ଯୁବ କଥାକାର ଓଡିଆ କଥା ସାହିତ୍ୟକୁ ସମୃଦ୍ଧ କରିଛନ୍ତି : ପ୍ରତିଭା ରାୟ




ଖୋର୍ଦ୍ଧା : ସ୍ଥାନୀୟ ଜିଲ୍ଲା ସଂସ୍କୃତି ଭବନ ପରିସରରେ ଓଡିଶା ସାହିତ୍ୟ ଏକାଡେମୀ ଓ ଖୋର୍ଦ୍ଧା ସାହିତ୍ୟ ସଂସଦର ମିଳିତ ଆନୁକୂଲ୍ୟରେ ସାହିତ୍ୟ ପର୍ବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଜ୍ଞାନପୀଠ ପୁରସ୍କାର ବିଜେତା ବିଶିଷ୍ଟ ସାହିତ୍ୟିକା ଡଃ ପ୍ରତିଭା ରାୟ ଯୋଗଦେଇ ଏହାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ ।

ଶ୍ରୀମତୀ ରାୟ ତାଙ୍କ ବକ୍ତବ୍ୟରେ ଖୋର୍ଦ୍ଧା ଓଡ଼ିଶାର ଅନେକ ସାହିତ୍ୟିକ ଙ୍କୁ ଜନ୍ମ ଦେଇଛି ବୋଲି କହିଥିଲେ । ଏଥିସହିତ ଓଡ଼ିଆ କଥା ସାହିତ୍ୟ ଏବେ ଆଶଙ୍କାରେ ନାହିଁ । ବରଂ ଅନେକ ଯୁବ କଥାକାର ସେମାନଙ୍କର ବଳିଷ୍ଠ ସ୍ୱରରେ ଓଡ଼ିଆ କଥା ସାହିତ୍ୟକୁ ସମୃଦ୍ଧ କରାଉଛନ୍ତି ବୋଲି ଶ୍ରୀମତୀ ରାୟ ପ୍ରକାଶ କରିଥିଲେ ।

 ବିଶିଷ୍ଟ କଥାକାର ପୁଲିସ ପ୍ରଶାସକ ଡ଼ଃ ଦେବାଶିଷ ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ୧୯୮୦ ପରବର୍ତୀ କଥା ସାହିତ୍ୟ ଉପରେ ବକ୍ତବ୍ୟ ରଖିଥିଲେ । ସମ୍ମାନୀତ ଅତିଥିଭାବେ ଡଃ ପଦ୍ମଜ ପାଳ ଯୋଗଦେଇଥିବାବେଳେ ଭିତିପ୍ରବନ୍ଧ ଉପସ୍ଥାପନ କରିଥିଲେ ଶାନ୍ତି ନିକେତନ ବିଶ୍ୱ ବିଦ୍ୟାଳୟର ପ୍ରଖ୍ୟାତ ସାହିତ୍ୟିକ ଡ଼. ଶରତ କୁମାର ଜେନା । ଏହି ଉଦଘାଟନୀ ଉତ୍ସବରେ ଖୋର୍ଦ୍ଧା ସାହିତ୍ୟ ସଂସଦ ସଭାପତି ଡ. ଦିଲ୍ଲୀପ ଶ୍ରୀଚନ୍ଦନ ସଭାପତିତ୍ୱ କରିଥିବାବେଳେ ସମ୍ପାଦକ ବନୋଜ ତ୍ରିପାଠୀ ଅତିଥି ପରିଚୟ ସହିତ ସ୍ୱାଗତ ଭାଷଣ ଦେଇଥିଲେ ।
 ଉତ୍ସବର ପ୍ରଥମ ଅଧିବେସନରେ ଡ. ଅଜୟ ସ୍ୱାଇଁଙ୍କ ପୈାରହିତ୍ୟରେ କଥାକାର ସରୋଜିନୀ ସାହୁ, ସଦାନନ୍ଦ ତ୍ରୀପାଠୀ, ପ୍ରକାଶ ମହାପାତ୍ର, ଅଭୟ ବାରିକ, ଡ଼କ୍ଟର ଇତି ସାମନ୍ତ, ବିୟତପ୍ରଜ୍ଞା ତ୍ରିପାଠୀ, ଡ଼କ୍ଟର ଶଶିରଥ, ରବି ପଣ୍ଡା, ପ୍ରାଧ୍ୟାପକ ଆଭାସ କୁମାର ବରାଳ ପ୍ରମୁଖ ଯୋଗଦେଇ ୧୯୮୦ ପରବର୍ତୀ ଓଡିଆ ଗଳ୍ପ, ସ୍ୱର ଓ ସ୍ୱାକ୍ଷର ଉପରେ ଆଲୋକପାତ କରିଥିଲେ ।

 ସେହିପରି ଉତ୍ସବର ଦ୍ୱିତୀୟ ଅଧିବେସନ ଡ଼. ହିରଣ୍ମୟୀ ମିଶ୍ର ପୌରହିତ୍ୟ କରିଥିବାବେଳେ ଏଥିରେ ତପନ ମହାପାତ୍ର, ଡ଼କ୍ଟର ସ୍ୱପ୍ନା ମିଶ୍ର, ସ୍ୱାଗତିକା ସ୍ୱାଇଁ, ଡ଼କ୍ଟର ନେତାଜୀ ଅଭିନନ୍ଦନ, ଡ଼କ୍ଟର ତାପସ କୁମାର ସାମନ୍ତରାୟ, ପ୍ରଭାତ ମିଶ୍ର, ଶୁଭ୍ରାଂଶୁ ପଣ୍ଡା, ଡ. କୈଳାଶ ଚନ୍ଦ୍ର ମହାରଣା ପ୍ରମୁଖ ଯୋଗଦେଇ ଓଡ଼ିଆ କଥା ସାହିତ୍ୟରେ ତରୁଣ ପିଢ଼ିର ପ୍ରତିବଦ୍ଧତା ଉପରେ ନିଜର ବକ୍ତବ୍ୟ ପ୍ରଦାନ କରିବା ପରେ ଡ଼କ୍ଟର ଧିରେନ୍ଦ୍ର ନନ୍ଦ ଏହି ଉପରେ ସମାରୋପ ବକ୍ତବ୍ୟ ପ୍ରଦାନ କରିଥିଲେ । ପରେ ଡ଼. ନଟବର ସାହୁଙ୍କ ପୌରହିତ୍ୟରେ କବି ଓ କବିତାର ମହାମିଳନ ଅନୁଷ୍ଠିତ ହୋଇଥିଲା । ଏଥିରେ ଅତିଥିଭାବେ ଓଡ଼ିଶା ସାହିତ୍ୟ ଏକାଡ଼େମୀର ସଦସ୍ୟ ବିଦେଶୀ କୁମାର ନାୟକ, ଜିଲ୍ଲା ସଂସ୍କୃତି ଅଧିକାର ବରଦା ପ୍ରସନ୍ନ ଦାସ, ଭିକାରୀ ଧଳ ପ୍ରମୁଖ ଯୋଗଦଇଥିବାବେଳେ ଏଥିରେ ୫୦ଜଣ କବି କବିତା ପାଠ କରିଥିଲେ ।
ଏହି କବିତା ପାଠୋତ୍ସବକୁ ଦେବୀ ପ୍ରସାଦ ମହାପାତ୍ର, ଡ଼ଃ ସୌଦାମିନୀ ବେହେରା, ସନ୍ୟାସୀ ନାୟକ ଓ ଶରତ ଆଚାର୍ଯ୍ୟ ସଂଯୋଜନା କରିଥିଲେ । ଏହି ଅବସରରେ ସାହିତ୍ୟ, ସଂସ୍କୃତି କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ଡ଼. ମିହିର କୁମାର ସାହୁ, ଡ. ନିରଞ୍ଜନ ମହାନ୍ତି, ଶିକ୍ଷାବିତ ବୈକୁଣ୍ଠନାଥ ରାଜଗୁରୁ, ସସ୍ମିତା ପଟ୍ଟନାୟକ, ଡ. ପ୍ରମୋଦଚନ୍ଦ୍ର ଦାଶ, ଗୋପାଳକୃଷ୍ଣ ଦାସ ଏବଂ ସତ୍ୟବାଦୀ ବଳିୟାରସିଂହଙ୍କୁ ମୁଖ୍ୟ ଅତିଥି ସମ୍ବର୍ଦ୍ଧିତ କରିବା ସହିତ ପକ୍ଷୀଘର ପ୍ରକାଶିତ ସସ୍ମିତା ପଟ୍ଟନାୟକଙ୍କ କବିତା ପୁସ୍ତକ ଦେବଦାସଙ୍କୁ ଚିଠିକୁ ଉନ୍ମୋଚନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଅତିରିକ୍ତ ଜିଲ୍ଲାପାଳ ମନୋରଞ୍ଜନ ମଲ୍ଲିକ, ଏସ୍ପି ଦିପ୍ତିରଞ୍ଜନ ରାୟ, ଏସଡ଼ିପିଓ ଖୋର୍ଦ୍ଧା ଯୁଗୋଳ କିଶୋର ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

Comments