୩୧ ଡିସେମ୍ବର ସୁଦ୍ଧା ଆତ୍ମସମର୍ପଣ କରିବାକୁ ଅଦାଲତଙ୍କ ନିର୍ଦ୍ଦେଶ
ନୂଆଦିଲ୍ଲୀ, ୨୧/୧୨ : ୧୯୮୪ ଶିଖ ଦଙ୍ଗା ମାମଲାରେ ମୁଖ୍ୟ ଅଭିଯୁକ୍ତ ଥିବା ପୂର୍ବତନ ବରିଷ୍ଠ କଂଗ୍ରେସ ନେତା ସଜ୍ଜନ କୁମାରଙ୍କୁ ଆସନ୍ତା ଡିସେମ୍ବର ୩୧ ତାରିଖ ସୁଦ୍ଧା କୋର୍ଟରେ ଆତ୍ମସମର୍ପଣ କରିବା ନିମନ୍ତେ ଦିଲ୍ଲୀ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏହି ଆତ୍ମସମର୍ପଣ ପାଇଁ ଅବଧିକୁ ୩୦ ଦିନ ପର୍ଯ୍ୟନ୍ତ ବୃଦ୍ଧି କରିବା ନିମନ୍ତେ ସଜ୍ଜନ କୁମାର ପୂର୍ବରୁ ଆବେଦନ କରିଥିବାବେଳେ ଦିଲ୍ଲୀ ହାଇକୋର୍ଟ ଉକ୍ତ ଆବେଦନକୁ ଖାରଜ କରିଦେବା ସହ ଉପରୋକ୍ତ ନିର୍ଦ୍ଦେଶ ଜାରି କରିଛନ୍ତି । ଫଳରେ ନିଜର ରାଜନୈତିକ ପ୍ରଭାବ ପକାଇଗିରଫଦାରୀକୁ ଦୀର୍ଘ ୩୮ ବର୍ଷ କାଳ ଏଡ଼ାଇ ଆସୁଥିବା ସଜ୍ଜନ କୁମାରଙ୍କୁ ଲାଗିଛି ଅଦାଲତି ଝଟ୍କା । ଏହି ଶିଖ୍ ଦଙ୍ଗା ଘଟଣାରେ ଅଭିଯୁକ୍ତ ଅନ୍ୟ ୫ ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ବଲବାନ ଖୋଖର, କ୍ୟାପଟେନ୍ ଭାଗମଲ, ଗିରଧାରୀ ଲାଲଙ୍କୁ ଆଜବୀନ କାରାଦଣ୍ଡରେ ଅଦାଲତ ଦଣ୍ଡିତ କରିଥିବାବେଳେ ଅନ୍ୟ ୨ ଜଣ ମହେନ୍ଦ୍ର ଯାଦବ ଓ କିଶନ ଖୋଖରଙ୍କୁ ୩ରୁ ୧୦ ବର୍ଷ ପର୍ଯ୍ୟନ୍ତ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ଏଥିସହ ସେମାନଙ୍କ ଲକ୍ଷେ ଟଙ୍କା ଲେଖାଏଁ ଅର୍ଥ ଦଣ୍ଡରେ ମଧ୍ୟ ଦଣ୍ଡିତ କରାଯାଇଛି । ମାମଲାର ଶୁଣାଣି କରି ବିଚାରପତି ଏସ୍.ମୁରଲୀଧର ଓ ବିନୋଦଗୋୟେଲଙ୍କୁ ନେଇ ଗଠିତ ଖଣ୍ଡପୀଠ ନିଜର ରାୟରେ କହିଥିଲେ ଯେ, ୧୯୪୭ ଦେଶ ବିଭାଜନର ୩୭ ବର୍ଷ ପରେ ପୁଣି ଦେଶରେ ଏକ ନରସଂହାର କରାଯାଇଥିଲା । ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କ ହତ୍ୟା ପରେ ଏକ ନିର୍ଦ୍ଦିଷ୍ଟ ସମୁଦାୟକୁ ଏଥିପାଇଁଦାୟୀ କରାଯାଇ ଉକ୍ତ ସମୁଦାୟର ହଜାର ହଜାର ନିରୀହ ଲୋକଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିଲା । ହତ୍ୟାକାରୀମାନେ ରାଜନୈତିକ ସଂରକ୍ଷଣ ଓ ସୁରକ୍ଷା ପ୍ରାପ୍ତ ଥିଲା । ଏହି ସାମ୍ପ୍ରଦାୟିକ ହିଂସାକାଣ୍ଡରେ ଦିଲ୍ଲୀ କେଣ୍ଟସ୍ଥିତ ରାଜନଗରରେ ଏକପରିବାରର ୫ ଜଣ ସଦସ୍ୟଙ୍କୁ ନୃଶଂସ ଭାବେ ହତ୍ୟା କରାଯାଇଥିଲା । ଏହି ଘଟଣାଟି ପରେ ଅଦାଲତରେ ବିଚାରଧୀନ ଥିବାବେଳେ ନିମ୍ନ ଅଦାଲତ ପର୍ଯ୍ୟାପ୍ତ ସାକ୍ଷ୍ୟ ଓ ପ୍ରମାଣ ଅଭାବରୁ ମୁଖ୍ୟ ଅଭିଯୁକ୍ତ ସଜ୍ଜନ କୁମାରଙ୍କୁ ନିର୍ଦ୍ଦୋଷରେ ଖଲାସ କରିଥିଲେ । ସେପଟେ ଏଥିରେ ସମ୍ପୃକ୍ତ କଂଗ୍ରେସର ପୂର୍ବତନ ସାଂସଦ ବଲବାନ ଖୋଖର, ଅବସରପ୍ରାପ୍ତ ନୌ ଅଧିକାରୀ କ୍ୟାପଟେନ ଭାଗମଲ, ଗିରଧାରୀଲାଲଙ୍କୁ ଆଜବୀନ ଏବଂ ବାକି ୨ ଜଣ ଦୋଷୀ ପୂର୍ବତନ ବିଧାୟକ ମହେନ୍ଦ୍ର ଯାଦବ ଓ କିଷନ ଖୋଖରଙ୍କୁ ୩ ବର୍ଷ ପର୍ଯ୍ୟନ୍ତ ସଶ୍ରମକାରାଦଣ୍ଡରେ ଦଣ୍ଡିତ କରିଥିଲେ । ନିମ୍ନ ଅଦାଲତଙ୍କୁ ଏହି ନିଷ୍ପତ୍ତିକୁ ବିରୋଧ କରି ଦଙ୍ଗାରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ଆତ୍ମୀୟ ସ୍ୱଜନମାନେ ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ସେପଟେ ଦେଶ ବିଭାଜନ ପରେ ଏହା ସବୁଠାରୁ ବଡ଼ ସାମ୍ପ୍ରଦାୟିକ ଦଙ୍ଗା ହୋଇଥିବାରୁ ଏହାର ତଦନ୍ତ କରୁଥିବା ସିବିଆଇ ମଧ୍ୟ ସଜ୍ଜନ କୁମାରଙ୍କ ବିରୁଦ୍ଧରେ ମାମଲା ରୁଜୁ କରିଥିଲା । ମାମଲାଟି ଦିଲ୍ଳୀ ହାଇକୋର୍ଟରେ ବିଚାରଧୀନ ରହିଥିବାବେଳେ ସଜ୍ଜନ କୁମାର ନିଜର ରାଜନୈତିକ ପ୍ରଭାବ ପକାଇ ଗିରଫଦାରୀକୁ ଏଡ଼ାଇ ଚାଲିଥିଲେ ।
Comments
Post a Comment