ଭୁବନେଶ୍ୱର),୩/୯: ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ସହସରକାର୍ଯ୍ୟବାହ ଡା. ମନମୋହନ ବୈଦ୍ୟ କହିଛନ୍ତି ଯେ, କେରଳରେ ପ୍ରାକୃତିକ ବିପର୍ଯ୍ୟୟ ବେଳେ ସେବା ଭାରତୀ ଦ୍ୱାରା କରାଯାଇଥିବା ପ୍ରୟାସ ସହିତ ସଂପୂର୍ଣ୍ଣ ଦେଶ ଛିଡା ହୋଇଛି । କେରଳରେ ଚାଲିଥିବା ସେବା ଭାରତୀ ସହାୟତା କାର୍ଯ୍ୟରେ ୧.୨୦ଲକ୍ଷ କାର୍ଯ୍ୟକର୍ତ୍ତା ଲାଗିଛନ୍ତି । ୩୦୦ଟି ସହାୟତା ଶିବିର ଖୋଲାଯାଇଛି ଏବଂ ୨୫୦ଟି ଚିକିତ୍ସା ଶିବିର ଜରିଆରେ ସେବା ପ୍ରଦାନ କରାଯାଉଛି । ଉଦ୍ଧାର କାର୍ଯ୍ୟରେ ୩୫୦ଟି ନୌକା ନିୟୋଜିତ ହୋଇଛି । କେରଳର ୭୫,୬୦୦ ଲୋକଙ୍କୁ ଉଦ୍ଧାର କରାଯାଇ ଶିବିରମାନଙ୍କରେ ପହଁଚା ଯାଇଛି । ବର୍ତ୍ତମାନ ସୁଦ୍ଧା ୨୦୦୦ଟନ୍ ଖାଦ୍ୟ ବଂଟନ କରାଯାଇଛି । ସେପ୍ଟେମ୍ବର ୧ ତାରିଖ ଦିନ ୨ଲକ୍ଷ ସ୍ୱୟଂସେବକ ଏବଂ ସମାଜ ବନ୍ଧୁ ବ୍ୟାପକ ସ୍ୱଚ୍ଛତା-ପରିଚ୍ଛନତା ଅଭିଯାନରେ ସାମିଲ ହୋଇଛନ୍ତି । ଆନ୍ଦ୍ରପ୍ରଦେଶର ମଂତ୍ରାଳୟ ଠାରେ ସଂଘର ତ୍ରିଦ୍ୱିବସୀୟ ସମନ୍ୱୟ ବୈଠକର ଶେଷ ଦିବସରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଡା. ବୈଦ୍ୟ ଏହା ପ୍ରକାଶ କରି କହିଲେ ଯେ, ପ୍ରାଦେଶିକତାବାଦ, ଜାତିବାଦ, ସଂପ୍ରଦାୟ ନାମରେ ବିଭାଜନ କରିବାର ଷଡଯନ୍ତ୍ରକାରୀ ପ୍ରଚେଷ୍ଠାକୁ ବିଫଳ କରିବାକୁ ହେଲେ ସମଗ୍ର ସମାଜକୁ ଏକ ସଙ୍ଗେ ମିଳି ମିଶି କାମ କରିବାକୁ ହେବ । ବିବିଧତାର ଅର୍ଥ କେବେହେଲେ ମତଭେଦ ହୋଇ ନପାରେ । ଆମେ ଆମ ସଂସ୍କୃତିରେ ସଦା ସର୍ବଦା ବିବିଧତାର ପର୍ବ ପାଳନ କରି ଆସୁଛନ୍ତି ।
ସହସରକାର୍ଯ୍ୟବାହ କହିଲେ ଯେ, ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ଯୁବଶକ୍ତିକୁ ସକାରାତ୍ମକ ଓ ରଚନାତ୍ମକ କାର୍ଯ୍ୟରେ ଲଗାଯିବା ପ୍ରୟାସର ଗତି ବୃଦ୍ଧି ନିମନ୍ତେ ଲାଗି ରହିଛି । ସଂଘ ଏବଂ ଏହାର ସମସ୍ତ ସଂଗଠନ ଗୁଡିକ ସଂପୂର୍ଣ୍ଣ ସମାଜକୁ ସାଥିରେ ନେଇ ଜଳ ସଂରକ୍ଷଣ ଏବଂ ପର୍ଯ୍ୟାବରଣ ସଂରକ୍ଷଣ ପାଇଁ ସମାଜ ବ୍ୟାପି ଆନ୍ଦୋଳନ ଚଳାଇବ ।
Comments
Post a Comment