ବଡଯୋରଡା ସରସ୍ୱତୀ ଶିଶୁ ମନ୍ଦିରରେ ବାର୍ଷିକ ଉତ୍ସବ ପାଳନ


ସାଉଥବଲଣ୍ଡା, ୨୫/୧୨  : ତାଳଚେର ବ୍ଲକ ଅନ୍ତର୍ଗତ ବଡଯୋରଡା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ୨୩ତମ ବାର୍ଷିକୋତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ବିଦ୍ୟାଳୟ ପରିଚାଳନା କମିଟିର ସମ୍ପାଦିକା ପୁଷ୍ପିତା ପ୍ରଧାନ ଏହି ଉତ୍ସବରେ ଅଧ୍ୟକ୍ଷତା କରିଥିଲେ । ମୁଖ୍ୟ ଅତିଥି ଭାବରେ ସ୍ଥାନୀୟ ବିଧାୟକ ବ୍ରଜକିଶୋର ପ୍ରଧାନ, ସମ୍ମାନୀତ ଅତିଥି ଭାବରେ ଏମ୍ସିଏଲ୍ ନନ୍ଦିରା କଲିୟରୀର ପ୍ରକଳ୍ପ ଅଧିକାରୀ ସନ୍ତୋଷ କୁମାର ମହାନ୍ତି, ପରିଚାଳନା କମିଟିର ଉପସଭାପତି କିଶୋର ଚନ୍ଦ୍ର ପ୍ରଧାନ, ମୁଖ୍ୟ ବକ୍ତା ଭାବରେ ଅନୁଗୋଳ,ଢେଙ୍କାନାଳ ଜିଲ୍ଲାର ରାଷ୍ଟୀୟ ସୟଂ ସେବକ ସଂଘର ବିଭାଗ ପ୍ରଚାରକ ଗିରିଶ ଚନ୍ଦ୍ର ମହାନ୍ତ ପ୍ରମୁଖ ଯୋଗଦାନ କରିଥିଲେ । ଅନ୍ୟତମ ଅତିଥି ଭାବରେ ବଡ ଯୋରଡା ସରପଂଚ ସରସ୍ୱତୀ ସାହୁ,ସମିତି ସଭ୍ୟ ମନୋଜ ପ୍ରଧାନ, ରମାକାନ୍ତ ପ୍ରଧାନ ମଂଚାସୀନ ଥିଲେ । ପ୍ରାରମ୍ଭରେ ମୁଖ୍ୟ ଅତିଥି ପ୍ରଦୀପ ପ୍ରଜ୍ଜଳନ କରି କାର୍ଯ୍ୟକ୍ରମର ଉଦ୍ଘାଟନ କରିଥିଲେ । ପ୍ରଧାନ ଆଚାର୍ଯ୍ୟ ମାୟାଧର ସାହୁ ବାର୍ଷିକ ବିବରଣୀ ପାଠ କରିବା ସହ ଅତିଥି ପରିଚୟ ପ୍ରଦାନ କରିଥିଲେ । ଏହି ଅବସରରେ ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳ ବିହାରୀ ବାଜପେୟୀ ଓ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ସ୍ୱର୍ଗତ ଅଭିମନ୍ୟୁ ଦାସଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳୀ ପ୍ରଦାନ କରାଯାଇଥିଲା । ମୁଖ୍ୟ ବକ୍ତା ଶ୍ରୀ ସାମଲ ନିଜ ଅଭିଭାଷଣରେ ମୂଲ୍ୟବୋଧ ଭିତିକ ଶିକ୍ଷା ଦ୍ୱାରା ଛାତ୍ରଛାତ୍ରୀମାନଙ୍କର ସାମଗ୍ରିକ ବିକାଶ ହେବା ସହ ସେମାନେ ନିଜ ଅନ୍ତର୍ନିହିତ ପ୍ରତିଭାର ପରାକାଷ୍ଠ ପ୍ରଦର୍ଶନ କରିବାରେ ସଫଳ ହୋଇଥାନ୍ତି ବୋଲି କହିଥିଲେ । ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ଲାଭ କରିଥିବା ଛାତ୍ରଛାତ୍ରୀମାନଙ୍କୁ ମୁଖ୍ୟ ଅତିଥି ପୁରସ୍କୃତ କରିଥିଲେ । ଆଚାର୍ଯ୍ୟ ପ୍ରଦ୍ୟୁମ୍ନ ପ୍ରଧାନ ମଂଚ ପରିଚାଳନା କରିଥିଲେ । ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଚିତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ସମସ୍ତ ଗୁରୁଜୀ,ଗୁରୁମା ଓ ଅଭିଭାବକମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Comments