ନୀଳାଦ୍ରିବିହାର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ବାର୍ଷିକ କ୍ରୀଡା ସମାରୋହ ଉଦ୍ଯାପିତ


ଭୁବନେଶ୍ୱର,୨୨/୧୨: ନୀଳାଦ୍ରିବିହାର ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ବାର୍ଷିକ କ୍ରୀଡା ମହୋତ୍ସବ ପରିଚାଳନା ସମିତିର ସଭାପତି ବିଜୟ ମୁଦାଲିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଉଦଘାଟନୀ ଉତ୍ସବରେ ଏଭରେଷ୍ଟ ପର୍ବତ ଆରୋହୀ ଶ୍ରୀଯୁକ୍ତ ଗଣେଶ ଚନ୍ଦ୍ର ଜେନା ମୁଖ୍ୟ ଅତିଥି ଓ ଆନ୍ତର୍ଜାତିକ ସ୍ତରର ଧାବିକା ସୁଶ୍ରୀ ପୁର୍ଣ୍ଣିମା ହେମ୍ବ୍ରମ ସମ୍ମାନିତ ଅତିଥିଭାବେ ଯୋଗଦେଇଥିଲେ । ମୁଖ୍ୟ ଅତିଥି ଶ୍ରୀଯୁକ୍ତ ଜେନା ଉପସ୍ଥିତ କୁନିକୁନି ଛାତ୍ରଛାତ୍ରୀମାନଙ୍କୁ ଜୀବନରେ ଏକାଗ୍ରତା ରଖି କ୍ରୀଡା ସାଧନା କଲେ, ଭବିଷ୍ୟତ ଜୀବନରେ କ୍ରୀଡା କ୍ଷେତ୍ରରେ ସର୍ବୋଚ୍ଚ ସଫଳତା ମିଳିପାରିବ ବୋଲି କହିଥିଲେ । ସମ୍ମାନିତ ଅତିଥି ପୂର୍ଣ୍ଣିମା ହେମ୍ବ୍ରମ୍ ଲମ୍ବଡିଆଁ ଡେଇଁ କ୍ରୀଡା ଉଦ୍ଘାଟନ କରିଥିଲେ । ଏହି ବାର୍ଷିକ କ୍ରୀଡା ଉତ୍ସବ ଗତ ୨୦ ତାରିଖରୁ ଆରମ୍ଭ ହୋଇ ୨୨ ତାରିଖରେ ଉଦ୍ଯାପିତ ହୋଇଥିଲା । ଏହି ତିନି ଦିନ ମଧ୍ୟରେ ୧୦୦ମି. , ୨୦୦ମି. , ୪୦୦ମି. ଦୌଡ , ୧୦୦ମି. ବାଧା ଦୌଡ, ଲମ୍ବଡିଆଁ , ଉଚ୍ଚଡିଆଁ , ଗଣିତଦୌଡ, ସଙ୍ଗୀତ ଚୌକି, ଦଉଡି ଡିଆଁ ଆଦି ପ୍ରତିଯୋଗିତା ମାନ ଅନୁଷ୍ଠିତ ହୋଇଥିଲା । ପ୍ରତିଯୋଗିତାରେ ସଫଳ ହୋଇଥିବା ପ୍ରତିଭାଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ଉଦ୍ଯାପନୀ ଉତ୍ସବରେ ଜାତୀୟସ୍ତରର ଦୌଡକୁଦ ପ୍ରଶିକ୍ଷକ ଶ୍ରୀଯୁକ୍ତ ନୀଳମାଧବ ଦେଓ ମୁଖ୍ୟ ଅତିଥିଭାବେ ଯୋଗଦେଇ ପିଲାମାନଙ୍କୁ କ୍ରୀଡା କ୍ଷେତ୍ରରେ ଶ୍ରେଷ୍ଠତା ଆଣି ଦେଶ ଓ ଜାତିର ଗୌରବକୁ ବହୁଗୁଣିତ କରିବାପାଇଁ ପରାମର୍ଶ ଦେଇଥିଲେ । ଏହି ଅବସରରେ ଆନ୍ତର୍ଜାତୀୟ ସ୍ତରର ଖୋ-ଖୋ ଖେଳାଳି ତଥା ସ୍ୱର୍ଣ୍ଣପଦକ ବିଜୟିନୀ ସୁଶ୍ରୀ ମନ୍ଦାକିନୀ ମାଝି ସମ୍ମାନିତ ଅତିଥିଭାବେ ଯୋଗଦେଇ ପିଲାମାନଙ୍କୁ ଭବିଷ୍ୟତରେ ଲବ୍ଧ ପ୍ରତିଷ୍ଠ କ୍ରୀଡାବିତ୍ ହେବାପାଇଁ ଆହ୍ୱାନ ଦେଇଥିଲେ । ଚଳିତବର୍ଷର ଶ୍ରେଷ୍ଠ କ୍ରୀଡାବିତ୍ ମାନଙ୍କୁ ମଞ୍ଚାସୀନ ଅତିଥିଗଣ ପୁରସ୍କୃତ କରିଥିଲେ । ଏହି ତିନି ଦିନିଆ କ୍ରୀଡାରେ ବିଦ୍ୟାଳୟର ୭୦୦ରୁ ଉଦ୍ଧ୍ୱର୍ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ । ବିଦ୍ୟାଳୟର ବରିଷ୍ଠ ଆଚାର୍ଯ୍ୟ ସୁରେଶ ଚନ୍ଦ୍ର ବେହେରା ମଞ୍ଚାସୀନ ଅତିଥିମାନଙ୍କର ପରିଚୟ ପ୍ରଦାନ କରିଥିଲା ବେଳେ ପ୍ରଧାନ ଆଚାର୍ଯ୍ୟ କେଦାରନାଥ ସେଠୀ ଧନ୍ୟବାଦ ପ୍ରଦାନ କରିଥିଲେ । କ୍ରୀଡା ସଂଯୋଜକ ରାଜୀବ କୁମାର ମହାନ୍ତି କ୍ରୀଡା ବିବରଣୀ ପଠନ କରିଥିଲେ । ଏହି ତିନିଦିନିଆ କ୍ରୀଡା ଉତ୍ସବକୁ ବିଦ୍ୟାଳୟର ସମସ୍ତ ଗୁରୁଜୀ ଗୁରୁମା ନିଷ୍ଠାର ସହ ପରିଚାଳନା କରିଥିଲେ । ଏହି ଉତ୍ସବରେ ବିଦ୍ୟାଳୟର ପରିଚାଳନା ସମିତିର ସଂପାଦକ ଇନ୍ଦ୍ରମଣି ସେଣ୍ଡ୍ ଓ ଅନ୍ୟାନ୍ୟ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ । ସର୍ବଶେଷରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ମନ୍ତ୍ର ମୁଗ୍ଧକର ନୃତ୍ୟ ପରିବେଷଣ କରିଥିଲେ । 

Comments