ରାଷ୍ଟ୍ରହିତରେ ଲେଖନୀ ଚାଳନା ସମୟର ଜରୁରୀ ଆବଶ୍ୟକତା : ରାଜ୍ୟପାଳ ପ୍ରଫେସର ଗଣେଷୀଲାଲ







ସାମ୍ବାଦିକତାର ଧ୍ୟେୟ ଜନମଙ୍ଗଳ ହେଉ
ରାଷ୍ଟ୍ରହିତରେ ଲେଖନୀ ଚାଳନା ସମୟର ଜରୁରୀ ଆବଶ୍ୟକତା : ରାଜ୍ୟପାଳ ପ୍ରଫେସର ଗଣେଷୀଲାଲ
ଭୁବନେଶ୍ୱର,୨୩/୧୨ : ଗୋଟିଏ ଜାତିର ଆତ୍ମା ରାଷ୍ଟ୍ର ନିର୍ମାଣର ଆନୁସାଂଗିକ ସଂସ୍କାର ଓ ସଂସ୍କୃତି ଭିତରେ ଥାଏ । ଯେଉଁ ରାଷ୍ଟ୍ର ଯେତେ ସଂସ୍କାର ସମ୍ପନ୍ନ  ସେ ରାଷ୍ଟ୍ର ବିଶ୍ୱ ଦରବାରରେ ସେତେ ମର୍ଯ୍ୟାଦାବନ୍ତ । ରାଷ୍ଟ୍ରର ସାମୂହିକ ଅଭିବୃଦ୍ଧି ରାଷ୍ଟ୍ର ସଂପର୍କରେ ଲେଖୁଥିବା ଉନ୍ନତ ଲେଖନୀର ସଫଳ ରୂପାୟନ । ସମଗ୍ର ବିଶ୍ୱରେ ଆମ ଭାରତ ଏମିତି ଏକ ରାଷ୍ଟ୍ର ଯାହା ତାହାର ଅଭିନବ ସଂସ୍କୃତି ପାଇଁ ସମଗ୍ର ବିଶ୍ୱରେ ମହିମା ମଣ୍ଡିତ । ରାଷ୍ଟ୍ରର ଚେତନାର ଉତରଣକୁ ଠିକ୍ ଭାବେ ଉପସ୍ଥାପିତ କରିବାର ଗୁରୁ ଦାୟିତ୍ୱ ହେଉଛି ସାମ୍ବାଦିକ ମାନଙ୍କର । ସେମାନେ ଏ ଦିଗରେ ଏକ ଗଠନ ମୂଳକ ଦାୟିତ୍ୱ ନିର୍ବାହ କଲେ ଆମ ରାଷ୍ଟ୍ର ଉତ୍ତରଣ ପଥରେ ଆଗେଇ ଯିବ ବୋଲି ବିଶ୍ୱ ସମ୍ବାଦ କେନ୍ଦ୍ର, ଓଡିଶା ପକ୍ଷରୁ ଆୟୋଜିତ ପେନ୍ ଫର ନେସନ୍ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଓଡିଶାର ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ଏହା ପ୍ରକାଶ କରିଛନ୍ତି ।

ଏହି କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ରୂପେ ଯୋଗଦେଇ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ପ୍ରାନ୍ତ କାର୍ଯ୍ୟବାହ ଡ. ଅନୀଲ କୁମାର ମିଶ୍ର କହିଲେ ଯେ, ଆମ ଭିତରେ ଯାହା ଯେତେ ଖରାପ ଅଛି ତାକୁ ସର୍ବଜନ ବିଦିତ କରିବାରେ ଜଣେ ସଫଳ ସାମ୍ବାଦିକର ଗୌରବ ନଥାଏ । ବରଂ ଆମର ଯାହା ମୌଳିକ, ଯାହା ଆମର ଅଛି ମାତ୍ର ଅନ୍ୟମାନଙ୍କର ନାହିଁ ତାହାକୁ ପ୍ରଚାରିତ କରିବାରେ କେବଳ ଆମର ନୁହେଁ ଆମ ରାଷ୍ଟ୍ରର ଗୌରବ ବୃଦ୍ଧି ପାଇଥାଏ । ପାଶ୍ଚାତ୍ୟ ଶିକ୍ଷା ଦିକ୍ଷାର ଦ୍ୱାହି ଦେଇ ଭାରତ ସଂସ୍କାରର ଅବମାନନା କରିବା ଏକ ରାଷ୍ଟ୍ର ପ୍ରେମୀର ଲକ୍ଷ୍ୟଣ ନୁହେଁ । ଏ ଦିଗରେ ସାମ୍ବାଦିକ ମାନଙ୍କର ବଳିଷ୍ଠ ଭୂମିକା ଭାରତକୁ ବିଶ୍ୱ ଦରବାରରେ ଅଧିକ ସମ୍ମୁଜ୍ୱଳ କରିବ ବୋଲି ଡ. ମିଶ୍ର ପ୍ରକାଶ କରିଥିଲେ ।

ବିଶ୍ୱ ସମ୍ବାଦ କେନ୍ଦ୍ର, ଓଡିଶାର ସଭାପତି ଅଧ୍ୟାପକ ନିରଞ୍ଜନ ପାଢୀ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି କହିଲେ  ଯେ ଆମ ରାଷ୍ଟ୍ର ମଧ୍ୟରେ ଯେଉଁ ଅମୂଲ୍ୟ ଶିକ୍ଷା ଗଛିତ ହୋଇ ରହିଛି ତାହାର ସମ୍ମୁଚିତ ପ୍ରସାରଣ ଗଣମାଧ୍ୟମର ଏକ ପବିତ୍ର ଦାୟିତ୍ୱ । ଯେଉଁ ଲେଖା ଲେଖିବା ଦ୍ୱାରା ରାଷ୍ଟ୍ରର ହିତ ସାଧିତ ହୁଏ, ସମ୍ବାଦ ପତ୍ରର ସାମ୍ବାଦିକ ଓ ସ୍ତମ୍ଭ ଲେଖକମାନେ ସେଭଳି ଲେଖା ଲେଖିବାରେ ମନୋନିବେଶ କଲେ ଭାରତ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସମର୍ଥ ହେବ । ଏ ସଂକ୍ରାନ୍ତରେ ଚିନ୍ତନ, ମନ୍ତନ ଓ ବିଚାର ବିଶ୍ଲେଷଣ କରିବା ପାଇଁ  ରାଷ୍ଟ୍ରହିତରେ  କଲମ ବା ପେନ୍ ଫର ନେସନ୍ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି ବୋଲି ସେ ମନ୍ତବ୍ୟ ଦେଇଥିଲେ ।

ଆଇଆଇଏମ୍ଏସ୍ର ଅଧ୍ୟାପକ ହୃଷିକେଶ ମିଶ୍ରଙ୍କ  ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବରିଷ୍ଠ ସାମ୍ବାଦିକ ତଥା ନାରଦ ସମ୍ମାନ ବିଜେତା ଶ୍ରୀ ରାଜାରାମ ଶତପଥି, ବରିଷ୍ଠ ସାମ୍ବାଦିକ ଶ୍ରୀ  ଦିଲ୍ଲୀପ ଶତପଥି ଓ ବରିଷ୍ଠ ସାମ୍ବାଦିକ ଶ୍ରୀ ଅମରେଶ  ବିଶ୍ୱାଳ  ଯୋଗଦେଇ ସାମ୍ବାଦିକ, ସ୍ତମ୍ଭଲେଖକମାନଙ୍କର ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇଥିଲେ ।

ଗୋଲଖ ଚନ୍ଦ୍ର ଦାସ



Comments