ଭୁବନେଶ୍ୱର(୧/୧୦)-ଧର୍ମ ଜାଗରଣ ସମନ୍ୱୟ ବିଭାଗ, ଓଡିଶା ତରଫରୁ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କର ରାଜ୍ୟସ୍ତରୀୟ ସ୍ମୃତି ସଭା ଓ ବଳିଦାନ ଦିବସ ସ୍ଥାନୀୟ ୟୁନିଟ-୮ ସ୍ଥିତ ସରସ୍ୱତୀ ଶିଶୁବିଦ୍ୟାମନ୍ଦିର ସଭାଗୃହରେ ଅନୁଷ୍ଠିତ ହୋଇ ଯାଇଛି । ବରିଷ୍ଠ ସମାଜସେବୀ ସୂର୍ଯ୍ୟକାନ୍ତ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ଏବଂ ତାଙ୍କ ଚାରି ଜଣ ସହଯୋଗୀଙ୍କର ହତ୍ୟାକାରୀମାନଙ୍କୁ ଧରି ଦଣ୍ଡଦେବାରେ ସରକାରଙ୍କର ବିପଳତାକୁ ଦୃଢ ନିନ୍ଦା କରାଯିବା ସହିତ ସ୍ୱାମୀଜୀଙ୍କର ତ୍ୟାଗପୁତ ଜୀବନ ଏବଂ ବନବୀସମାନଙ୍କର ଉତ୍ଥାନ ତଥା ଧର୍ମରକ୍ଷାପାଇଁ ବଳିଦାନ ବିଷୟରେ ସ୍ମତି ଚାରଣ କରା ଯାଇଥିଲା ।
ଏହି ଦଶମ ସ୍ମୃତି ସଭାରେ ନିଗମ କଳ୍ପତରୁ ଆଶ୍ରମ, ହଂସପାଳର ମୁଖ୍ୟ ସ୍ୱାମୀ ବ୍ରହ୍ମାନନ୍ଦ ସରସ୍ୱତୀ ମହାରାଜ ମୁଖ୍ୟ ଅତିଥିରୂପେ ଯୋଗଦେଇ ସ୍ୱାମୀଜୀଙ୍କ ସେବା ଓ ତ୍ୟାଗର ତୁଳନା ନାହିଁ ବୋଲି କହିବା ସହ ସମସ୍ତେ ସେବା ମନୋଭାବ ନେଇ କାର୍ଯ୍ୟକରିବାକୁ ମାର୍ଗ ଦର୍ଶନ ଦେଇଥିଲେ । ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ସହ ଦୀର୍ଘ ୨୫ ବର୍ଷର କାମ କରିବାର ଅଭିଜ୍ଞତା ତଥା ବନାଂଚଳ ଲୋକମାନଙ୍କ ସ୍ଥିତିର ପରିବର୍ତ୍ତନରେ ସ୍ୱାମୀଜୀଙ୍କର ଅବଦାନ ସମ୍ବନ୍ଧରେ ଆଲେକପାତ କରିଥିଲେ । ବନବାସୀ ପିଲାମାନଙ୍କ ମୁହଁରେ ଅର୍ନଗଳ ସଂସ୍କୃତ କଥା କୁହାଇବା ଏବଂ ଓଡିଶାର ବିଭିନ୍ନ ସ୍ଥାନରେ ସଂସ୍କୃତ ଶିକ୍ଷକ ରୂପେ ବନବାସୀ ପିଲାମାନଙ୍କୁ ଯୋଗ୍ୟ କରାଇବାରେ ସ୍ୱାମୀଜୀଙ୍କର ସମକକ୍ଷ କେହି ନାହାଁନ୍ତି । ବନବାସୀମାନଙ୍କ ସମ୍ବନ୍ଧରେ ଲୋକମାନଙ୍କ ମନରେ ଥିବା ଭ୍ରାନ୍ତ ଧାରଣାକୁ ସ୍ୱାମୀଜୀ ପରିବର୍ତ୍ତନ କରିଥିଲେ ବୋଲି ସ୍ୱାମୀଜୀ ପ୍ରକାଶ କରିଥିଲେ ।
ଆରଏସ୍ଏସ୍ ଢେଙ୍କାନାଳ ବିଭାଗ,କାର୍ଯ୍ୟକାରିଣୀ ସଦସ୍ୟ ହେମନ୍ତ କୁମାର ଧଳ ମୁଖ୍ୟବକ୍ତା ରୂପେ ଯୋଗଦେଇ କହିଲେ ଯେ,ସ୍ୱାମୀଜୀଙ୍କର ଜୀବନ ଦେଶ,ଧର୍ମ ଏବଂ ସମାଜ ପାଇଁ ସଂପୂର୍ଣ୍ଣ ସମର୍ପିତ ଥିଲା ଏବଂ ତାଙ୍କର ଉଦ୍ୟମରେ କନ୍ଧମାଳ ଓ ଗଜପତି ଜିଲ୍ଲାରେ ହଜାର ହଜାର ଲୋକମାନେ ମଦ ଛାଡିଛନ୍ତି । ସେମାନଙ୍କର ଜୀବନ ଧାରଣର ମାନଦଣ୍ଡ ବଢିଛି । ସେ ଜଣେ ସଚ୍ଚା ସନ୍ଥ ଓ ସମାଜ ସଂସ୍କାରକ ଥିଲେ । ଏପରି ଜଣେ ବିଶିଷ୍ଟ ସମାଜସେବୀ ତଥା ସନ୍ଥ ଏବଂ ତାଙ୍କର ଚାରିଜଣ ସହଯୋଗୀଙ୍କୁ ଆଜି ଭଳି ପବିତ୍ର ଦିନରେ ନିର୍ମମଭାବେ ହତ୍ୟା କରିବାର ଦଶବର୍ଷ ବିତି ଯାଇଥିଲେ ମଧ୍ୟ ହତ୍ୟାକାରୀଙ୍କୁ ଧରି ଦଣ୍ଡଦେବାରେ ସରକାରୀ ଉଦାସୀନତା ଏବଂ ପୋଲିସର ଅବହେଳାକୁ ଘୋର ନିନ୍ଦା କରିଥିଲେ ।
ସଂଗଠନର ରାଜ୍ୟ ସଂଯୋଜକ ଆଲୋକ କୁମାର ଖଟୁଆ ସମ୍ମାନୀତ ଅତିଥି ଭାବେ ତ୍ରିନାଥ ଦାଶ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ । ରାମନାମ ସଂଙ୍କିର୍ତ୍ତନରେ ସଭା ଆରମ୍ଭ ହୋଇ ଶାନ୍ତିପାଠରେ ଶେଷ ହୋଇଥିଲା । ସଂପୂର୍ଣ୍ଣ ଆଧ୍ୟାତ୍ମିକ ପରିବେଶରେ ଅନୁଷ୍ଠିତ ଏହି ସଭାରେ ଉପସ୍ଥିତ ବ୍ୟକ୍ତିମାନେ ସ୍ୱାମୀଜୀଙ୍କ ଫଟୋ ନିକଟରେ ପୁଷ୍ପମାଲ୍ୟ ଅର୍ପଣକରିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଆଜି ମଧ୍ୟ ସାରା ଓଡିଶାରେ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ସ୍ମୃତି ନ୍ୟାସ ତରଫରୁ ଭକ୍ତମାନେ ସ୍ମୃତି ଚାରଣ କରିବା ସହିତ ଧର୍ମରକ୍ଷା ଦିବସ ରୂପେ ପାଳନ କରିଛନ୍ତି ।
Comments
Post a Comment