ଭଦ୍ରକ, ୭ ।୮: ବିଭିନ୍ନ ରାଜ୍ୟରେ ବାଂଲା ଅନୁପ୍ରବେଶକାରୀଙ୍କ ସଂଖ୍ୟା ବଢି ବଢି ଚାଲିଥିବାବେଳେ ଏହାକୁ ନେଇ ସାରା ଦେଶରେ ଉଦ୍ବେଗ ପ୍ରକାଶ ପାଇଛି । ନିକଟରେ ୪୦ ଲକ୍ଷ ଲୋକଙ୍କୁ ବାଂଲାଦେଶୀ ବୋଲି ଦର୍ଶାଇ ଆସାମ ସରକାର ଏନ୍ଆରସି ତାଲିକାରେ ସାମିଲ ନକରିବାରୁ ସେମାନେ ରାଜ୍ୟ ଛାଡିବା ପରିସ୍ଥିତି ସୃଷ୍ଟି ହୋଇଛି । ତେଣୁ ଏହି ବାଂଲାଦେଶୀମାନେ ଓଡ଼ିଶାମୁହାଁ ହୋଇପାରନ୍ତି ବୋଲି ଗୁଇନ୍ଦା ରିପୋର୍ଟରୁ ସୂଚନା ମିଳିଛି । ଭଦ୍ରକ ଜିଲା ବାସୁଦେବପୁର ବ୍ଲକ୍ର ବିସ୍ତୀର୍ଣ୍ଣ ବେଳାଭୂମି ମୁକୁଳା ପଡିଥିବାରୁ ଏହି ବାଂଲାଦେଶୀମାନେ ସମୁଦ୍ର ଅନାୟାସରେ ସମୁଦ୍ର ପଥ ଦେଇ ଏହି ଅଂଚଳରେ ପ୍ରବେଶ କରିବାର ସମ୍ଭାବନା ଦେଖାଦେଇଛି । ମାତ୍ର ଏଭଳି ସମ୍ଭାବ୍ୟ ଅନୁପ୍ରବେଶକୁ ରୋକିବା ପାଇଁ ସରକାର ଯେଉଁ ସାମୁଦ୍ରିକ ଥାନା ମାନା ପ୍ରତିଷ୍ଠା କରିଛନ୍ତି । ସେଗୁଡିକର ଭିତ୍ତିଭୂମି ଅତ୍ୟନ୍ତ ଦୁର୍ବଳ ହୋଇଥିବାରୁ ଏଥିରୁ ସୁଫଳ ମିଳିବା ନେଇ ସନ୍ଦେହ ସୃଷ୍ଟି ହୋଇଛି । ଓଡ଼ିଶାର ଭଦ୍ରକ ଜିଲା ଅନ୍ତର୍ଗତ ଉପକୂଳ ଅଂଚଳରେ ଆତଙ୍କବାଦୀ ଓ ଅନୁପ୍ରବେଶକାରୀ ଜଳପଥରେ ଆସିବାର ଆଶଙ୍କା ଥିବାରୁ ଚୂଡାମଣି ଓ କଶିଆ ସାମୁଦ୍ରିକ ଥାନା ପ୍ରତିଷ୍ଠା କରାଯାଇଥିଲା । ଅନୁପ୍ରବେଶକାରୀଙ୍କ ଉପରେ କଡଶ ନଜର ରଖିବା ସହିତ ଦିନରାତି ପ୍ରହରା ବ୍ୟବସ୍ଥା ପାଇଁ ନିର୍ଦ୍ଦେଶ ରହିଛି । ଭଦ୍ରକ ଜିଲାରେ ପ୍ରତିଷ୍ଠା ହୋଇଥିବା ୩ଟି ସାମୁଦ୍ରିକ ଥାନା ମଧ୍ୟରୁ ବାସୁଦେବପୁରରେ ରହିଛି ଦୁଇଟି । ହେଲେ ଏଠି ପ୍ରଶ୍ନ ଉଠୁଛି ଯେଉଁ ଉଦ୍ଦେଶ୍ୟରେ ଏହି ଥାନା ଗଢି ଉଠିଥିଲା, ତାହା ପ୍ରକୃତରେ ସାଧିତ ହେଉଛି କି! ସମୁଦ୍ରରେ ନିୟମିତ ପ୍ରହରା ବ୍ୟବସ୍ଥା କାହିଁକି ହେଉନାହିଁ! ଅନ୍ୟପଟରେ ସରକାରଙ୍କ ପକ୍ଷରୁ ଆସୁଥିବା ଅର୍ଥରେ ନିୟମିତ ଭାବେ ସମୁଦ୍ରରେ ପ୍ରହରା ଦିଆଯାଉଛି ବୋଲି ସରକାରଙ୍କୁ ଅବଗତ କରାଯାଉଛି । ମାତ୍ର ବାସ୍ତବରେ ଏହା କେବଳ ଧର୍ମକୁ ଆଖିଠାର ଭଳି କାମ କରୁଛି । ବାଲାଂଦେଶୀଙ୍କ ଅନୁପ୍ରବେଶ ଜାରି ରହିଥିବାବେଳେ କେତେବେଳେ ଯେ ଆତଙ୍କବାଦୀ ଏହି ସୀମା ଦେଇ ସ୍ଥଳଭାଗକୁ ପଶି ନଆସିବେ, ତାହା କହିହେବ ନାହିଁ । ମିଳିଥିବା ସୂଚନା ଅନୁଯାୟୀ ଏହିସବୁ ସାମୁଦ୍ରିକ ଥାନାରେ ହାତଗଣତି ଅଳ୍ପ କେତେଜଣ କର୍ମଚାରୀ ଅଛନ୍ତି । ଫଳରେ ଆଶାନୁରୂପ ଭାବେ ପ୍ରହରା ବ୍ୟବସ୍ଥା ତ୍ୱରାନ୍ନିତ ହୋଇପାରୁନାହିଁ । ସନ୍ଦିଗ୍ଧ ଆତଙ୍କବାଦୀଙ୍କ ମୁକାବିଲା ପାଇଁ ଥାନାରେ ଆବଶ୍ୟକ ବନ୍ଧକୁ ଓ ଗୋଳାବାରୁଦ ମହଜୁଦ ନାହିଁ । ବେଳେବେଳେ କେବଳ ଲାଠି ଧରି କର୍ମଚାରୀମାନେ ପ୍ରହରାହ ଦେଉଛନ୍ତି । ସମୁଦ୍ର ଭିତରେ ପ୍ରହରା ପାଇଁ ଏହି ଥାନାଗୁଡିକୁ ଅତ୍ୟାଧୁନିକ ବୋଟ୍ ଯୋଗାଇ ଦିଆଯାଇନାହିଁ । ଭଡା ଡଙ୍ଗାରେ ନାଁକୁ ମାତ୍ର ପ୍ରହରା ଦିଆଯାଉଥିବାବେଳେ ଦୁଇଟି ଥାନାରେ କେବଳ ଦୁଇଟି ବନ୍ଧୁକ ଥିବା ଜଣାପଡିଛି । ଆସାମ ଘଟଣା ପରେ ଏବେ ଅନୁପ୍ରବେଶକାରୀଙ୍କ ପ୍ରବୋ ଆଶଙ୍କା ଥିବାରୁ ଏହିସବୁ ଥାନା ଗୁଡିକରେ ଅଧିକ କର୍ମଚାରୀଙ୍କୁ ନିଯୁକ୍ତି ଦେବା ସହ ଆବଶ୍ୟକ ଉପକରଣ ଯୋଗାଇ ଦେବାକୁ ଦାବି ହେଉଛି ।
Comments
Post a Comment