ଭୁବନେଶ୍ୱର,୧୪/୪-ସାମାଜିକ ସରରସତା ମଂଚ,ଭୁବନେଶ୍ୱର ମହାନଗର ତରଫରୁ ଡ.ଭୀମରାଓ ରାମଜୀ ଆମ୍ବେଦକରଙ୍କ ଜୟନ୍ତୀ ସ୍ଥାନୀୟ ୟୁନିଟ-୮ ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ଅନୁଷ୍ଠିତ ହୋଇ ଯାଇଛି । ସଂଗଠନର ମହାନଗର ସଂଯୋଜକ ଶ୍ରୀ ରାଜେଶ ରାୟଙ୍କ ସଂଯୋଜନା ତଥା ମଂଚର ପ୍ରାନ୍ତ ପ୍ରମୁଖ ଶ୍ରୀ ଘନଶ୍ୟାମ ମହାପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ସ୍ତମ୍ଭ ଲେଖକ ଡ.ଉଦ୍ଧବ ଚରଣ ନାୟକ ମୁଖ୍ୟ ଅତିଥି ଓ ବିଶିଷ୍ଟ ସମାଜସେବୀ ଅଧ୍ୟାପକ ଶ୍ରୀ ଗୋପାଳ ପ୍ରସାଦ ମହାପାତ୍ର ମୁଖ୍ୟବକ୍ତା ଭାବେ ଯୋଗଦେଇଥିଲେ ।
ମଂଚାସୀନ ଅତିଥିମାନେ ମତବ୍ୟକ୍ତ କରିଥିଲେ ଯେ, ସମରସତାଯୁକ୍ତ ସଂଗଠିତ ସମାଜ ଦ୍ୱାରା ଭାରତବର୍ଷ ଉକ୍ରର୍ଷର ଚରମସୀମାକୁ ସ୍ପର୍ଷ କରି ପାରିବ । ବାସ୍ତବରେ ସମାନତାର ସମାଜ ପ୍ରତିଷ୍ଠା ପାଇଁ ବଳିଷ୍ଠ ନେତୃତ୍ୱ ନେଇଥିବା ଭାରତରତ୍ନ ଡକ୍ଟର ଭୀମରାଓ ରାମଜୀ ଆମ୍ବେଦକର ପ୍ରାତଃ ସ୍ମରଣୀୟ ।
ଏହି ଅବସରରେ ମୁଖ୍ୟ ବକ୍ତାଭାବେ ଯୋଗଦେଇ ଅଧ୍ୟାପକ ଗୋପାଳ ପ୍ରସାଦ ମହାପାତ୍ର କହିଲେ ବିଶ୍ୱ ଇତିହାସରେ ଭାରତରତ୍ନ ଡକ୍ଟର ଭୀମରାଓ ରାମଜୀ ଆମ୍ବେଦକର ଏକ ବିରଳ ବ୍ୟକ୍ତିତ୍ୱ । ଭାରତ ସମ୍ବିଧାନର ମୁଖ୍ୟ ନିର୍ମାତା ଥିଲେ ସେ । ଅଛୁଆଁ, ପଛୁଆ ଓ ଅନଗ୍ରସର ଜାତିଙ୍କର ଉତ୍ଥାନ ପାଇଁ ନିଃସ୍ୱାର୍ଥପର ସମାଜ ସଂସ୍କାରକ ବାବାସାହେବଙ୍କ ଦାନ ଅସୀମ । ସାରାଜୀବନ ସେ ଅନୁନ୍ନତଙ୍କ ଉନ୍ନତି ପାଇଁ ଲଢ଼ିଛନ୍ତି । କୋଟିକୋଟି ଜନସାଧାରଣଙ୍କ ମନମନ୍ଦିରରେ ସେ ପୂଜା ପାଉଛନ୍ତି । ଜଣେ ବିଚକ୍ଷଣ ବିଦ୍ୱାନ, ଆଇନ ବିଶାରଦ, ବୁଦ୍ଧିଜୀବୀ, ସମାଜ ସଂସ୍କାରକ ଓ ରାଷ୍ଟ୍ରନୀତିଜ୍ଞ ଭାବରେ ସେ ସ୍ୱଦେଶ ତଥା ବିଦେଶରେ ବାରମ୍ବାର ସମ୍ବର୍ଦ୍ଧିତ ହୋଇଥିଲେ । ଜଣେ ପ୍ରଜ୍ଞାଶୀଳ, ବହୁପାଠୀ, ମାନବବାଦୀ ଦାର୍ଶନିକ ଭାବେ ମଧ୍ୟ ସେ ପରିଚିତ । ବିଂଶ ଶତାବ୍ଦୀର ଭାରତୀୟ ଜନନାୟକଙ୍କ ମଧ୍ୟରେ ଆମ୍ବେଦକର ବିଭିନ୍ନ ଦୃଷ୍ଟିକୋଣରୁ ଏକ ଅଦ୍ୱିତୀୟ, ପ୍ରାତଃ ସ୍ମରଣୀୟ, ଅସାଧାରଣ ପ୍ରଜ୍ଞା ପୁରୁଷ । ଭାରତର ଘୃଣ୍ୟ "ଜାତିପ୍ରଥା' ବିଲୋପ ସଂଗ୍ରାମରେ ସେ ଥିଲେ ଜଣେ ମହାଯୋଦ୍ଧା । ଭାରତର ସମାଜ ଇତିହାସରେ ସେ ଜଣେ ଯୋଗଜନ୍ମା ସମାଜ ସଂସ୍କାରକ ଥିଲେ । ତାଙ୍କ ଜନ୍ମଦିବସରେ ଦେଶବାସୀ ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହେଲେ ତାହା ତାଙ୍କପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ହେବ ବୋଲି ଶ୍ରୀ ମହାପାତ୍ର ମତବ୍ୟକ୍ତ କରିଥିଲେ ।
ମଂଚ ତରଫରୁ ଏକ ବିଶାଳ ଶୋଭାଯାତ୍ରା ନଗର ପରିକ୍ରମା କରିଥିଲା । ଏହି ଶୋଭାଯାତ୍ରା ସରସ୍ୱତୀ ଶିଶୁବିଦ୍ୟାମନ୍ଦିର ୟୁନିଟ-୮ ପରିସରରୁ ବାହାରି ଓୟୁଟି ଗେଷ୍ଟ ହାଉସ, ଗୋପବନ୍ଧୁ ପାଠାଗାର, ଡିଏଭି ସ୍କୁଲ-ୟୁନିଟ-୮, ସିବିଆଇ କାର୍ଯ୍ୟାଳୟ ହୋଇ ସଭାସ୍ଥଳରେ ପହଂଚିଥିଲା । ଶ୍ରୀ ଜୟକୃଷ୍ଣ ପୃଷ୍ଠି ଓ ସୁମନ୍ତ କୁମାର ଘଡାଇ ଏହି ଶୋଭାଯାତ୍ରା ଏବଂ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।
Comments
Post a Comment