ମୁଖ୍ୟମନ୍ତ୍ରୀମାନେ ବାସଭବନ ଛାଡିବା ପରେ ଆଉ ସରକାରୀ ବାସଭବନରେ ରହିପାରିବେ ନାହିଁ


ନୂଆଦିଲ୍ଲୀ, ୭/୫  : ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବା ପରେ ସରକାରୀ ବାସଭବନକୁ ମଧ୍ୟ ଛାଡ଼ିବାକୁ ପଡ଼ିବ  । ପୂର୍ବତନ ମୁଖ୍ୟମନ୍ତ୍ରୀମାନେ ସରକାରୀ ବାସଭବନରେ ଅସ୍ଥାୟୀ ଭାବେ ରହିପାରିବେ ନାହିଁ ବୋଲି ମାନ୍ୟବର ସୁପ୍ରିମ୍କୋର୍ଟ ରାୟ ଦେଇଛନ୍ତି  । ଏଥିସହ ଏସମ୍ପର୍କିତ ଉତ୍ତର ପ୍ରଦେଶ ବିଧାନସଭା ଆଇନକୁ ମଧ୍ୟ ଶୀର୍ଷ ଅଦାଲତ ଖାରଜ କରିଦେଇଛନ୍ତି  । ଏତଦ୍ବ୍ୟତୀତ ପୂର୍ବତନ ମୁଖ୍ୟମନ୍ତ୍ରୀମାନେ କୌଣସି ପଦବୀରେ ନଥିବାରୁ ସେମାନଙ୍କୁ ଏପରି ସୁବିଧା ଦିଆଯାଇପାରିବ ନାହିଁ ବୋଲି ଶୀର୍ଷ କୋର୍ଟ ମତରେ ସ୍ପଷ୍ଟ କରିଛନ୍ତି  । ଜଣେ ବ୍ୟକ୍ତି ପଦ ଗଲା ପରେ ସେମାନଙ୍କୁ ଘର ଯୋଗାଇ ଦେବାର କୌଣସି ଯଥାର୍ଥତା ନାହିଁ ବୋଲି ସୁପ୍ରିମ୍କୋର୍ଟ କହିଛନ୍ତି  । ଯଦିଓ ସୁପ୍ରିମ୍କୋର୍ଟଙ୍କ ଏହି ନିର୍ଦ୍ଦେଶ କେବଳ ଉତ୍ତର ପ୍ରଦେଶ ପାଇଁ ଲାଗୁ ହେବ ନାହିଁ ବରଂ ଅନ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ପୂର୍ବତନ ରାଷ୍ଟ୍ରପତି ଓ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ କ୍ଷେତ୍ରରେ ମଧ୍ୟ କାର୍ଯ୍ୟକାରୀ ହେବ  । ସୂଚନାଥାଉ କି, ୨୦୧୬ ଉତ୍ତର ପ୍ରଦେଶ ବିଧାନସଭା ପକ୍ଷରୁ ପାରିତ ଏହି ନିୟମକୁ ସ୍ୱେଚ୍ଛାସେବୀ ସଂଗଠନ ଲୋକପ୍ରହରୀ ପକ୍ଷରୁ ଅଦାଲତରେ ଚ୍ୟାଲେଞ୍ଜ କରାଯାଇଥିଲା  । ମାନ୍ୟବର ସୁପ୍ରିମ୍କୋର୍ଟ ମାମଲାର ଶୁଣାଣି କରି ଉପରୋକ୍ତ ନିର୍ଦ୍ଦେଶ ଦେଇଛନ୍ତି  । ତେବେ ଶୀର୍ଷ କୋର୍ଟଙ୍କ ଏହି ନିର୍ଦ୍ଦେଶ ଯୋଗୁଁ ଅଖିଳେଶ ଯାଦବ, ମୁଲାମୟ ସିଂ ଯାଦବ, ମାୟାବତୀ ଓ ରାଜନାଥ ସିଂହଙ୍କୁ ତୁରନ୍ତ ସରକାରୀ ବାସଭବନ ଛାଡ଼ିବାକୁ ପଡ଼ିବ  ।

Comments