ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ବିୟୋଗରେ ସମଗ୍ର ଦେଶରେ ସାତ ଦିନ ପାଇଁ ରାଷ୍ଟ୍ରୀୟ ଶୋକ ପାଳନ କରାଯିବ ବୋଲି ଆଜି ସନ୍ଧ୍ୟାରେ କେନ୍ଦ୍ର ସରକାର ଘୋଷଣା କରିଛନ୍ତି। ରାଷ୍ଟ୍ରୀୟ ଶୋକ ପାଳନ ଅବସରରେ ଦେଶର ସର୍ବତ୍ର ଜାତୀୟ ପତାକା ଅର୍ଦ୍ଧ ନିମିତ୍ତ ହୋଇ ଉଡ଼ିବା ସହ ସରକାରୀ ସ୍ତରରେ କୌଣସି ପ୍ରକାରର ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯିବ ନାହିଁ।
ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ଅନ୍ତିମ ଦର୍ଶନ ପାଇଁ ତାଙ୍କ ପାର୍ଥିବ ଶରୀରକୁ ନୂଆଦିଲ୍ଲୀ ସ୍ଥିତ ବିଜେପି ମୁଖ୍ୟାଳୟରେ ରଖାଯିବ। ବାଜପେୟୀଙ୍କ ଅନ୍ତିମ ଦର୍ଶନ ସହ ତାଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି ଜଣାଇବା ପାଇଁ ଆସନ୍ତାକାଲି ଦଳମତ ନିର୍ବିଶେଷରେ ନୂଆଦିଲ୍ଲୀରେ ପ୍ରବଳ ଜନ ସମାଗମ ହେବାର ସମ୍ଭାବନା ରହିଥିବାରୁ ଏଥିପାଇଁ ପୁଲିସ୍ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଉଛି।
ବାଜପେୟୀଙ୍କ ନିଧନରେ ଶୁକ୍ରବାର ଓଡ଼ିଶାର ସମସ୍ତ ସ୍କୁଲ କଲେଜ ରହିବ। ବିଦ୍ୟାଳୟ ଓ ଗଣଶିକ୍ଷା ସଚିବ ଗୁରୁବାର ସନ୍ଧ୍ୟାରେ ଏହା ଘୋଷଣା କରିଛନ୍ତି। ବାଜପେୟୀଙ୍କ ପରଲୋକ ପରେ ସମଗ୍ର ଦେଶରେ ୭ ଦିନ ପାଇଁ ରାଷ୍ଟ୍ରୀୟ ଶୋକ ପାଳନ କରାଯାଉଥିବା ବେଳେ ଦିଲ୍ଲୀ, ବିହାର ଓ ପଞ୍ଜାବର ସମସ୍ତ ସ୍କୁଲ-କଲେଜ ବନ୍ଦ ରହିବ ବୋଲି ଜଣାପଡ଼ିଛି। ସେହିଭଳି ଶନିବାର ଦିଲ୍ଲୀର ସମସ୍ତ ବଜାର ଗୁଡ଼ିକ ବନ୍ଦ ରହିବ।
ରାଜ୍ୟ ସରକାର ଆଜିଠାରୁ ୭ ଦିନ ପର୍ଯ୍ୟନ୍ତ ରାଷ୍ଟ୍ରୀୟ ଶୋକ ଘୋଷଣା କରିଛନ୍ତି। ଏହି ୭ ଦିନ ଧରି ରାଜ୍ୟର ସମସ୍ତ ସରକାରୀ କୋଠାବାଡ଼ିରେ ଜାତୀୟ ପତାକା ଅର୍ଦ୍ଧନମିତ ରହିବା ସହିତ କୌଣସି ସରକାରୀ ଉତ୍ସବ ପାଳନ କରାଯିବ ନାହିଁ। ନିଷ୍ପତ୍ତି ଅନୁଯାୟୀ ଶୁକ୍ରବାର ରାଜ୍ୟର ସମସ୍ତ ସରକାରୀ କାର୍ଯ୍ୟାଳୟ ସହିତ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିବ।
ନୂଆଦିଲ୍ଲୀସ୍ଥିତ ଏମ୍ସ୍ରେ ସନ୍ଧ୍ୟା ୫ଟା ୫ରେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ବିୟୋଗ ହୋଇଛି। ବାଜପେୟୀଙ୍କ ବିୟୋଗରେ ଦେଶର ସମସ୍ତ ରାଜନେତା, ଜନସାଧାରଣ ଶୋକବ୍ୟକ୍ତ କରିଛନ୍ତି। ବାଜପେୟୀ ୩ ଥର ଦେଶର ପ୍ରଧାନମନ୍ତ୍ରୀ ହୋଇଥିଲେ। ନିଜର ବାକ୍ପଟୁତା, ଯୁକ୍ତବାଦିତା ଏବଂ ଦୂରଦୃଷ୍ଟି ପାଇଁ ସେ ସାରା ବିଶ୍ୱରେ ପରିଚିତ ଥିଲେ। ପ୍ରଧାନମନ୍ତ୍ରୀ ହୁଅନ୍ତୁ କିମ୍ବା ବିରୋଧୀ ଦଳ ନେତା ସବୁ ସମୟରେ ସେ ନିଜ ଛାପ ଛାଡି ଯାଇଛନ୍ତି। ପ୍ରକାଶ ଯେ, ଜୁନ ୧୧ରୁ ବାଜପେୟୀ ଏମ୍ସରେ ଚିକିତ୍ସିତ ହେଉଥିଲେ।
ଗତ ୨୪ ଘଣ୍ଟା ମଧ୍ୟରେ ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ବାରମ୍ବାର ଅବନତି ପରିଲକ୍ଷିତ ହୋଇଥିଲା। ବାଜପେୟୀଙ୍କ ମୃତ୍ୟୁ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ରାଜନାଥ ସିଂହ, ବରିଷ୍ଠ ଭାଜପା ନେତା ଲାଲକୃଷ୍ଣ ଆଡ୍ଭାନୀ, ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍ ଶାହ ପ୍ରମୁଖ ଶୋକ ପ୍ରକାଶ କରିଛନ୍ତି।
Comments
Post a Comment