ବିଦ୍ୟା ଭାରତୀ ରାଷ୍ଟ୍ରୀୟ ଜ୍ଞାନ ବିଜ୍ଞାନ ମେଳା ଉଦଯାପିତ

ଭୁବନେଶ୍ୱର,୨୦/୧୧: ଶିକ୍ଷା ବିକାଶ ସମିତି, ଓଡିଶାଙ୍କ ଦ୍ୱାରା ଆୟୋଜିତ ବିଦ୍ୟାଭାରତୀ ରାଷ୍ଟ୍ରୀୟ ଜ୍ଞାନ ବିଜ୍ଞାନ ମେଳା ସରସ୍ୱତୀ ବିଦ୍ୟା ମନ୍ଦିର, କେଶବଧାମ, ଗତିରାଉତପାଟଣା, କଟକଠାରେ ବିଦ୍ୟାଭାରତୀର ରାଷ୍ଟ୍ରୀୟ ମନ୍ତ୍ରୀ ମାନନୀୟ ଶିବ କୁମାର ଜୀଙ୍କ ଅଧ୍ୟକ୍ଷତାରେ ଉଦଯାପିତ ହୋଇଯାଇଅଛି । କଟକ ଜିଲ୍ଲାର ଶିକ୍ଷା ଅଧିକାରୀ ନିରଞ୍ଜନ ବେହେରା ମୁଖ୍ୟ ଅତିଥି ଭାବରେ ଯୋଗଦେଇ ବିଜ୍ଞାନ କ୍ଷେତ୍ରରେ ନିଜର ଅଧ୍ୟବସାୟ ଓ ଗବେଷଣାରେ ମନୋନିବେଶ କରି ନିଜେ ବିକଶିତ ହେବା ସହ ଦେଶକୁ ବିକାଶର ଶୀର୍ଷରେ ପହଂଚାଇବା ପାଇଁ ଆହ୍ୱାନ ଦେଇଥିଲେ ।


ବିଦ୍ୟାଭାରତୀର ରାଷ୍ଟ୍ରୀୟ ମହାମନ୍ତ୍ରୀ ମାନନୀୟ ଲଳିତ ବିହାରୀ ଗୋସ୍ୱାମୀ ବିଶିଷ୍ଟ ଅତିଥି ଭାବରେ ଉପସ୍ଥିତ ରହି ତାଙ୍କ ଉଦ୍ବୋଧନରେ କହିଥିଲେ ଯେ ଅସଫଳତାର ଦୋଷ ନିଜ ଉପରକୁ ନେଇ ସଫଳତାର ଶ୍ରେୟ ଅନ୍ୟକୁ ଦେଲେ କଲାମଙ୍କ ପରି ମହାନ ବୈଜ୍ଞାନିକ ସୃଷ୍ଟି ହୋଇପାରିବେ । ଭାରତ ମୋର ମାଆ ଓ ମୁଁ ତା’ର ସନ୍ତାନ ଅଟେ । ଏଥିପାଇଁ ଆମେ ଗର୍ବ କରିବା ଉଚିତ ।


ବିଦ୍ୟାଭାରତୀର ରାଷ୍ଟ୍ରୀୟ ସହ ସଂଗଠନ ମନ୍ତ୍ରୀ ମାନନୀୟ ଗୋବିନ୍ଦ ଚନ୍ଦ୍ର ମହାନ୍ତ ସମସ୍ତ କୁନି ବୈଜ୍ଞାନିକମାନଙ୍କୁ ଆଗାମୀ ଦିନରେ ସମସ୍ତେ ବିଜ୍ଞାନ ଓ ଗଣିତ କ୍ଷେତ୍ରରେ ଶୀର୍ଷ ସ୍ଥାନରେ ପହଂଚି ନିଜର ପରିବାର, ବିଦ୍ୟାଳୟ ଓ ରାଷ୍ଟ୍ରର ଗୌରବ ହୁଅନ୍ତୁ ବୋଲି ଆଶୀର୍ବଚନ ପ୍ରଦାନ କରିଥିଲେ ।


ବିଦ୍ୟାଭାରତୀର ରାଷ୍ଟ୍ରୀୟ ସହମନ୍ତ୍ରୀ ଡଃ. କିଶୋର ଚନ୍ଦ୍ର ମହାନ୍ତି ମଂଚାସୀନ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିବା ବେଳେ ବିଦ୍ୟାଭାରତୀର ରାଷ୍ଟ୍ରୀୟ ବୈଦିକ ଗଣିତ ସଂଯୋଜକ ଦେବେନ୍ଦ୍ର ରାଓ ଦେଶମୁଖ ଜୀ ଧନ୍ୟବାଦ ଅର୍ପଣ କରିଥିଲେ । ମଂଚାସୀନ ଅତିଥିମାନଙ୍କ ଦ୍ୱାରା କୃତି ପ୍ରତିଭାଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା  । ଏହି ଜ୍ଞାନ ବିଜ୍ଞାନ ମେଳାରେ ବିଜ୍ଞାନ ବିଷୟରେ ଉତ୍ତରପୂର୍ବ କ୍ଷେତ୍ର ଚାମ୍ପିୟନ ହୋଇଥିବା ବେଳେ ଗଣିତ ବିଷୟରେ ପୂର୍ବକ୍ଷେତ୍ର ଚାମ୍ପିୟନ ହୋଇଛନ୍ତି  । ଓଡିଶା ପ୍ରଦେଶରୁ ବାଲ ବର୍ଗ ବିଜ୍ଞାନ ପ୍ରକଳ୍ପରେ ଶ୍ରୀ ପ୍ରିୟାଂଶୁ ଜେନା, ଘୋଡାବଜାର, ପୁରୀର ଛାତ୍ର ପ୍ରଥମ ସ୍ଥାନ, କିଶୋର ବର୍ଗର ଜ୍ୟୋତିରାଦିତ୍ୟ ପୃଷ୍ଟି, ଖଜୁରିଆକଟା, ଦ୍ୱିତୀୟ ସ୍ଥାନ, ତରୁଣ ବର୍ଗର ରୋଜାଲିନ ସାହୁ, ନାଲକୋନଗର ତୃତୀୟ ସ୍ଥାନ ଓ ସ୍ୱାଶିଷ କୁମାର ସାହୁ, ନୀଳକଣ୍ଠନଗର, ବ୍ରହ୍ମପୁର ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି  । ଗଣିତ ପ୍ରକଳ୍ପରେ ବାଲ ବର୍ଗର ସିମରନ ମୁଣ୍ଡ, ବ୍ରଜବିହାର, ଭବାନୀପାଟଣା ଦ୍ୱିତୀୟ ସ୍ଥାନ, କିଶୋର ବର୍ଗର ଆଶିଷ ପୃଷ୍ଟି, ଢେଙ୍କାନାଳ ପ୍ରଥମ ସ୍ଥାନ, କିଶୋର ବର୍ଗ ବୈଦିକ ଗଣିତ ପତ୍ରବାଚନରେ ବେଦପ୍ରକାଶ, ୟୁନିଟ-୮, ଭୁବନେଶ୍ୱର ଦ୍ୱିତୀୟ ସ୍ଥାନ, ତରୁଣ ବର୍ଗ ବିଜ୍ଞାନ ପ୍ରୟୋଗ (ରସାୟନ) ରେ ବେଦପ୍ରକାଶ ପୃଷ୍ଟି, କେଶବଧାମ, କଟକ ପ୍ରଥମ ସ୍ଥାନ, ତରୁଣ ବର୍ଗ ବୈଦିକ ଗଣିତ ପତ୍ରବାଚନରେ ଅର୍ପିତ କୁମାର ଗିରି, ତୁଳସୀପୁର, କଟକ ଦ୍ୱିତୀୟ ସ୍ଥାନ, ତରୁଣ ବର୍ଗ ବିଜ୍ଞାନ ପତ୍ରବାଚନରେ ଅଭିପ୍ସା ମରାଣ୍ଡି, ନାଲକୋନଗର, ଅନୁଗୁଳ ତୃତୀୟ ସ୍ଥାନ, ତରୁଣ ବର୍ଗ ବୈଦିକଗଣିତ ପ୍ରଶ୍ନମଞ୍ଚରେ ତୁଳସୀପୁର ଶିଶୁ ବିଦ୍ୟା ମନ୍ଦିର ତୃତୀୟ ସ୍ଥାନ, କିଶୋର ବର୍ଗ ବୈଦିକଗଣିତ ପ୍ରୟୋଗରେ ସମୀକ୍ଷା ରଂଜନ ସାହୁ, ବାରିପଦା, ପ୍ରଥମ ସ୍ଥାନ, ତରୁଣ ବର୍ଗ ବୈଦିକ ଗଣିତ ପ୍ରୟୋଗରେ କୁମାର ଗୌରବ, ଘୋଡାବଜାର, ପୁରୀ ତୃତୀୟ ସ୍ଥାନ, ଆଚାର୍ଯ୍ୟ ପତ୍ରବାଚନ (ବୈଦିକ ଗଣିତ) ରେ ତେଜରାଜ ଦାଶ, ବରଗଡ (ଓଡିଆ ବିଭାଗ) ପ୍ରଥମ ସ୍ଥାନ ଏବଂ ଆଚାର୍ଯ୍ୟ ପତବାଚନ (ବିଜ୍ଞାନ)ରେ ମଧୁସ୍ମିତା ମିଶ୍ର ଦ୍ୱିତୀୟ ସ୍ଥାନ ଅଧିକାର କରି ଓଡିଶାକୁ ଗୌରବାନ୍ୱିତ କରିଛନ୍ତି  ।
ଗୋଲଖ ଚନ୍ଦ୍ର ଦାସ

Comments