ଶୁକ୍ରବାର ପ୍ରାର୍ଥନା ପୂର୍ବରୁ ନୋଏଡାର ସେକ୍ଟର-୫୮ ପାର୍କକୁ ସିଲ୍ କଲା ପୋଲିସ


ନୂଆଦିଲ୍ଲୀ, ୨୮/୧୨ : ଦିଲ୍ଲୀର ବ୍ୟସ୍ତବହୁଳ ଅଞ୍ଚଳ ଭାବେ ପରିଚିତ ନୋଏଡ଼ାସ୍ଥିତ ସେକ୍ଟର-୫୮ରେ ଥିବା ବହୁରାଷ୍ଟ୍ରୀୟ କମ୍ପାନୀଗୁଡ଼ିକରେ କାର୍ଯ୍ୟରତ ମୁସଲିମ୍ କର୍ମଚାରୀମାନେ ଏଠାରେ ଥିବା ଏକ ପାର୍କରେ ସାମୂହିକ ଭାବେ ଶୁକ୍ରବାର ଦିନ ପ୍ରାର୍ଥନା କରିବାରୁ ସେଠାରେ ଟ୍ରାଫିକ୍ ସମସ୍ୟା ଦେଖାଯାଇଥିଲା  । ଫଳରେ ଅଞ୍ଚଳରେ ଏହାକୁ ନେଇ ଚାପା ଉତ୍ତେଜନା ସୃଷ୍ଟି ହୋଇଥିଲା  । ଏଣୁ ଆଜି ଶୁକ୍ରବାର ଥିବାବେଳେ ଯେଭଳି ଏହି ଘଟଣାର ପୁନରାବୃତ୍ତି ନ ହୁଏ ସେଥିପାଇଁ ସୁରକ୍ଷା ଦୃଷ୍ଟିରୁ ଏହି ପାର୍କକୁ ପୂର୍ବରୁ ହିଁ ପୁଲିସ ନିଜ କବ୍ଜାକୁ ନେଇଯାଇଥିଲା  । ତେବେ ଆଜି ମଧ୍ୟ ଏଠାକୁ ନମାଜ ପାଠ କରିବାକୁ ଆସିଥିବା ପ୍ରାର୍ଥନାକାରୀ ମାନଙ୍କୁ ପୁଲିସ ବୁଝାଇ ଶୁଝାଇ ଫେରାଇ ଦେଇଥିଲା  । ସେପଟେ ନମାଜ ପାଠ କରିବାକୁ ଆସଥିବା ବହୁରାଷ୍ଟ୍ରୀୟ କମ୍ପାନୀର ପ୍ରାର୍ଥନାକାରୀମାନଙ୍କ କହିବାନୁସାରେ, କମ୍ପାନୀରେ ସେମାନଙ୍କୁ ପ୍ରାର୍ଥନା କରିବା ନିମନ୍ତେ ପର୍ଯ୍ୟାପ୍ତ ସମୟ ମିଳୁନାହିଁ  । ଏଣୁ ସେମାନେ ଏଠାକୁ ନମାଜ ପାଠ କରିବାକୁ ଆସୁଛନ୍ତି  । ତେବେ ଏହି ପାର୍କଟି ସାର୍ବଜନୀନ ଲୋକଙ୍କ ବ୍ୟବହାର ଓ ଆମୋଦ ପ୍ରମୋଦ ନିମନ୍ତେ ଉଦ୍ଦିଷ୍ଟ ଥିବାରୁ ଏଠାରେ କୌଣସି ଧର୍ମର ଲୋକେ ପ୍ରାର୍ଥନା କରିବା ପୂର୍ବରୁ ପୁଲିସ ପ୍ରଶାସନର ଅନୁମତି ନେବା ବାଧ୍ୟତାମୂଳକ କରାଯାଇଛି  ।

Comments