
ଭୁବନେଶ୍ୱ.ର,୧୭/୯(ଭିସାକିଓ): ଆମେ ସଂଘର ସାର୍ବଭୌମତ୍ୱ ଚାହୁଁନା, ଆମେ ସମାଜର ସାର୍ବଭୌମତ୍ୱ ଚାହୁଁ । ସମାଜରେ ଭଲ କାମ ପାଇଁ ସଂଘର ଆବଶ୍ୟକତା ପଡିଲେ ସେହି କାମରେ ଆମେ ଲାଗିଥାଉ । ସମାଜରେ ସକରାତ୍ମକ କାର୍ଯ୍ୟ ସମାଜର ସାଧାରଣ ଲୋକମାନଙ୍କ ଦ୍ୱାରା ପୂରଣ କରାଯାଇ ପାରିବ । ଏହା ହେଉଛି ସଂଘର ଲକ୍ଷ୍ୟ ବୋଲି ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ସରସଂଘ ଚାଳକ ଡା.ମୋହନ ଭାଗବତ ପ୍ରକାଶ କରିଛନ୍ତି ।

ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ତରଫରୁ ‘ଭବିଷ୍ୟତ ଭାରତ’ଏକ ତିନିଦିନିଆ ବକ୍ତୃତା ମାଳା ନୂଆଦିଲ୍ଲୀର ବିଜ୍ଞାନ ଭବନ ଠାରେ ସେପ୍ଟମ୍ବର ୧୭ ତାରିଖରୁ ୧୯ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେଉଅଛି । ଉକ୍ତ ବକ୍ତୃତା ମାଳାରେ ସରସଂଘ ଚାଳକ ଡା. ମୋହନ ଭାଗବତ ସଂଘ ଦୃଷ୍ଟିରେ ଆଗାମୀ ଭାରତର ପରିକଳ୍ପନା ଉପରେ ନିଜର ବକ୍ତୃତା ପ୍ରଦାନ କରୁଛନ୍ତି । ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ଦୃଷ୍ଟିରୁ ଭାରତର ସଂରଚନାକୁ ବିସ୍ତାର ରୂପେ ଡା. ଭାଗବତ ବିଶିଷ୍ଟ ବ୍ୟକ୍ତିଙ୍କ ସମାବେଶରେ ଉପସ୍ଥାପନ କରିବା ହିଁ ବକ୍ତୃତାର ଆଭିମୂଖ୍ୟ ।

ଦେଶର ବୁଦ୍ଧିଜୀବୀ,ରାଷ୍ଟ୍ରପ୍ରେମୀ ଓ ଚିନ୍ତାନାୟକମାନଙ୍କୁ ଉଦ୍ବୋଧନ ଦେଇ ସଂଘର ସଂସ୍ଥାପକ ଡା. କେଶବ ବଳିରାମ ହେଡଗେୱାରଙ୍କ ସଂଘ ବିଚାରକୁ ପ୍ରଥମ ସତ୍ରରେ ପ୍ରକାଶ କରି ଡା. ଭାଗବତ କହିଲେ ଯେ,ନିଜର ସ୍ଥାପନା ସମୟରେ ହିଁ ସଂଘର ଲକ୍ଷ୍ୟ ବ୍ୟକ୍ତି ନିର୍ମାଣ ମାଧ୍ୟମରେ ସମାଜ ନିର୍ମାଣ କରୁଅଛି । ଯେବେ ସମର୍ଥ, ସଂସ୍କାରବାନ ଏବଂ ସଂପୂର୍ଣ୍ଣ ସମାଜ ପ୍ରତି ଏକାତ୍ମ ଭାବ ରଖୁଥିବା ସମାଜ ନିର୍ମାଣ ହୋଇ ଯିବ ତେବେ ସମାଜ ନିଜ ହିତ ପାଇଁ ସମସ୍ତ କାର୍ଯ୍ୟ ନିଜେ କରିବା ପାଇଁ ସକ୍ଷମ ହେବ ।
ସଂଘର ସ୍ୱଭାବ ଏବଂ ଏହାର ପ୍ରବୃତ୍ତି ବିଷୟରେ ଡା. ଭାବଗତ କହିଲେ ଯେ, ସଂଘର କାର୍ଯ୍ୟ ଶୈଳୀ ବିଶ୍ୱରେ ଅଦ୍ୱିତୀୟ । ଏହାକୁ କାହା ସହିତ ତୁଳନା କରାଯାଇ ପାରିବ ନାହିଁ । କାରଣ ସଂଘ କୌଣସି ପ୍ରଚାର ପ୍ରସାର ପଛରେ ଧାଏଁ ନାହିଁ । ସମସ୍ତ ବିଚାରଧାରାର ବ୍ୟକ୍ତିମାନଙ୍କ ସହିତ ସଂଘ ବନ୍ଧୁତ୍ୱ ଭାବ ସୃଷ୍ଟି କରିଥାଏ । ଡା.ହେଡେଗେୱାରଙ୍କ ମିତ୍ରମାନଙ୍କ ମଧ୍ୟରେ ସାବରକରଙ୍କ ଠାରୁ ଆରମ୍ଭ କରି ଏମ୍ଏନ୍ ରାୟଙ୍କ ପରି ବ୍ୟକ୍ତି ସାମିଲ ଥିଲେ । ସେ କାହାକୁ ପର ବୋଲି ଭାବୁନଥିଲେ କି ସଂଘ କାହାକୁ ପର ଭାବୁନଥିଲା । ସମାଜକୁ ଗୁଣବତ୍ତାପୂର୍ଣ୍ଣ କରିବା ପ୍ରୟାସରେ ଦେଶକୁ ବୈଭବପୂର୍ଣ୍ଣ କରିହେବ ବୋଲି ସଂଘ ମାନୁଥିଲା । ବ୍ୟବସ୍ଥାରେ ସ୍ୱଚ୍ଛତା । ସେଥିପାଇଁ ସମାଜର ସ୍ୱଚ୍ଛତା ଆବଶ୍ୟକ ଏବଂ ସମାଜକୁ ପରିଷ୍କାର କରିବା ପାଇଁ ବ୍ୟକ୍ତି ନିର୍ମାଣ ହିଁ ଏକ ଉପାୟ । ପ୍ରତ୍ୟେକ ଗାଁ, ପ୍ରତ୍ୟେକ ଗଳିରେ ଏହିପରି ନାୟକମାନଙ୍କର ଶୃଙ୍ଖଳ ଠିଆ କରିବା ସଂଘର ଉଦ୍ଦେଶ୍ୟ । ଯେଉଁମାନେ କି ସମାଜ ଦ୍ୱାରା ପ୍ରେରିତ ହୋଇ ରାଷ୍ଟ୍ରକାର୍ଯ୍ୟରେ ନିଜକୁ ସାମିଲ କରିବେ ।

ଭଦ୍ରରହିତ ଏବଂ ସମତାମୁକ୍ତ ସମାଜ ନିର୍ମାଣ ସଂଘର ଦ୍ୱିତୀୟ ଲକ୍ଷ୍ୟ ବୋଲି ଡା.ଭାଗବତ ପ୍ରକାଶ କରି କହିଲେ ଯେ, ଆମର ବିବିଧତାର ମର୍ମ ହେଉଛି ଆମର ଏକାତ୍ମତା । ବିବିଧତା ପ୍ରତି ସମ୍ମାନ ହିଁ ଭାରତର ଶକ୍ତି । ପୂର୍ବତନ ରାଷ୍ଟ୍ରପତି ଡା.ଏପିଜେ ଅବଦୁଲ କାଲାମ, ଏମ୍ ଏନ୍ ରାୟ, ଡା. ରବୀନ୍ଦ୍ରନାଥ ଠାକୁର ଆଦି ଅନେକ ମହାପୁରୁଷଙ୍କ ଉଦାହରଣ ଦେଇ ଡା. ଭାଗବତ କହିଲେ ଯେ, ଏହି ଦେଶର ସମାଜକୁ ନିଜର ଐତିହ୍ୟ ପ୍ରତି ବିଶ୍ୱାସ କରିବାର ଆବଶ୍ୟକତା ରହିଛି । ଏହି ବିଶ୍ୱାସ ଭାରତର ପ୍ରାଚୀନ ସଂସ୍କୃତି ଓ ପରମ୍ପରାରୁ ସୃଷ୍ଟି ହୋଇଛି । ଭାରତର ମୂଳତତ୍ୱକୁ ଅଣଦେଖା କରିବାର ପ୍ରୟାସ କରାଯାଉଥିଲେ ମଧ୍ୟ ଏହା ବିଫଳ ହୋଇଛି ।
ଡା. ଭାଗବତ କହିଲେ ଯେ, ସଂଘ ଏବଂ ଏହାର କାର୍ଯ୍ୟକ୍ରମର ବିକାଶ ନିଜର କାର୍ଯ୍ୟକର୍ତ୍ତାଙ୍କର ଶକ୍ତି ଓ ପ୍ରେରଣାରେ ହୋଇଥାଏ । ସଂଘର ଏଥିରେ କୌଣସି ଭୂମିକା ନଥାଏ । ବିପଦ ଏବଂ ସଂକଟ ସମୟରେ ସଂଘର ପ୍ରତ୍ୟେକ ସ୍ୱୟଂସେବକ ଦେଶର ପ୍ରତ୍ୟେକ ନାଗରୀକଙ୍କ ସହିତ ଛିଡା ହୋଇଥାଏ । ଏହା ସଂଘର ସ୍ୱଭାବ ।
ଏହି ବ୍ୟାଖ୍ୟାନମାଳାରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଉତ୍ତତ୍ତର କ୍ଷେତ୍ର ସଂଘଚାଳକ ଡା.ବଜରଙ୍ଗଲାଲ ଗୁପ୍ତା କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ । ବିଜ୍ଞାନ ଭବନ ସଭାଗୃହରେ ସମାଜର ବିଭିନ୍ନ କ୍ଷେତ୍ରର ବରିଷ୍ଠ ବ୍ୟକ୍ତିମାନେ ଉପସ୍ଥିତ ଥିଲେ । ସେମାନଙ୍କ ମଧ୍ୟରେ ଅନେକ ଦେଶର ରାଜଦୂତ, ଅନେକ କେନ୍ଦ୍ରମନ୍ତ୍ରୀ, ଚଳତିତ୍ର ଜଗତର ବରିଷ୍ଠ କଳାକାର, ବରିଷ୍ଠ ଆଇନଜୀବୀ, ବରିଷ୍ଠ ରାଜନୀତଜ୍ଞ ପ୍ରମୁଖ ଉପସ୍ଥିତ ଥିଲେ ।
Comments
Post a Comment