ଫୈୟାଜର ଜାମିନ ଆବେଦନ ଖାରଜ


ଭୁବନେଶ୍ୱର,୧୨/୧୨ : ରାଜ୍ୟରେ ମିଶନାରୀ ସଂସ୍ଥାଗୁଡିକ ବିଦେଶୀ ଅର୍ଥରେ ଖେଳ ଖେଳୁଛନ୍ତି । ବିଦେଶରୁ କୋଟି କୋଟି ଟଙ୍କା ଆଣି ଏଠାରେ ସେଲଟର ହୋମ୍ ଖୋଲି ନିରୀହ ଆଦିବାସୀ ଓ ଅଭାବୀ ଦଳିତ ପରିବାରର ପିଲାମାନଙ୍କୁ ଧର୍ମାନ୍ତରଣ କରିବା ସହ ସେମାନଙ୍କୁ ଯୌନ ଶୋଷଣ କରୁଛନ୍ତି । ଢ଼େଙ୍କାନାଳର ଗୁଡନ୍ୟୁଜ ଇଣ୍ଡିଆ ସେଲଟର ହୋମ କେଳେଙ୍କାରୀ ଧରାପଡିବା ପରେ କେନ୍ଦ୍ର ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ ମାନେକା ଗାନ୍ଧୀ ଏଭଳି ସେଲଟର ହୋମଗୁଡିକର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏହା ପରେ ବୁଧବାର ଏନସିପିସିଆରର ଏକ ଟିମ ତଦନ୍ତ ପାଇଁ ଭୁବନେଶ୍ୱରରେ ଆସି ପହଞ୍ଚିଛନ୍ତି । ଏହି ଟିମ ୨ ଦିନ ଓଡିଶାରେ ରହିବେ ଓ ଗୁରୁବାର ଢ଼େଙ୍କାନାଳ ଗସ୍ତ କରିବେ । ଆଗକୁ ଏନସିପିସିଆରଙ୍କ ୩ଟି ଟିମ ଓଡିଶା ଆସିବେ ଓ ରାଜ୍ୟର ୭ଟି ଜିଲ୍ଲାରେ ଥିବା ସେଲଟର ହୋମଗୁଡିକୁ ପରିଦର୍ଶନରେ ଯାଇ ଯାଞ୍ଚ କରିବେ । ସେମାନଙ୍କ ସହ ଏସପିସିଆରର ସଦସ୍ୟମାନେ ମଧ୍ୟ ଯିବେ ବୋଲି ଏସପିସିଆରର ଅଧ୍ୟକ୍ଷା ସନ୍ଧ୍ୟାବତୀ ପ୍ରଧାନ ସୂଚନା ଦେଇଛନ୍ତି । ସେପଟେ ଢ଼େଙ୍କାନାଳ ସଦର ମହକୁମାଠାରୁ ମାତ୍ର ୧୦ କିମି ଦୂର ବେଲଟିକିରି ଠାରେ ଗୁଡନ୍ୟୁଜ ଇଣ୍ଡିଆ ସେଲଟର ହୋମ କେଳେଙ୍କାରୀ ଧରାପଡିବା ପରେ ଏହାର ମୁଖ୍ୟ ପାଷ୍ଟର ଫୈୟାଜ ରେହମାନ ଗିରଫ ହୋଇ ଜେଲରେ ଥିବା ବେଳେ ତାଙ୍କ ଜାମିନ ଆବେଦନ ଦ୍ୱିତୀୟ ଥର ପାଇଁ ଖ଼ାରଜ ହୋଇଯାଇଛି । ସ୍ୱତନ୍ତ୍ର ପୋକ୍ସୋ କୋର୍ଟ ବୁଧବାର ତାଙ୍କ ଜାମିନ ଆବେଦନକୁ ଅଗ୍ରାହ୍ୟ କରିଦେଇଛନ୍ତି ।

Comments