।
ସାମ୍ବାଦିକ,ରାଷ୍ଟ୍ରଦୀପ,
ଏଫ୍-୩୫,ଏନ୍ଏସି ଫ୍ଲାଟ, ୟୁନିଟ-୩,ଖାରାବେଳ ନଗର, ଭୁବନେଶ୍ୱର
ମୋ-୯୮୬୧୦୨୮୫୫୩

Comments