ଭୁବନେଶ୍ୱର,୨୬/୮: ରକ୍ଷା ବନ୍ଧନ ଏପରି ଏକ ପର୍ବ ଯାହା ସମସ୍ତ ଭାରତ ବାସୀଙ୍କୁ ଗୋଟିଏ ସୂତ୍ରରେ ବାନ୍ଧି ରଖିଛି । ଏହା ସମରସତାର ପ୍ରେରକ ପର୍ବ । ସାରା ଭାରତବାସୀଙ୍କୁ ଏକ କରିବା ପାଇଁ ରାକ୍ଷୀ ଏକ ସରଳ ମାଧ୍ୟମ । ଏହା କେବଳ ହାତକୁ ହାତ ବାନେ୍ଧ ନାହିଁ । ମନକୁ ବାନେ୍ଧ, ହୃଦୟକୁ ବାନେ୍ଧ ଏବଂ ଶେଷରେ ସମାଜକୁ ଗୋଟିଏ ସୂତ୍ରରେ ବାନ୍ଧି ରଖେ ବୋଲି ସାମାଜିକ ସମରସତା ମଂଚ, ଓଡିଶା ତରଫରୁ ଅନୁଷ୍ଠିତ ରକ୍ଷା ବନ୍ଧନ ଉତ୍ସବ କାର୍ଯ୍ୟକ୍ରମରେ ଉପସ୍ଥିତ ବକ୍ତାମାନେ ଏହା ପ୍ରକାଶ କରିଛନ୍ତି ।
ସମାଜର ବିଭିନ୍ନ ବର୍ଗର ଲୋକଙ୍କୁ ମୁଖ୍ୟ ଧାରାରେ ଯୋଡି ଭାରତୀୟ ସଂସ୍କୃତିକୁ ପରିପୁଷ୍ଠ କରିବାର ଲକ୍ଷ୍ୟ ନେଇ ସାମାଜିକ ସମରସତା ମଂଚ ଦ୍ୱାରା ସ୍ଥାନୀୟ ଇନିଷ୍ଟିଚ୍ୟୁଟ ଅଫ୍ ଇଞ୍ଜିନିୟରସ୍ ଠାରେ ରକ୍ଷା ବନ୍ଧନ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି । ସଂଗଠନର ରାଜ୍ୟ ସଂଯୋଜକ ଘନଶ୍ୟାମ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏବଂ ଭୁବନେଶ୍ୱର ସଂଯୋଜକ ରାଜେଶ ରାୟଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଉତ୍ସବରେ ବିଶିଷ୍ଟ ସମାଜସେବୀ କରୁଣାକର ସେଠୀ ମୁଖ୍ୟ ଅତିଥି, ବିଶିଷ୍ଟ ସମାଜସେବୀ ତଥା ଏକାମ୍ର ମହାବିଦ୍ୟାଳ୍ୟର ଅଧ୍ୟାପକ ଗୋପାଳ ପ୍ରସାଦ ମହାପାତ୍ର ମୁଖ୍ୟବକ୍ତା ରୂପେ ଯୋଗ ଦେଇଥିଲେ ।
ମୁଖ୍ୟ ଅତିଥି ଶ୍ରୀ ସେଠୀ ପ୍ରକାଶ କରିଥିଲେ ଯେ,ରକ୍ଷା ବନ୍ଧନ କେବଳ ଭାଇ ଓ ଭଉଣୀଙ୍କର ପର୍ବନୁହେଁ । ଏଥିରେ କୌଣସି ସନ୍ଦେହ ନାହିଁ । ସଂପର୍କର ବନ୍ଧନରୁ ଯଦି ଆମେ ଉପରକୁ ଉଠି ରକ୍ଷା ବନ୍ଧନର ଭାବନାକୁ ନେଇ କୌଣସି କ୍ଷେତ୍ରରେ ପ୍ରୟୋଗ କରିବା ତେବେ ତାର ସ୍ୱରୁପ ବଦଳି ଯିବ ନିଶ୍ଚୟ । ଯଦି ସୀମାକୁ ଯାଇ ସୈନକ ହାତରେ ରାକ୍ଷୀ ବାନ୍ଧିବା ତେବେ ରାଷ୍ଟ୍ର ରକ୍ଷା ହେବ । ପର୍ଯ୍ୟାବରଣ ରକ୍ଷା ପାଇଁ ସାଧାରଣ ଜନତାଙ୍କ ହାତରେ ରାକ୍ଷୀ ବାନ୍ଧିବା ପର୍ଯ୍ୟାବରଣ ରକ୍ଷା ହେବ । ତେଣୁ ଏହି ଦୃଷ୍ଟିରୁ ଦେଖିବାକୁ ଗଲେ ଏହା ଏକ ରାଷ୍ଟ୍ରୀୟ ପର୍ବ ଅଟେ ।
ମୁଖ୍ୟବକ୍ତା ରୂପେ ଯୋଗଦେଇ ଅଧ୍ୟାପକ ଗୋପାଳ ପ୍ରସାଦ ମହାପାତ୍ର କହିଲେ ଯେ,ଏହି ପର୍ବ ଆମକୁ ସନେ୍ଧଶ ଦେଉଛି ଯେ,ପାରସ୍ପରିକ ଭେଦଭାବ ଭୁଲି ଆମେ ସବୁ ଏକତ୍ର ବାସ କରିବା, ନିଜ ମଧ୍ୟରେ ସାମାଜିକ ଶୃଙ୍ଖଳା ନିର୍ମାଣ କରିବା, ଭାରତୀୟ ଶ୍ରଦ୍ଧାର ମାନବିନ୍ଦୁ ଗୁଡିକୁ ରକ୍ଷା କରିବା, ନିଜର ବ୍ୟକ୍ତିଗତ ତଥା ସାମାଜିକ ଜୀବନକୁ ସୁଖୀ କରିବା ନିମିତତ୍ତ ଯେଉଁ ଯେଉଁ କାର୍ଯ୍ୟ ଆବଶ୍ୟକ ସେସବୁ କରିବା ପାଇଁ ସଂଘବଦ୍ଧ ଭାବେ ନିଶ୍ଚିତଭାବେ ଆଗେଇ ଆସିବା । ରାଷ୍ଟ୍ରର ଚୈତନ୍ୟ ଜାଗ୍ରତ କରିବା ହିଁ ଆମର ଉପାସନା । ପୌରୁଷରେ ଭରା ସ୍ନେହ ସୂତ୍ରରେ ଆବଦ୍ଧ ଅଭେଦ୍ୟ ସଂଗଠିତ ଜୀବନ ଆସେତୁ ହିମାଚଳ ଛିଡା କରିବାକୁ ହେବ । ଏକତ୍ମତାର ଆହ୍ୱାନ, ମନୁଷ୍ୟର ସାଂସ୍କୃତିକ ଜୀବନର ଉତ୍କ୍ରାନ୍ତି ବ୍ୟକ୍ତିର ବ୍ୟକ୍ତିତ୍ୱକୁ ସମଷ୍ଟିରେ ବିଲୀନ କରି, ଶ୍ରେଷ୍ଠତମ ମାନବ ଜୀବନର ବିକାଶ ସାଧନର ସନ୍ଦେଶ ହେଉଛି ଆଜର ଏହି ରକ୍ଷା ବନ୍ଧନ । ଏହି ସନ୍ଦେଶକୁ ଗ୍ରହଣ କରି ନିଜର ବ୍ୟକ୍ତିଗତ ଜୀବନକୁ ସେହି ପଥରେ ଚଳାଇବା ସହ ଆମର ଜାତୀୟ ଜୀବନ ଓ ମାନବତାର ଉକ୍ରର୍ଷତା ପୂର୍ଣ୍ଣ କାର୍ଯ୍ୟରେ ଯେପରି ସାମନ୍ୟ ଉଣା ନହୁଏ, ଏଭଳି ସଂକଳ୍ପ କରି ପାଦେପାଦେ ଆଗେଇ ଚାଲିବା ବୋଲି ଶ୍ରୀ ମହପାତ୍ର ପ୍ରକାଶ କରିଥିଲେ ।
Comments
Post a Comment