ଭାରତୀୟ ମଜଦୁର ସଂଘର ୬୪ତମ ପ୍ରତିଷ୍ଠା ଦିବସ ପାଳିତ


ଭଦ୍ରକ: ଭଦ୍ରକ ଟାଉନ ହଲରେ ଭାରତୀୟ ମଜଦୁର ସଂଘର ୬୪ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ସଂଗଠନର ଜିଲ୍ଲା ସମ୍ମିଳନୀ ଓ ନୂତନ କର୍ମକର୍ତା ଚୟନ ହୋଇଯାଇଛି । ପ୍ରତିଷ୍ଠା ଦିବସ ଉତ୍ସବରେ ମୁଖ୍ୟଅତିଥି ଭାବେ ସଂଘର ରାଜ୍ୟ ସଂପାଦକ ବିନୟ ତ୍ରିପାଠୀ ଯୋଗ ଦେଇ ଶ୍ରମିକ ସଂଗଠନ ହେଉଛି ଭାରତ ବର୍ଷର ସର୍ବ ବୃହତ ସଂଗଠନ । ଭାରତୀୟ ମଜଦୁର ସଂଘ ସହିତ ସମଗ୍ର ଦେଶରେ ବହୁ ସଂଗଠନ ସାମିଲ ହୋଇ ଏହାର କଳେବର ବୃଦ୍ଧି କରିଛନ୍ତି । ଓଡିଶା ପ୍ରଦେଶ ଭଳି ଭଦ୍ରକ ଜିଲ୍ଲାର ବହୁ ସଂଗଠନ ମଧ୍ୟ ବିଏମଏସ୍ ସହିତ ଅନୁବନ୍ଧିତ ରହିଛନ୍ତି । ସେହି ସଂଗଠନର ଭାଇ ଭଉଣୀଙ୍କୁ ନ୍ୟାୟ ଦେବାରେ ବିଏମଏସ୍ ସଦା ସର୍ବଦା କାମ କରି ଆସିଛି ଏବଂ ଆଗାମୀ ଦିନରେ କାମ କରିବ । ଏଥିଲାଗି ପ୍ରତ୍ୟେକଟି ସଦସ୍ୟଙ୍କର ଯୋଗଦାନର ଆବଶ୍ୟକତା ରହିଛି ବୋଲି ତ୍ରିପାଠୀ କହିଥିଲେ । ମୁଖ୍ୟବକ୍ତା ଭାବେ ରାଜ୍ୟ ଉପସାଧାରଣ ସଂପାଦକ ଶାନ୍ତନୁ ମହାପାତ୍ର ଯୋଗଦେଇ ଯେଉଁ ମହତ ଉଦ୍ଦେଶ୍ୟ ନେଇ ଭାରତୀୟ ମଜଦୁର ସଂଘର ପରିକଳ୍ପନା କରାଯାଇଥିଲା, ସଂଘ ଗଠନ ହୋଇଥିଲା ତାହା ଏବେ ସୁଦ୍ଧା ଶହେ ପ୍ରତିଶତ ସଫଳତା ହାସଲ କରିବାକୁ ସକ୍ଷମ ହୋଇ ପାରି ନାହିଁ । କର୍ମକର୍ତାଙ୍କ ଠାରୁ ଆରମ୍ଭ କରି ପ୍ରତ୍ୟେକ ସଦସ୍ୟ ସଂଘକୁ ଆଗକୁ ଆଗେଇ ନେବା ପାଇଁ ଉତ୍ସର୍ଗୀକୃତ ହୋଇ କାର୍ଯ୍ୟ କରିବାକୁ ସେ ଆହ୍ୱାନ ଦେଇଥିଲେ । ବିଏମଏସ୍ ଜିଲ୍ଲା ସଭାପତି ବିଜୟ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ସଂପାଦକ ମନୋଜ କୁମାର ବସନ୍ତରାୟ ସଂପାଦକୀୟ ବିବରଣୀ ପାଠ କରିଥିଲେ । ପ୍ରଥମେ ଉତ୍ସବର ଉଦଘାଟକ ଭାବେ ଜିଲ୍ଲା ଶ୍ରମଅଧିକାରିଣୀ ଜସ୍ମିନ ପ୍ରିୟଦର୍ଶିନୀ ସାହୁ ଯୋଗ ଦେଇ ସଂଘର କର୍ମକର୍ତା, ଅତିଥି ମାନଙ୍କ ସହ ପ୍ରଦୀପ ପ୍ରଜ୍ୱଳନ କରିବା ସହିତ ଦତୋପନ୍ତ ଥେଙ୍ଗ୍ଡିଜୀ, ପ୍ରତାପ ପଣ୍ଡା, ଭାରତମାତା, ବିଶ୍ୱକର୍ମାଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଚିତରଂଜନ ଦାସ ସ୍ୱାଗତ ଭାଷଣ ଓ ପରିଚୟ ପ୍ରଦାନ କରିଥିଲେ । ଅଲ୍ ଓଡିଶା ଅଙ୍ଗନୱାଡି ଲେଡିଜ ୱାର୍କର୍ସ ଆସୋସିଏସନର ଜିଲ୍ଲା ସଭାନେତ୍ରୀ ପ୍ରମିଳା ପାଢୀ ମଂଚାସୀନ ହୋଇଥିବା ବେଳେ ସଂଗଠନ ସଂପାଦିକା ଲକ୍ଷ୍ମୀପ୍ରିୟା ପାତ୍ର ଜିଲ୍ଳାର ଅଙ୍ଗନୱାଡି କର୍ମୀ ଓ ସହାୟିକାମାନଙ୍କ ବିଭିନ୍ନ ସମସ୍ୟା ଉପସ୍ଥାପନ କରିବା ସହିତ ବିଏମଏସ୍ ନେତୃତ୍ୱକୁ ସମର୍ଥନ ଯୋଗାଇ କାର୍ଯ୍ୟ କରିବାକୁ ଅଙ୍ଗନୱାଡି କର୍ମୀ ଓ ସହାୟିକାଙ୍କୁ ଅନୁରୋଧ କରିଥିଲେ । ପରେ ବିଏମଏସ୍ ଓ ଏହାର ଅନୁବନ୍ଧିତ ସଂଗଠନର କର୍ମକର୍ତା, ସଦସ୍ୟ ସଦସ୍ୟା ଏକ ଶୋଭାଯାତ୍ରାରେ ସହର ପରିକ୍ରମା କରି ଜିଲ୍ଳାପାଳଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କ ଦପ୍ତରକୁ ଯାଇ ଅଧିକାରୀ କାର୍ତିକ ମଣ୍ଡଳଙ୍କୁ ଏକ ଦାବୀପତ୍ର ପ୍ରଦାନ କରିଥିଲେ । .ଏହି ଅବସରରେ ବିଏମଏସର ନୂତନ ଜିଲ୍ଲା କର୍ମକର୍ତାଙ୍କ ନାମ ଘୋଷଣା କରାଯାଇଥିଲା । ଏଥିରେ ସଭାପତି ଭାବେ ମନୋଜ ବସନ୍ତରାୟ, କାର୍ଯ୍ୟକାରୀ ସଭାପତି ବିଜୟ ମିଶ୍ର, ଉପସଭାପତି ମନୋଜ ଲେଙ୍କା, ଶାନ୍ତିଲତା କର, ଚିତରଂଜନ ଦାସ, ସଂପାଦକ ମୁକ୍ତିକାନ୍ତ ସାହୁ, ସହସଂପାଦକ ଅଶୋକ କୁମାର ନାୟକ, ଚନ୍ଦ୍ରଶେଖର ଜେନା, ବସନ୍ତ ରାଉତ, ସଂଗଠନ ସଂପାଦକ ପରେଶ ନାଥ ଧଳ, କୋଷାଧ୍ୟକ୍ଷ ବାଇଧର ଶତପଥିଙ୍କୁ ମନୋନୀତ କରାଯାଇଥିଲା । ବିଏମଏସ୍ ସହିତ ଅନୁବନ୍ଧିତ ସମସ୍ତ ସଂଗଠନର ସଭାପତି ଓ ସଂପାଦକ ଜିଲ୍ଳା କମିଟିର କାର୍ଯ୍ୟକାରିଣୀ ସଦସ୍ୟ ଭାବେ ମନୋନୀତ ହୋଇଥିଲେ । ଶେଷରେ ଲକ୍ଷ୍ମୀପ୍ରିୟା ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

Comments