ମାତା ବୈଷ୍ଣୋଦେବୀଙ୍କ ଶ୍ରଦ୍ଧାଳୁଙ୍କ ନିମନ୍ତେ ୨୫ ଡିସେମ୍ବରରୁ ଆରମ୍ଭ ହେବ କେବୁଲ କାର ସେବ


ନୂଆଦିଲ୍ଲୀ, ୨୨/୧୨  : ଦେଶର ଅନ୍ୟତମ ପ୍ରମୁଖ ଶକ୍ତିପୀଠ ମଧ୍ୟରୁ ଜମ୍ମୁର କଟରାସ୍ଥିତ ମାତା ବୈଷ୍ଣୋଦେବୀଙ୍କ ପୀଠ ଅନ୍ୟତମ  । ଏଠାରେ ପ୍ରତିବର୍ଷ ମାତା ବୈଷ୍ଣୋଦେବୀଙ୍କ ଦର୍ଶନାର୍ଥେ ଦେଶ ବିଦେଶରୁ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥାଏ  । ପାହାଡ଼ ଉପରେ ଅବସ୍ଥିତ ମାତାଙ୍କ ମନ୍ଦିରକୁ ଯିବାକୁ ହେଲେ ଭକ୍ତମାନଙ୍କୁ ୩.୫ କି.ମି.ର ପାଦଚଲା ରାସ୍ତା ବା ଘୋଡ଼ା ବା ଖଚରର ସାହାରା ନେବାକୁ ପଡ଼ିଥାଏ  । ମାତ୍ର ଶ୍ରଦ୍ଧାଳୁଙ୍କ ମଧ୍ୟରେ ଅନେକ ବୟସ୍କ, ବୃଦ୍ଧବୃଦ୍ଧା, ଦିବ୍ୟାଙ୍ଗ ଓ ଛୋଟ ପିଲା ଥିବାରୁ ଏହି ଦୁର୍ଗମ ରାସ୍ତାରେ ଚଢ଼ି ମାତାଙ୍କ ଦର୍ଶନ କରିବା ସେମାନଙ୍କ ପାଇଁ ଅତ୍ୟନ୍ତ କଷ୍ଟକର ହୋଇପଡ଼ିଥାଏ  । ତେବେ ଶ୍ରଦ୍ଧାଳୁଙ୍କ ଏଭଳି କଷ୍ଟକୁ ଲାଘବ କରିବା ନିମନ୍ତେ ମାତା ବୈଷ୍ଣୋଦେବୀ ମନ୍ଦିର ପ୍ରଶାସନ ପକ୍ଷରୁ ଆସନ୍ତା ଡିସେମ୍ବର ୨୫ ତାରିଖରୁ କେବୁଲ କାର୍ ସେବା ଉପଲବ୍ଧ କରାଯିବାକୁ ସ୍ଥିର କରାଯାଇଛି  । ଏହି କେବୁଲ୍ କାର୍ ସେବା ବୈଷ୍ଣୋଦେବୀ ମନ୍ଦିରରୁ ଭୈରବନାଥ ମନ୍ଦିର ପର୍ଯ୍ୟନ୍ତ ଚାଲିବ  । ଏଥିପାଇଁ ଜଣକା ମୁଣ୍ଡପିଛା ୧୦୦ ଟଙ୍କା ଦେୟ ଦେବାକୁ ପଡ଼ିବ  । ଏହି ପ୍ରକଳ୍ପର ଆରମ୍ଭ ୨୦୧୪ରେ ଆରମ୍ଭ କରାଯାଇଥିଲା  । ୭୫ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ସ୍ୱିଜରଲ୍ୟାଣ୍ଡର ଗର୍ଭେତା ଏଜି ଓ ଭାରତର ଦାମୋଦର ରୋପୱେ କମ୍ପାନୀ ଦ୍ୱାରା ସମ୍ପନ୍ନ ହୋଇଛି  । ଅନ୍ୟପଟେ ମାତା ବୈଷ୍ଣୋଦେବୀଙ୍କ ପୀଠରେ ପ୍ରବଳ ଭକ୍ତ ଜନସମାଗମକୁ ଦେଖି ଯାତ୍ରୀମାନଙ୍କୁ ଭାରତୀୟ ରେଳବାଇ ସ୍ୱତନ୍ତ୍ର ସେବା ଯୋଗାଇ ଦେବାକୁ ସ୍ଥିର କରିଛି  । ତଦନୁଯାୟୀ ଉତ୍ତର ରେଳବାଇ ପକ୍ଷରୁ ବୈଷ୍ଣୋଦେବୀ ପୀଠକୁ ସ୍ୱତନ୍ତ୍ର ରେଳ ଚଳାଚଳ କରାଯିବ  । ଏହି ଟ୍ରେନ୍ଟି ଦିଲ୍ଲୀର ଆନନ୍ଦ ବିହାର ଟର୍ମିନାଲ୍ରୁ କଟରା ଅଭିମୁଖେ ଯାତ୍ରା କରିବ ଏବଂ ଏହା ମାସକୁ ପ୍ରାୟ ୨୨ ଥର ଚଳାଚଳ କରିବ  । ସପ୍ତାହକୁ ଏହି ଟ୍ରେନ୍ଟି ୮ ଥର ଚଳାଚଳ କରିବ ବୋଲି ରେଳବାଇ ସୂତ୍ରରୁ ପ୍ରକାଶ  ।

Comments