ଭୁବନେଶ୍ୱର,୪/୧୧: “ବର୍ତମାନ ସୋସିଆଲ ମିଡିଆରେ ଆମେ ଯେଉଁ ବାଦ ବିବାଦ ଦେଖିବାକୁ ମିଳୁଛି ତାହାକୁ ଛୋଟ ମୋଟ ଝଗଡ଼ା କୁହାଯାଇପାରେ । କିନ୍ତୁ ଆଗମୀ ଦିନମାନଙ୍କରେ ଭିନ୍ନ ରାଜନୈତିକ ବିଚାରଧାରା ଓ ବୈବସାୟିକ ସ୍ୱାର୍ଥ ପ୍ରବୃତିକୁ ନେଇ ଜୋରଦାର ସଂଘର୍ଷ ହୋଇପାରେ । ଦିନକୁ ଦିନ ଇଂଟରନେଟ ବ୍ୟବହାରକାରୀଙ୍କ ସଂଖ୍ୟା ବଢ଼ୁଥିବାରୁ ସୋସିଆଲ ମିଡିଆ ରଣକ୍ଷେତ୍ରରେ ପରିଣତ ହେବାକୁ ଯାଉଛି ।” ବିଶ୍ୱ ସମ୍ବାଦ କେନ୍ଦ୍ର,ଓଡିଶା ଦ୍ୱାରା ଇଡକଲ୍ ଅଡିଟୋରିୟମଠାରେ ଆୟୋଜିତ ହୋଇଥିବା ‘ସୋସିଆଲ୍ ମିଡିଆ କନ୍କ୍ଲେଭ’ରେ ଯୋଗଦେଇ ରାଇଟ୍ ନାଓ ନ୍ୟୁଜ୍ ଆପ୍ଲିକେଶନର ସିଇଓ ଏବଂ ନୀତି ଆୟୋଗର ସୋସିଆଲ୍ ମିଡିଆ ପରାମର୍ଶ ଦାତା ଆଜିଙ୍କ୍ୟ କୁଲକର୍ଣ୍ଣୀ ଏହା କହିଛନ୍ତି । ଏହି ଅବସରରେ ସେ ଆହୁରି କହିଛନ୍ତି ଯଦି ଇଂଟରନେଟ୍ ବ୍ୟବହାରକାରୀମାନେ ଠିକ୍ ଭୁଲ୍ ତଥ୍ୟ ଭିତରେ ଫରକ୍ ନ ବୁଝି ପାରନ୍ତି ଓ ଠିକ୍ ତଥ୍ୟ କେଉଁଠାରୁ ମିଳିବ ତାହା ଜାଣି ନ ପାରନ୍ତି ତେବେ ବିଭିନ୍ନ ନ୍ୟଷ୍ଟ ସ୍ୱାର୍ଥ ଗୋଷ୍ଠୀଙ୍କ ଦ୍ୱାରା ପ୍ରଭାବିତ ହେବାର ସମ୍ଭାବନା ରହିଛି ।
ବିଶ୍ୱ ସମ୍ବାଦ କେନ୍ଦ୍ରର ସଂପାଦକ ସୁମନ୍ତ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମାଜ ନିର୍ମାଣରେ ସୋସିଆଲ୍ ମିଡିଆ ଶୀର୍ଷକ ଆଲୋଚନା ଚକ୍ରରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ଶରତ ମିଶ୍ର ଯୋଗଦେଇ ନିଜ ମତ ରଖିଥିଲେ । ସେ ମଧ୍ୟ ବହୁଭାଷୀ ଖବର ସଂଗ୍ରହ ଆପ୍ଲିକେଶନ ‘ରାଇଟ୍ ନାଓ’ର ଊନ୍ମୋଚନ କରିଥିଲେ । ଏହି ଆପ୍ଲିକେଶନ ଜରିଆରେ ବିଭିନ୍ନ ସମୟରେ ପ୍ରକାଶିତ ଖବର ଓ ଜରୁରୀ ତଥ୍ୟକୁ ଗୋଟିଏ ଜାଗାରେ ଦେଖିହେବ । ସୋସିଆଲ ମିଡିଆରେ ସକ୍ରିୟ ଥିବା ଓ ଏହା ଜରିଆରେ ସମାଜରେ ସକାରତ୍ମକ ପରିବର୍ତନ ଆଣିବାକୁ ଆଗ୍ରହୀ ଥିବା ଯୁବତୀଯୁବକମାନେ ଏଥିରେ ବିପୁଳ ସଂଖ୍ୟାରେ ଯୋଗଦାନ କରିଥିଲେ । ସୋସିଆଲ ମିଡିଆରେ ବିଭିନ୍ନ ସାମାଜିକ ଓ ସାଂସ୍କୃତିକ ପ୍ରସଙ୍ଗକୁ ନେଇ ନିଜର ଶାଣିତ ମତ ରଖୁଥିବା ବୁଦ୍ଧିଜୀବୀ ଅନିଲ ଧୀର ଓ ବିଶ୍ୱରଞ୍ଜନ ମିଶ୍ରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ସାମାଜିକ କର୍ମୀ ରବି ନାରାୟଣ ପଣ୍ଡା, ସାରଦା ପ୍ରସାଦ ଶତପଥି,ଦେବଦତ ଜେନା, ତପେସ ଦାସ ପ୍ରମୁଖ ପରିଚାଳନା କରିଥିଲେ ।
ଗୋଲଖ ଚନ୍ଦ୍ର ଦାସ
କାର୍ଯ୍ୟାଳୟ ସଂପାଦକ
Comments
Post a Comment