
କଟକ,୨୫
/୫:ରାଷ୍ଟ୍ରଗଠନରେ ମହିଳାମାନଙ୍କ ବଳିଷ୍ଠ ଭୂମିକା ନିର୍ବାହ କରିବା ଦିଗରେ ପ୍ରେରଣା ଓ ପ୍ରଶିକ୍ଷଣ ଦେଉଥିବା ଅଖିଳ ଭାରତୀୟ ମହିଳା ସଂଗଠନ ରାଷ୍ଟ୍ର ସେବିକା ସମିତି, ଓଡିଶା ତରଫରୁ ଏକ ଭବ୍ୟ ପଥ ସଂଚଳନ ଐତିହାସିକ କଟକ ସହରର ତୁଳସୀପୁର ଅଂଚଳ ପରିକ୍ରମା କରିଛି ।

ମହିଳାମାନେ ରାଣୀ ଲକ୍ଷ୍ମୀବାଇ ବେଶରେ ସଜ୍ଜିତ ହୋଇ ବୀରବାଦ୍ୟ ବଜାଇ ନଗର ପରିକ୍ରମା କରୁଥିବା ବେଳ ପଥ ମଧ୍ୟରେ ବିଭିନ୍ନ ସ୍ଥାନରେ ମା,ମାଉସୀ ଓ ଭଉଣୀମାନେ ସେମାନଙ୍କ ଉପରେ ପୁଷ୍ପ ବୃଷ୍ଟି କରି ସ୍ୱାଗତ କରୁଥିଲେ ।

ଅନେକ ସ୍ଥାନରେ ଗୁରୁ ଭଗବାଧ୍ୱଜକୁ ମଧ୍ୟ ଫୁଲ,ଚନ୍ଦନ, ଧୂପ, ଦୀପ ନୈବେଦ୍ୟ ଦେଇ ବନ୍ଧାପନା କରୁଥିବାର ଦେଖାଯାଇଥିଲା । ଏହି ପଥ ସଂଚଳନରେ ୩୦୦ରୁ ଉଦ୍ଧ୍ୱର୍ ମାତା ଓ ଭଗିନୀ ଭାଗ ନେଇଥିଲେ । ପଥ ସଂଚଳନ ମଧୁସୁଦନ ନଗର ପଡିଆରୁ ବାହାରି ବିଜୁ ପଟ୍ଟନାୟକ ଛକ, ଦେଉଳ ସାହି, ମଠ ସାହି ହୋଇ ତୁଳସୀପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ପହଂଚିଥିଲା ।
ସୂଚନା ଯୋଗ୍ୟ ଯେ, ରାଷ୍ଟ୍ର ସେବିକା ସମିତି ତରଫରୁ ଏକ ୧୫ ଦିନିଆ ବର୍ଗ ତୁଳସୀପୁର ସରସ୍ୱତୀ ଶିଶୁବିଦ୍ୟାମନ୍ଦିର ଠାରେ ଗତ ୧୨ ତାରିଖ ଦିନ ଆରମ୍ଭ ହୋଇଛି ଏବଂ ଏହା ଆସନ୍ତା ୨୭ ତାରିଖ ଦିନ ଶେଷ ହେବ । ସମାରୋପ ଉତ୍ସବରେ ସଂଗଠନର ଅଖିଳ ଭାରତୀୟ ବୌଦ୍ଧିକ ପ୍ରମୁଖ ଡଃ.ଶରଦ ରେଣୁଜୀ ଉଦ୍ବୋଧନ ଦେବେ ।

ଦୀର୍ଘ ୧୫ ଦିନ ଧରି ଏହି ବର୍ଗରେ ଯୋଗଦେଇଥିବା ୧୩୦ ଜଣ ମାତା ଓ ଭଗିନୀ ଶିକ୍ଷାର୍ଥୀନିମାନେ ଶାରିରୀକ, ବୌଦ୍ଧିକ, ତଥା ଦେଶ ପ୍ରେମ ମୂଳକ ଶିକ୍ଷା ଗ୍ରହଣ କରୁଛନ୍ତି । ରାଷ୍ଟ୍ର ସେବିକା ସମିତିର ପ୍ରାନ୍ତ ପ୍ରଚାରିକା ସୁଶ୍ରୀ ଲତିକା ପାଢୀ, ପ୍ରାନ୍ତ କାର୍ଯ୍ୟବାହିକା ଶ୍ରୀମତୀ ଆରତୀ ବୈଶାଖ, ପ୍ରାନ୍ତ ବୌଦ୍ଧିକ ପ୍ରମୁଖ ଶ୍ରୀମତୀ ବୈଜୟନ୍ତୀ ମହାରଣା, ରାଉରକେଲା ବିଭାଗ କାର୍ଯ୍ୟବାହିକା ଶ୍ରୀମତୀ ସବିତା ତନ୍ତ୍ରୀ, ବ୍ୟବସ୍ଥା ପ୍ରମୁଖ ସୁଶ୍ରୀ ବବିତା ସାହୁ ପ୍ରମୁଖ ଉପସ୍ଥିତ ରହି ପ୍ରଶିକ୍ଷଣ ପ୍ରଦାନ କରିବା ସହ ସମସ୍ତ କାର୍ଯ୍ୟ ତଦାରଖ କରୁଛନ୍ତି ।
Comments
Post a Comment