ବିଦ୍ୟା ଭାରତୀ ରାଷ୍ଟ୍ରୀୟ ଜ୍ଞାନ ବିଜ୍ଞାନ ମେଳାରେ ଭାଗନେବେ ୩୫୨ଜଣ କୁନି ବୈଜ୍ଞାନିକ
ଭୁବନେଶ୍ୱର(୧୫/୧୧): ଓଡିଶାରେ ଅନୁଷ୍ଠିତ ହେଉଛି ଜ୍ଞାନବିଜ୍ଞାନ ମହାକୁମ୍ଭ । ଏଥିରେ ଭାଗ ନେବା ପାଇଁ ଆସୁଛନ୍ତି ସାରା ଭାରତରୁ ୩୫୨ ଜଣ କୁନି କୁନି ବୈଜ୍ଞାନିକ । ଏହି ଜ୍ଞାନ ବିଜ୍ଞାନ ମହାକୁମ୍ଭ ପାଇଁ କଟକ ସହର ଚଳ ଚଂଚଂଳ । ସାରା ଭାରତରୁ ଆସୁଥିବା କୁନି କୁନି ବୈଜ୍ଞାନିକମାନଙ୍କ ପାଇଁ ପ୍ରସ୍ତୁତି ପର୍ବ ଶେଷ ଉପରେ ।
ଅଖିଳ ଭାରତ ଶିକ୍ଷା ସଂସ୍ଥାନ, ବିଦ୍ୟା ଭାରତୀ ସହ ସଂଲଗ୍ନ ଓଡିଶାର ଶିକ୍ଷା ବିକାଶ ସମିତି ଆନୁକୂଲ୍ୟରେ ଏହି ଜ୍ଞାନବିଜ୍ଞାନ ମହାକୁମ୍ଭ ଅନୁଷ୍ଠିତ ହେଉଅଛି । କଟକର ଗତିରାଉତପାଟଣା କେଶବଧାମସ୍ଥିତ ଆବାସିକ ସରସ୍ୱତୀ ବିଦ୍ୟାମନ୍ଦିରଠାରେ ଆସନ୍ତା ୧୭ରୁ ୨୦ ତାରିଖ ପର୍ଯ୍ୟନ୍ତ ରାଷ୍ଟ୍ରୀୟ ଜ୍ଞାନବିଜ୍ଞାନ ମେଳା -୨୦୧୮ ଆୟୋଜିତ ହେବାକୁ ଯାଉଛି ବୋଲି ଆଜି ଭୁବନେଶ୍ୱର ୟୁନିଟ-୩ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଠାରେ ରାଷ୍ଟ୍ରୀୟ ଜ୍ଞାନବିଜ୍ଞାନ ମେଳା -୨୦୧୮ର ସଂଯୋଜକ ଡ. କିଶୋର ଚନ୍ଦ୍ର ମହାନ୍ତି ଏକ ସାମ୍ବାଦିକ ସମ୍ମିଳନୀରେ ଏହି ବିଷୟ ପ୍ରକାଶ କରିଛନ୍ତି ।
ଶ୍ରୀ ମହାନ୍ତି ପ୍ରକାଶ କରିଛନ୍ତି ଯେ,ଏହି କାର୍ଯ୍ୟକ୍ରମରେ ଭାରତର ୧୧ଟି କ୍ଷେତ୍ରରୁ ବିଜ୍ଞାନ ବିଭାଗରେ ୧୬୫ ପ୍ରକଳ୍ପ, ୯୯ ପ୍ରଶ୍ନମଂଚ, ୨୨ ପତ୍ର ବାଚନ, ୫୫ ପ୍ରୟୋଗ, ୧୧ ଆଚାର୍ଯ୍ୟ ପତ୍ର ବାଚନକୁ ମିଶାଇ ମୋଟ ୩୫୨ ଜଣ ପ୍ରତିଭାଗୀ ଏବଂ ଗଣିତ ବିଭାଗରେ ୧୯୮ ପ୍ରତିଭାଗୀଙ୍କୁ ମିଶାଇ ମୋଟ ୫୫୦ ଜଣ ପ୍ରତିଭାଗୀ, ୨୦୦ ଜଣ ବିଜ୍ଞାନ ଆଚାର୍ଯ୍ୟ ଏବଂ ଆବଶ୍ୟକ ସଂଖ୍ୟକ ପରିଚାଳକ ରହିବେ । ଏଥିରେ ଚାନ୍ଦିପୁର ଡିଆରଡିଓର ନିର୍ଦ୍ଦେଶକ ଡ. ବିନୟ କୁମାର ଦାଶ ମୁଖ୍ୟ ଅତିଥି, କଟକ ଏନଆରଆରଆଇ ର ନିର୍ଦ୍ଦେଶକ ଡ. ହିମାଂଶୁ ପାଠକ ବିଶିଷ୍ଟ ଅତିଥି ଭାବେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।
ବିଦ୍ୟାଭାରତୀର ସହ ସଂଗଠନ ମନ୍ତ୍ରୀ ଗୋବିନ୍ଦ ଚନ୍ଦ୍ର ମହନ୍ତଙ୍କ ମାର୍ଗଦର୍ଶନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସଂଗଠନର ସହ ମନ୍ତ୍ରୀ ଡ. କିଶୋର ଚନ୍ଦ୍ର ମହାନ୍ତି, ସଂଯୋଜକ ଏବଂ ଉତରପୂର୍ବ ସମ୍ଭାଗ ସଂପାଦକ କମଳାକାନ୍ତ ମିଶ୍ର ବ୍ୟବସ୍ଥା ପ୍ରମୁଖ ଦାୟିତ୍ୱରେ ରହିବେ । ଉକ୍ରଳ ବିଶ୍ୱବିଦ୍ୟାଳୟ, ରେଭେନ୍ସା ବିଶ୍ୱବିଦ୍ୟାଳୟ, ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ଓ କଟକ ଭୁବନେଶ୍ୱରର ପ୍ରତିଷ୍ଠିତ ମହାବିଦ୍ୟାଳୟଗୁଡିକର ଅଭିଜ୍ଞ ଶିକ୍ଷାବିତମାନଙ୍କ ଦ୍ୱାରା ପ୍ରକଳ୍ପ ଗୁଡିକର ମୂଲ୍ୟାଙ୍କନ କରାଯିବ । ସ୍ଥାନୀୟ ବିଦ୍ୟାର୍ଥୀମାନେ ୧୯ ତାରିଖ ପୂର୍ବୂାହ୍ନ ୯ଟାରୁ ୧୨ଟା ମଧ୍ୟରେ ପୂର୍ବ ଅନୁମତି କ୍ରମେ ଏହି ବିଜ୍ଞାନ ମେଳା ପରିଦର୍ଶନ କରିପାରିବେ ବୋଲି ଶ୍ରୀ ମହାନ୍ତି ପ୍ରକାଶ କରିଛନ୍ତି ।
ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ଅନୁଷ୍ଠାନର ପୁରୀ ବିଭାଗ ସଦସ୍ୟ ଶ୍ରୀ ଯଶୋବନ୍ତ ଦାସ ଏବଂ ସ୍ଥାନୀୟ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଶ୍ରୀ ଲକ୍ଷୀ୍ମନାରାୟଣ ରଥ ପ୍ରମୁଖ ଉପସ୍ଥିତ ଥିଲେ ।
Comments
Post a Comment