ଭୁବନେଶ୍ୱର,ତା ୨୮ା୭- କେନ୍ଦ୍ର ସରକାର ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁ.ଜି.ସି.) ଅଧିନିୟମ, ୧୯୫୬କୁ ବାତିଲ କରି ଭାରତୀୟ ଉଚ୍ଚଶିକ୍ଷା ଆୟୋଗ ଗଠନ କରିବାକୁ ଯାଉଥିବାରୁ ତା’ର ବିଭିନ୍ନ ଦିଗ ତର୍ଜମା କରିବା ପାଇଁ ରାଷ୍ଟ୍ରୀୟ ଶୈକ୍ଷିକ ମହାସଂଘ ପକ୍ଷରୁ ଏକ ଆଲୋଚନାଚକ୍ରର ଆୟୋଜନ କରାଯାଇଥିଲା ।
ଉକ୍ରଳ ବିଶ୍ୱବିଦ୍ୟାଳୟ ସ୍ନାତକୋତ୍ତର ବାଣିଜ୍ୟ ବିଭାଗଠାରେ ଅନୁଷ୍ଠିତ ଏହି ଏକ-ଦିବସୀୟ ଆଲୋଚନାଚକ୍ରରେ ପୁସାସ୍ଥିତ ଡକ୍ଟର ରାଜେନ୍ଦ୍ର ପ୍ରସାଦ କେନ୍ଦ୍ରୀୟ କୃଷି ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପ୍ରଫୁଲ୍ଲ କୁମାର ମିଶ୍ର ଅଧ୍ୟକ୍ଷତା କରିଥିଲେ । ମହାସଂଘର ଉଚ୍ଚଶିକ୍ଷା ଶାଖାର ପ୍ରଭାରୀ ମହେନ୍ଦ୍ର କୁମାର ମୁଖ୍ୟ ଅତିଥି ଓ ବରିଷ୍ଠ ଶିକ୍ଷାବିତ୍ ପ୍ରଫେସର କ୍ଷିତିଭୂଷଣ ଦାସ ମୁଖ୍ୟବକ୍ତା ରୂପେ ଯୋଗଦେଇଥିଲେ । ବିଭାଗୀୟ ମୁଖ୍ୟ ପ୍ରଫେସର ଅନୀଲ କୁମାର ସ୍ୱାଇଁଙ୍କ ସମେତ ପ୍ରଫେସର ମଳୟ କୁମାର ମହାନ୍ତି, ଡକ୍ଟର ନାରାୟଣ ମହାନ୍ତି, ଡକ୍ଟର ଶଚୀନ୍ଦ୍ର ରାଉଳ, ଡକ୍ଟର ମହେଶ୍ୱର ସାହୁ, ଅଧ୍ୟାପକ ଅଜୟ କୁମାର ଦାସ, ଅଧ୍ୟାପକ ରବିନାରାୟଣ ସାହୁ, ଡକ୍ଟର ବନଜ କୁମାର ବିଶ୍ୱାଳ, ଡକ୍ଟର ଦେବାଶିଷ ପାତ୍ର, ଡକ୍ଟର ସନ୍ଦୀପ କୁମାର ରାଉତ ପ୍ରମୁଖ ସେମାନଙ୍କର ସୁଚିନ୍ତିତ ବକ୍ତବ୍ୟ ପ୍ରଦାନ କରଥିଲେ । ଉଚ୍ଚଶିକ୍ଷା କ୍ଷେତ୍ରରୁ ପ୍ରଶାସନିକ ପ୍ରଭାବ ହ୍ରାସ କରି ତା’ର ପରିଚାଳନା ଶିକ୍ଷାବିତ୍ଙ୍କ ହାତରେ ଛାଡ଼ିଦେବା ପାଇଁ ମତପ୍ରକାଶ ପାଇଥିଲା । ଶେଷରେ ମହାସଂଘର ରାଜ୍ୟ ସଂଯୋଜକ ଡକ୍ଟର ପବିତ୍ର କୁମାର ରଥ ଧନ୍ୟବାଦ ଅର୍ପଣ କରିଥିଲେ ।
Comments
Post a Comment