ଦିଲ୍ଲୀ ଠାରେ ଶ୍ରୀ ଶ୍ରୀ ରବିଶଙ୍କରଙ୍କ ଉପସ୍ଥିତିରେ ଅନୁଷ୍ଠିତ ସନ୍ଥ ସମ୍ମିଳନୀରେ ଦୃଢ ମତ ରାମମନ୍ଦିର ନିର୍ମାଣ ପାଇଁ ଅଧ୍ୟାଦେଶ ଆସିପାରିବ : ଚେଲେମେଶ୍ୱର


ମୁମ୍ବାଇ, ୩/୧୧ : କୋଟି କୋଟି ହିନ୍ଦୁମାନଙ୍କ ଆସ୍ଥାର ପ୍ରତୀକ ମର୍ଯ୍ୟାଦାପୁରୁଷୋତ୍ତମ ପ୍ରମୁ ଶ୍ରୀରାମଙ୍କ ଅଯୋଧ୍ୟା ଠାରେ ନିର୍ମାଣ କରିବା ପାଇଁ ବିଭିନ୍ନ ହିନ୍ଦୁ ସଂଗଠନ ଶତାଧିକ ବର୍ଷ କାଳ ନ୍ୟାୟାଳୟର ଶରଣାପନ୍ନ ହୋଇଥିଲେ ହେଁ ଏପର୍ଯ୍ୟନ୍ତ ମାମଲାର ନିଷ୍ପତ୍ତି ହୋଇପାରୁନାହିଁ । ଅହ୍ଲାବାଦ ହାଇକୋର୍ଟ ଦୀର୍ଘ ଦିନର ଶୁଣାଣି ପରେ ବିବାଦୀୟ ଭୂମି ଯେଉଁଠାରେ କି ଏକ ଅସ୍ଥାୟୀ ତମ୍ବୁ ଭିତରେ ଭଗବାନ ରାମଲାଲା ପୂଜା ପାଉଛନ୍ତି ତାହା ହିଁ ପ୍ରକୃତ ରାମ ଜନ୍ମଭୂମି ବୋଲି ରାୟ ଦେବା ସହ ସେଠାରେ ରାମଙ୍କ ମନ୍ଦିର ନିର୍ମାଣର ଅନୁମତି ଦେଇ ଅବଶିଷ୍ଟ ଅଞ୍ଚଳକୁ ମୁସଲମାନ ସମ୍ପ୍ରଦାୟ ଏବଂ ନିର୍ମୁଳି ଆଖଡା ମଧ୍ୟରେ ବାଣ୍ଟି ଦେଇଥିଲେ । କିନ୍ତୁ ଏହି ରାୟ ବିରୁଦ୍ଧରେ ମୁସଲିମ ପର୍ସନାଲ ଲ’ ବୋର୍ଡ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହେବା କାରଣରୁ ମାମଲା ପୁଣି ପୂର୍ବ ଅବସ୍ଥାକୁ ଫେରି ଆସିଛି । ପୂର୍ବତନ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ଦୀପକ କୁମାର ମିଶ୍ର ନିୟମିତ ଶୁଣାଣି ଦ୍ୱାରା ଶୀଘ୍ର ମାମଲାର ଫଇସଲା କରାଯିବ ବୋଲି ମତ ଦେଇଥିଲେ ହେଁ ବର୍ତ୍ତମାନଙ୍କର ମୁଖ୍ୟ ବିଚାରପତି ଜଷ୍ଟସ୍ ରଞ୍ଜନ ଗୋଗୋଇ ମାମଲାକୁ ଜାନୁଆରୀ ପର୍ଯ୍ୟନ୍ତ ଟାଳି ଦେବା କାରଣରୁ ବିଭିନ୍ନ ହିନ୍ଦୁ ସଂଗଠନ ମଧ୍ୟରେ ନୈରାଶ୍ୟ ଦେଖାଦେଇଛି । ଦୀର୍ଘ ବର୍ଷ ଧରି ଅଯୋଧ୍ୟାରେ ରାମମନ୍ଦିର ନିର୍ମାଣ ମୁଦ୍ଦାକୁ ଦୃଢ ସମର୍ଥନ କରିଆସିଥିବା ବିଜେପି କେନ୍ଦ୍ରରେ କ୍ଷମତାରେ ଥିବା ସହ ରାଜ୍ୟରେ ମଧ୍ୟ କ୍ଷମତାସୀନ ରହିଛି । ଏହା ସତ୍ତେ୍ୱ ରାମମନ୍ଦିର ନିର୍ମାଣ ପାଇଁ ଅସମର୍ଥ ହେଲେ ସାଧୁ ସନ୍ଥ ତଥା ହିନ୍ଦୁ ସଂଗଠନ ଗୁଡିକର ରୋଷ ଭାଜନ ହୋଇପାରେ । ଏଣୁ ବିକଳ୍ପ ରାସ୍ତା ଖୋଜାଯାଉଛି । ଅଧ୍ୟାଦେଶ ଦ୍ୱାରା ମନ୍ଦିର ନିର୍ମାଣ ଏକମାତ୍ର ବିକଳ୍ପ ରହିଯାଇଛି ବୋଳି ଅନେକଙ୍କ ମତ୍ତ । ଏହି ପରିପ୍ରେକ୍ଷୀରେ ଶନିବାର ଦିନ ଦିଲ୍ଲୀର ତାଲକୋଟରା ଷ୍ଟାଡିୟମ ଠାରେ ଆଧ୍ୟାତ୍ମିକ ଗୁରୁ ଶ୍ରୀ ଶ୍ରୀ ରବିଶଙ୍କରଙ୍କ ଅଧ୍ୟକ୍ଷତାରେ ବିଶ୍ୱହିନ୍ଦୁ ପରିଷଦ, ବିଜେପି, ଆରଏସଏସ ତଥା ୩୫୦୦ ସାଧୁସନ୍ଥ ଓ ବିଭିନ୍ନ ହିନ୍ଦୁ ସଂଗଠନ ପ୍ରତିନିଧିମାନଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ‘ମନ୍ଦିର ସମ୍ମେଳନ’ ଅନୁଷ୍ଠିତ ହୋଇଯାଇଛି । ଏହି ସମ୍ମେଳନରେ ବିଶ୍ୱହିନ୍ଦୁ ପରିଷଦର କାର୍ଯ୍ୟକାରୀ ସଭାପତି ଆଲୋକ କୁମାର କହିଥିଲେ ଯେ, ଆମେ ବାରମ୍ବର ଅନୁରୋଧ କରିଆସିଛୁ ଯେ ରାମମନ୍ଦିର ନିର୍ମାଣ ପାଇଁ ଆଇନ ଆଣନ୍ତୁ । ସୁପ୍ରିମକୋର୍ଟ ମାମଲାକୁ ଗଡାଇ ଦେବା ପରେ ବର୍ତ୍ତମାନ ସଂସଦ ଉପରେ ଏହି ଦାୟିତ୍ୱ ନ୍ୟସ୍ତ । ଯଦି ସରକାର ଅଧ୍ୟାଦେଶ ବଳରେ ମନ୍ଦିର ନିର୍ମାଣର ମାର୍ଗ ପ୍ରଶସ୍ତ କରନ୍ତି ତେବେ କୋର୍ଟ ଏଥିରେ ପ୍ରତିବନ୍ଧକ ସୃଷ୍ଟି କରିପାରିବେ ନାହିଁ । ବିଜେପିର ସାଧାରଣ ସମ୍ପାଦକ ତଥା ଆରଏସଏସର ପୂର୍ବତନ ମୁଖପାତ୍ର ରାମମାଧବ କହିଛନ୍ତି ଯେ, ଏହି ସମସ୍ୟାର ସମାଧାନ ଦିଗରେ ସୁପ୍ରିମକୋର୍ଟ ବିଫଳ ହୋଇଛନ୍ତି । କେନ୍ଦ୍ର ସରକାର ଚାହିଁଲେ ଅଧ୍ୟାଦେଶ ଆଣିପାରିବେ । ଏଥିରେ କୌଣସି ଅସୁବିଧା ନାହିଁ ବୋଲି କହିଛନ୍ତି ସୁପ୍ରିମ୍କୋର୍ଟର ପୂର୍ବତନ ବିଚାରପତି ଜେ.ଚେଲେମେଶ୍ୱର । ରାମ ମନ୍ଦିର ମାମଲାର ଶୁଣାଣି ଆସନ୍ତା ବର୍ଷ ଜାନୁଆରୀକୁ ମାନ୍ୟବର ସୁପ୍ରିମ୍କୋର୍ଟ ଘୁଞ୍ଚାଇ ଦେବା ପରେ ହିନ୍ଦୁ ସଂଗଠନଗୁଡ଼ିକ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି  । ମନ୍ଦିର ନିର୍ମାଣ ପାଇଁ କେନ୍ଦ୍ର ସରକାର ଅଧ୍ୟାଦେଶ ଆଣନ୍ତୁ ବୋଲି ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ କହିଛି  । ଏହି ପରିପ୍ରେକ୍ଷୀରେ ଚେଲେମେଶ୍ୱରଙ୍କ ମତରେ ଅନେକ ଗୁରୁତ୍ୱ ରହିଥିବା କୁହାଯାଉଛି । ମୁମ୍ବାଇରେ ନିଖିଳ ଭାରତ ପେସାଦାର କଂଗ୍ରେସ ପକ୍ଷରୁ ଆୟୋଜିତ ଏକ ସମାବେଶରେ ଯୋଗ ଦେବା ଅବସରରେ ଚେଲେମେଶ୍ୱର ସାମ୍ବାଦିକଙ୍କ ସହିତ ଆଲୋଚନାବେଳେ ଏହି ମତ ଦେଇଛନ୍ତି । ସୂଚନାଥାଉ କି, ବରିଷ୍ଠ କଂଗ୍ରେସ ନେତା ଶଶି ଥରୁର ଉକ୍ତ ଅନୁଷ୍ଠାନର ସଭାପତି ଓ କଂଗ୍ରେସ ନେତା ମିଲନ୍ଦ ଦେଓରା ଉପସଭାପତି ଅଛନ୍ତି  । ଆଲୋଚାନାବେଳେ ଚେଲେମେଶ୍ୱର କହିଥିଲେ ଯେ, କ’ଣ ହେବା ଉଚିତ କିମ୍ବା ଅନୁଚିତ ତାହା ଗୋଟିଏ କଥା  । କ’ଣ ହୋଇପାରିବ ତାହା ଭିନ୍ନ କଥା  । ଅତୀତରେ ଏଭଳି ଅନେକ ଉଦାହରଣ ରହିଛି ଯେଉଁଥିରେ ସୁପ୍ରିମ୍କୋର୍ଟଙ୍କ ନିର୍ଦ୍ଦେଶକୁ ବ୍ୟବସ୍ଥାପିକା ସଭା ଆଇନ୍ ବଳରେ ଦୁର୍ବଳ କରିଦେଇଛି  । ଏଥିପାଇଁ ଚେଲେମେଶ୍ୱର କାବେରୀ, ରାଜସ୍ଥାନ, ପଞ୍ଜାବ ଓ ହରିଆନା ଜଳବିବାଦର ଉଦାହରଣ ଦେଇଛନ୍ତି  ।

Comments