
ଭୁବନେଶ୍ୱର, ୧୨/୧୨ : ଆଇଏମସିଟି ପକ୍ଷରୁ କ୍ରମାଗତ ତୃତୀୟ ବର୍ଷ ପାଇଁ ଆୟୋଜିତ ‘ଭଏସ ଅଫ ୟୁନିଟି୍’ କାର୍ଯ୍ୟକ୍ରମରେ ବୁଧବାର ସ୍ଥାନୀୟ ଓୟୁଏଟି ପଡିଆ ଦେଶାତ୍ମବୋଧକ ଭାବନାରେ ଭିଜିଛି । ସମବେତ ବନ୍ଦେ ମାତରମ୍ ଗାନ କରିବା ପାଇଁ ଅପୂର୍ବ ଉନ୍ମାଦନା ସହ ଯୋଗଦେଇଥିଲେ ୫୦ ହଜାର ଛାତ୍ରଛାତ୍ରୀ ।
ବନ୍ଦେ ମାତରଂ ଗୀତର ନୈସର୍ଗିକ ସ୍ୱର ଓ ଭାବନାରେ ମଜ୍ଜି ଯାଇଥିଲେ ଉପସ୍ଥିତ ବିଶାଳ ଜନସମୁଦ୍ର । ଆଇଏମସିଟି, ଓଡିଶାର କାର୍ଯ୍ୟକାରୀ ଅଧ୍ୟକ୍ଷ ଡଃ. ମୁରଲୀ ମନୋହର ଶର୍ମାଙ୍କ ପ୍ରତ୍ୟକ୍ଷ ଆବାହକତ୍ତ୍ୱରେ ଆୟୋଜିତ ଏହି ‘ସମୂହ ବନ୍ଦେ ମାତରଂ’ ଗାନ କାର୍ଯ୍ୟକ୍ରମରେ ମୁଖ୍ୟ ଆକର୍ଷଣ ତଥା ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ ଜୀବନ୍ତ କିମ୍ବଦନ୍ତୀ କୁହାଯାଉଥିବା ପ୍ରଚଣ୍ଡ ଦେଶଭକ୍ତିର ଚଳନ୍ତି ନମୁନା ତଥା କାର୍ଗିଲ ଯୁଦ୍ଧରେ ଟାଇଗର ହିଲ ଦଖଲ କରିଥିବା ମହାନାୟକ ପରମବିର ଚକ୍ର ସୁବେଦାର ମେଜର ଯୋଗେନ୍ଦ୍ର ସିଂହ ଯାଦବ ।
ଏହି ଅବସରରେ ସେ କାର୍ଗିଲରେ ଟାଇଗର ହିଲ ଦଖଲ କରିବାର ରୋମ ଟାଙ୍କୁରା ବୀର ଗାଥା ବୟାନ କରିବା ସମୟରେ ଦେଶପ୍ରେମରେ ସମସ୍ତେ ଗଦଗଦ ହୋଇଯାଇଥିଲେ । ଶ୍ରୀ ଯାଦବ କହିଥିଲେ ଯେ, ୧୯୭୧ ମସିହା ଯୁଦ୍ଧରେ ଭାରତୀୟମାନେ ସେମାନଙ୍କ ଦେଶପ୍ରେମର ପରାକ୍ରମରେ ପାକିସ୍ତାନକୁ ଦୁଇଖଣ୍ଡ କରିଦେଇଥିଲେ । ୯୩ ହଜାର ପାକ୍ ସୈନ୍ୟ ଆତ୍ମସମର୍ପଣ କରିଥିଲେ ଓ ପାକିସ୍ତାନ ଜେନରାଲ ପିଲା ଭଳି ଆମ ପାଖରେ କାନ୍ଦିଥିଲେ । ପାକିସ୍ତାନ ଏବେ ପୁଣି ଭାରତ ବିରୋଧରେମୁଣ୍ଡ ଟେକିବାକୁ ଅପଚେଷ୍ଟା କରୁଛି । ଏହି ଦେଶ ଭୁଲିଯାଉଛି ଯେ, ଭାରତ ଏବେ ଦୁଇ ଖଣ୍ଡ ନୁହେଁ ପାକିସ୍ତାନକୁ ଚାରି ଖଣ୍ଡ କରିଦେବାର କ୍ଷମତା ରଖିଛି । ଭାରତରେ ପୁଅମାନେ ନୁହେଁ ଝିଅମାନେ ମଧ୍ୟ ସେନାରେ ବହୁ ସଂଖ୍ୟାରେ ଯୋଗଦାନ କରୁଛନ୍ତି ।
ଅନୁଷ୍ଠାନର ଓଡିଶା ସଭାପତି ଡ. ବିମଳେନ୍ଦୁ ମାହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଜାତୀୟତାବାଦୀ କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବେ ଆଇଏମସିଟିର କେନ୍ଦ୍ରୀୟ କାର୍ଯ୍ୟକର୍ତ୍ତା ସୋମକାନ୍ତ ଜି ଉଦ୍ବୋଧନ ଦେଇ ଛାତ୍ରଛାତ୍ରୀମାନଙ୍କୁ ଦେଶର ମହାନ ସଂସ୍କୃତି ଓ ପରମ୍ପରାକୁ ପୁନଃ ଜାଗୃତିକ କରିବା ପାଇଁ ଆହ୍ୱାନ କରିଥିଲେ । କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେଇ ଆଇଏମସିଟି ଓଡିଶାର କାର୍ଯ୍ୟକାରୀ ଅଧ୍ୟକ୍ଷ ଡଃ. ମୁରଲୀ ମନୋହର ଶର୍ମା କହିଥିଲେ ଯେ, ସମ୍ପ୍ରତି ଦେଶରେ ଦେଶପ୍ରେମକୁ ନେଇ କିଛି ଲୋକ ବିଭ୍ରାନ୍ତି ସୃଷ୍ଟି କରୁଛନ୍ତି । ଏଭଳି ଦେଶଦ୍ରୋହୀଙ୍କୁ ପ୍ରତିହତ କରିବା ପାଇଁ ଓ ସୁରକ୍ଷାରେ ନିୟୋଜିତ ବୀର ସୈନିକଙ୍କ ମର୍ଯ୍ୟାଦା ରକ୍ଷା କରିବା ପାଇଁ ଦେଶପ୍ରେମକୁ ମଜବୁତ୍ କରିବାକୁ ପଡିବ । ଦେଶପ୍ରେମର ପବିତ୍ର ଧାରାକୁ ପର ପିଢୀକୁ ପହଞ୍ଚାଇବା ପାଇଁ ସମୂହ ବନ୍ଦେ ମାତରଂ ଏକ କ୍ଷୁଦ୍ର ମାଧ୍ୟମ ବୋଲି ଶ୍ରୀ ଶର୍ମା କହିଥିଲେ । ଏହି ଅବସରରେ ‘ଶ୍ରୁତି’ର ସମ୍ପାଦକ ପଣ୍ଡିତ ସର୍ବେଶ୍ୱର ମିଶ୍ର ସମସ୍ତଙ୍କୁ ଦେଶପ୍ରେମର ଶପଥ ପାଠ କରାଇଥିଲେ । ସର୍ବଶ୍ରୀ ମନୋରଞ୍ଜନ ମହାପାତ୍ର, ଅନିଲ ଧୀର, ଦେବପ୍ରସାଦ ମିଶ୍ର, ଚକ୍ରଧର ତ୍ରିପାଠୀ ପ୍ରମୁଖ ମଞ୍ଚରେ ଉପସ୍ଥିତ ଥିଲେ । ସୁନାମଧନ୍ୟ ସଂଗୀତକାର ରାଜକିଶୋର ଗୋଛାଏତଙ୍କ ଅନୁଷ୍ଠାନ ଦ୍ୱାରା ଦେଶତ୍ମବୋଧକ ଗୀତ, ସ୍କୁଲ ପିଲାଙ୍କ ନୃତ୍ୟ ଓ ପିରାମିଡର ଦୃଶ୍ୟ ସମସ୍ତଙ୍କୁ ବିମୁଗ୍ଧ କରିଥିଲା । ନାରାୟଣ ଚୌଧୁରୀ, ସୋମରାଜ ବହିଦାର, ଓ ଅମରେନ୍ଦ୍ର ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।
Comments
Post a Comment