ବିଭାଜନବେଳେ ପାକିସ୍ତାନ ଚାଲିଯାଇଥିବା ଲୋକଙ୍କ ବଂଶଜମାନଙ୍କୁ କିଭଳି ଭାରତରେ ପୁଣି ରହିବାକୁ ଅନୁମତି ମିଳିପାରିବ : ଶୀର୍ଷ କୋଟ



ନୂଆଦିଲ୍ଲୀ, ୧୩/୧୨ : ଜମ୍ମୁ-କାଶ୍ମୀରେ ପୁନଃଥଇଥାନ ଆଇନ୍କୁ ବିରୋଧ କରି ରୁଜୁ ମାମଲାଟିର ଶୁଶାଣି ସୁପ୍ରିମ୍କୋର୍ଟରେ ବିଚାରଧୀନ ରହିଛି  । ଆଜିର ଶୁଣାଣି ସମୟରେ ବିଭାଜନବେଳେ ପାକିସ୍ତାନ ଚାଲିଯାଇଥିବା ଲୋକମାନଙ୍କ ବଂଶଜ ବା ଉତ୍ତରପୀଢ଼ିଙ୍କୁ କିଭଳି ଭାବେ ଭାରତରେ ପୁନଃ ବସବାସ କରିବାକୁ ଅନୁମତି ଦିଆଯାଇପାରିବ ବୋଲି ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇ ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରିଛନ୍ତି  । ଏଥିସହିତ ଏଯାବତ୍ ଜମ୍ମୁ-କାଶ୍ମୀରରେ ପୁନଃବସବାସ ପାଇଁ କେତେ ଲୋକ ଆବେଦନ କରିସାରିଲେଣି ବୋଲି ଜମ୍ମୁ-କାଶ୍ମୀର ସରକାରଙ୍କୁ ଶୀର୍ଷ କୋର୍ଟ ପ୍ରଶ୍ନ କରିଛନ୍ତି  । ପ୍ରକାଶ୍ୟ ଯେ, ବିଭାଜନ ନିୟମ ଅନ୍ତର୍ଗତ କେବଳ ୧୯୪୭- ୧୯୫୪ ମଧ୍ୟରେ ଭାରତରୁ ପାକିସ୍ତାନକୁ ଚାଲିଯାଇଥିବା ଲୋକମାନଙ୍କୁ ଭାରତରେ ପୁନଃ ବସବାସ ପାଇଁ ଅନୁମତି ମିଳିପାରିବ  । ମାତ୍ର ଏହି ନିୟମ ଅସମ୍ବିଧାନିକ ଅଟେ ବୋଲି ବିରୋଧ କରି କାଶ୍ମୀରର ପ୍ୟାନ୍ଥର ପାର୍ଟି ପକ୍ଷରୁ ସୁପ୍ରିମ୍କୋର୍ଟରେ ମାମଲା ରୁଜୁ କରାଯାଇଛି  । ଏଭଳି କରାଗଲେ ରାଜ୍ୟର ସୁରକ୍ଷା ସଙ୍କଟରେ ପଡ଼ିବ ବୋଲି ଆବେଦନକାରୀ ଅଦାଲତଙ୍କୁ ଅବଗତ କରାଇଛନ୍ତି  । ଅନ୍ୟପଟେ କେନ୍ଦ୍ର ସରକାର ମଧ୍ୟ ଆବେଦନକାରୀଙ୍କ ଏହି ଆବେଦନକୁ ସମର୍ଥନ ଦେଇଛନ୍ତି  । ସେପଟେ ମାମଲାର ଶୁଣାଣି ସମୟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହାକୁ ପରିଚାଳନା କରୁଥିବା ସଲିସିଟର ଜେନେରାଲ୍ ତୁଷାର ମେହେଟ୍ଟା ଯୁକ୍ତି ଉପସ୍ଥାପନ କରିଥିଲେ ଯେ, ବିଭାଜନ ସମୟରେ ପାକିସ୍ତାନ ଚାଲିଯାଇଥିବା ଲୋକଙ୍କୁ ପୁଣି ଥରେ ଭାରତକୁ ଫେରାଇ ଆଣିବା ନିମନ୍ତେ କେନ୍ଦ୍ର ସରକାର ଚାହାନ୍ତି ନାହିଁ  । ଅନ୍ୟପଟେ ଯେତେବେଳେ ପର୍ଯ୍ୟନ୍ତ ସମ୍ବିଧାନର ଧାରା ୩୫-ଏକୁ ବିରୋଧ କରି ରୁଜୁ ମାମଲାରେ ମାନ୍ୟବର ଶୀର୍ଷ ଅଦାଲତ କୌଣସି ରାୟ ଦେଇନାହାନ୍ତି ସେତେବେଳ ପର୍ଯ୍ୟନ୍ତ ଏହି ମାମଲାର ଶୁଣାଣି ନ ହେଉ ବୋଲି ଜମ୍ମୁ-କାଶ୍ମୀର ସରକାର ଆବେଦନ କରିଆସୁଛନ୍ତି  । ତେବେ ସମସ୍ତ ପକ୍ଷଭୁକ୍ତଙ୍କ ଯୁକ୍ତିକୁ ବିଚାରକୁ ନେଇ ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ୨୦୧୯ ଜାନୁୟାରୀରେ ହେବ ବୋଲି ମାନ୍ୟବର ଶୀର୍ଷ ଅଦାଲତ ସମୟ ଧାର୍ଯ୍ୟ କରିଛନ୍ତି  ।

Comments