ଭୁବନେଶ୍ୱର,୨୦/୭: ସ୍ୱାମୀ ବିବେକାନନ୍ଦଙ୍କ ଦୀକ୍ଷା ଓ ଦର୍ଶନରେ ଅଭିମଣ୍ଡିତ, ଓଡିଶାରେ ବିବେକାନନ୍ଦ କେନ୍ଦ୍ରର ସଂସ୍ଥାପକ ତଥା ତ୍ରୈମାସିକ ସଂସ୍କାର ସଂସ୍କୃତି ପତ୍ରିକା “ ଶାଶ୍ୱତ ଭାରତ”ର ପରିଚାଳନା ସଂପାଦକ ଜହର ବୋଷଙ୍କର ଗତ ୧୯ ତାରିଖ ସଂଧ୍ୟାରେ ତାଙ୍କ ଭୁବନେଶ୍ୱରର ଆଇଆରସି ଭିଲେଜ ସ୍ଥିତ ବାସଭବନରେ ପରଲୋକ ହୋଇ ଯାଇଛି ।
ସେ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆର ବରିଷ୍ଠ ଅଧିକାରୀ ଭାବେ ପ୍ରାୟ ପନ୍ଦର ବର୍ଷ ପୂର୍ବରୁ ଅବସର ଗ୍ରହଣ କରି ବିଭିନ୍ନ ସମାଜସେବୀ ମୂଳକ ଅନୁଷ୍ଠାନ ସହ ନିଜକୁ ସକ୍ରୀୟ ଭାବେ ସାମିଲ କରିବା ସହ ସେ ବିଭିନ୍ନ ପତ୍ରପତ୍ରୀକାରେ ରାମକୃଷ୍ଣ ଓ ବିବେକାନନ୍ଦଙ୍କ ଦର୍ଶନ ସମ୍ବଳିତ ରଚନା ଲେଖୁଥିଲେ । ଏହା ବ୍ୟତୀତ ଭାରତୀୟ ସଂସ୍କାର ସଂସ୍କୃତିର ବ୍ୟାପକ ପ୍ରଚାର ଓ ପ୍ରସାର କରିବା ପାଇଁ “ ଶାଶ୍ୱତ ଭାରତ”ନାମରେ ଏକ ତ୍ରୈମାସିକ ପତ୍ରିକା ପ୍ରତିଷ୍ଠା କରିବା ସହ ଏହାର ପରିଚାଳନା ସଂପାଦକ ଭାବେ ଦାୟିତ୍ୱ ନିର୍ବାହ କରିଥିଲେ ।
ସ୍ୱର୍ଗତ ବୋଷ ଜଣେ ସମାଜ ସଂସ୍କାରକ ପରୋପକାରୀ ବ୍ୟକ୍ତି ଭାବେ ସେ ବହୁ ମହଲରେ ସୁପରିଚିତ ଥିଲେ । ଦୀର୍ଘଦିନ ଧରି ଅସୁସ୍ଥ ରହୁଥିଲେ ସୁଦ୍ଧା ଅନ୍ୟ କାହାର ଅସୁବିଧାର ସମାଧାନ ପାଇଁ ସେ ନିଜେ ଯାଇ ପହଞ୍ôଚ ଯାଉଥିଲେ । ଆଜି କାଲିର ସ୍ୱାର୍ଥ ସର୍ବସ୍ୱ ଦୁନିଆରେ ତାଙ୍କଭଳି ସମାଜନିଷ୍ଠ ପରୋପକାରୀ ବ୍ୟକ୍ତି ପ୍ରାୟତଃ ବିରଳ ।
୭୪ ବର୍ଷରେ ତାଙ୍କ ଜୀବନ ଦୀପ ନିର୍ବାପିତ ହୋଇଥିଲେ ମଧ୍ୟ ତାଙ୍କ ଶୁଦ୍ଧ ଚେତନାର ଆଲୋକ ବହୁଦିନ ଯାଏଁ ଆମ ସମାଜକୁ ଆଲୋକିତ କରିବ ବୋଲି ତାଙ୍କ ଶେଷଦର୍ଶନ କରିବାକୁ ଆସିଥିବା ବହୁ ବିଶିଷ୍ଟ ବ୍ୟକ୍ତି ମତବ୍ୟକ୍ତ କରିଛନ୍ତି । ତାଙ୍କ ବିୟୋଗରେ ଓଡିଶାର ବିବେକାନନ୍ଦ କେନ୍ଦ୍ରର ବିଭିନ୍ନ ଶାଖା ତଥା ରାମକୃଷ୍ଣ ଧର୍ମାବଲମ୍ବୀ ଭକ୍ତ ମଣ୍ଡଳୀରେ ଗଭୀର ଶୋକର ଛାୟା ଖେଳି ଯାଇଛି ।
Comments
Post a Comment