ସମ୍ବଲପୁରରେ ବିଶାଳ ହିନ୍ଦୁ ସମ୍ମିଳନୀ


ସମ୍ବଲପୁର,୩୦ା୧୨: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିମୁଦ୍ରାକରଣ, ସର୍ଜିକାଲ ଷ୍ଟ୍ରାଇକ୍ ଓ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ପ୍ରତିମୂର୍ତ୍ତି ନିର୍ମାଣ କରି ଦେଶର ମାନ ଓ ସମ୍ମାନ ବୃଦ୍ଧି କରିଛନ୍ତି । ତେଣୁ ତାଙ୍କ ଉପରେ ସମସ୍ତ ହିନ୍ଦୁ ସମାଜର ଅପେକ୍ଷା ରହିଛି ।ମୋଦିକୁ ଆଣିବା ସହ ରାମ ମନ୍ଦିର ନିର୍ମାଣ ହେବ । ରାମ ଜନ୍ମଭୂମି ପାଇଁ ପ୍ରଧାନମନ୍ତ୍ରୀ ପାର୍ଲାମେଣ୍ଟରେ ବିଧେୟ ଆଣିବା ଜରୁରୀ ଅଟେ ବୋଲି ପୂଜ୍ୟ ମହାମଣ୍ଡଳେଶ୍ୱର ସ୍ୱମାୀ ଅଖିଳେଶ୍ୱରାନନ୍ଦ ଗିରି ଜୀ ମହାରାଜ କହିଛନ୍ତି । ରବିବାର ସମ୍ବଲପୁର ଜିଲ୍ଲା ମନ୍ଦଲିଆ ପଡିଆ ଠାରେ ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ବିଶାଳ ହିନ୍ଦୁ ସମ୍ମିଳନୀରେ ସେ ଏହା କହିଥିଲେ । ସେ ଆହୁରୀ କହିଥିଲେ ଯେ,ଲୋକସଭା ନିର୍ବାଚନ ଆସିବା ପୂର୍ବରୁ ଏଭଳି ଧର୍ମସଭା ହୋଇଥାଏ ବୋଲି ଚର୍ଚ୍ଚା ହୋଇଥାଏ । ମାତ୍ର ଆମେ ବର୍ଷ ତମାମ ଏଭଳି ସଭା ଓ ସମିତି କରିଥାଉ । ଭାରତ ବର୍ଷରେ ଜନ୍ମଗ୍ରହଣ କରିଥିବା ଲୋକେ ଭାରତୀୟ ଅଟନ୍ତି । ଏହି ସଂସ୍କୃତି ଓ ମାଟିରେ ଜନ୍ମ ହୋଇଥିବା ଲୋକେ ହିନ୍ଦୁତ୍ୱ ଉପରେ ଭରଷା କରିବା ଉଚିତ୍ । ଅନେକ ବର୍ଷ ହେବ ଭାରତ ବର୍ଷରେ ବଡ ଷଡଯନ୍ତ୍ର ହେଉଛି । ସନାତନ ହିନ୍ଦୁ ସଂସ୍କୃତି ଉପରେ ବିଶ୍ୱାସ କରୁନଥିବା ଲୋକେ ଏକତ୍ରିତ ହେଉଛନ୍ତି । ସେମାନେ ଭାରତକୁ ଖଣ୍ଡବିଖଣ୍ଡିତ କରିବାକୁ ଉଦ୍ୟମ କରୁଛନ୍ତି । ରାମ ମନ୍ଦିର କୋଟି କୋଟି ଲୋକଙ୍କ ଆସ୍ଥା ଓ ବିଶ୍ୱାସର କେନ୍ଦ୍ର ଅଟେ । ଯେଭଳି ବାବ୍ରୀ ମସଜିଦ୍ ଭଙ୍ଗା ଯାଇଥିଲା ସେଭଳି ଚାହିଁଲେ ୪୮ଘଣ୍ଟା ମଧ୍ୟରେ ଏହି ମନ୍ଦିର ନିର୍ମାଣ ହେବ । ଅଯୋଧ୍ୟାରେ ଅନେକ ମସ୍ଜିଦ୍ ରହିଛି । ମାତ୍ର ଆମେ ତାହାର କ୍ଷତି କରିବାକୁ ଚାହୁଁ ନାହିୁଁ । ହିନ୍ଦୁ ସଂଗଠନ ବୃଦ୍ଧି, ଅପ ସଂସ୍କୃତିକୁ ବିରୋଧ, ହିନ୍ଦୁତ୍ୱ ସଂରକ୍ଷଣ ଓ ରାମ ମନ୍ଦିର ପାଇଁ ଜନମତ ନିର୍ମାଣ ହେଉଛି ବିଶ୍ୱ ହିନ୍ଦୁ ପରିସରର କାର୍ଯ୍ୟ । ସେହିପରି ସତ୍ୟ ପ୍ରଜ୍ଞାନନ୍ଦ ସରସ୍ୱତୀ ମହାରାଜ ଯୋଗ ଦେଇ କହିଥିଲେ ଯେ, ଭାରତ ସ୍ୱାଧିନତା ବେଳେ ରାମ ରାଜ୍ୟର ପରିକଳ୍ପନା କରାଯାଇଥିଲା । ଲୋକେ ରାମଚନ୍ଦ୍ରଙ୍କୁ ମର୍ଯ୍ୟାଦା ପୁରୁଷ ଭାବେ ବିବେଚନା କରନ୍ତି । ତେବେ ତାଙ୍କ ମନ୍ଦିର ନିର୍ମାଣ ନହେବା ଘଟଣା ସମସ୍ତଙ୍କୁ ବ୍ୟଥିତ କରିଛି । ବର୍ତ୍ତମାନ ଲୋକେ ସନ୍ଥଙ୍କ ମାର୍ଗ ଦର୍ଶନରେ ଚାଲୁନଥିବା ବେଳେ ନେତାଙ୍କ ମାର୍ଗ ଦର୍ଶନରେ ଚାଲୁଛନ୍ତି । ସରକାର ଓ କୋର୍ଟ ନଚାହିଁଲେ ମଧ୍ୟ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ହେବ । ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଚନ୍ଦ୍ରଙ୍କର ଭବ୍ୟ ମନ୍ଦିର ନିର୍ମାଣ ପାଇଁ ଆଇନ ପ୍ରଣୟନ କିମ୍ବା ଅଧ୍ୟାଦେଶ ଉପସ୍ଥାପନ ହେବା ଉଚିତ୍ । ବିଶ୍ୱ ହିନ୍ଦୁ ପରିଷଦର ସଂପାଦକ ଭକ୍ତଚରଣ ସାହୁ, ଅଭୟ ଚୈତନ୍ୟଜୀ ମହାରାଜ, ସ୍ୱାମୀ ସମବେଶ ପରିବ୍ରାଜକ , ରାମଦେବ ବାନପ୍ରସ୍ଥ, ସମ୍ବଲପୁର ଜିଲ୍ଲା ଧର୍ମ ପ୍ରସାର ପ୍ରମୁଖ ଲାଲ ବିହାରୀ ବାଘ, ବିଭାଗ ସଂପାଦକ ହରିଶଙ୍କର ହୋତା, ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ପ୍ରାନ୍ତ ସଂଘ ଚାଳକ ବିପିନ ନନ୍ଦ, ଅଶୋକ ସାକୁନିଆ, ପ୍ରଦୀପ ବହିଦାର, ସତ୍ୟ ନାରାୟଣ ପଣ୍ଡା, ଶରତ ଚନ୍ଦ୍ର ପଣ୍ଡା, ବରଗଡ ଜିଲ୍ଲା ସଭାପତି ନିଧୁବନ ବିହାରୀ ପ୍ରସାଦ ପଣ୍ଡା, ପଦ୍ମପୁର ସଭାପତି ଚୁଡାମଣି ସାହୁ ପ୍ରମୁଖ ମଂଚାସୀନ ଥିଲେ । ଏହି ଅବସରରେ ଅଇଁଠାପାଲି ପିଏଚ୍ଡି ପଡିଆ ଠାରୁ ଏକ ବିଶାଳ ବାଇକ୍ ରାଲି ବାହାରି ମୁଦିପଡା , ଲକ୍ଷ୍ମୀ ଟକିଜ୍ , ଗୋଲ ବଜାର, ଗେଟିରୋଡ, କୁଞ୍ଜେଲପଡା, ସମଲେଇ ଗୁଡି, ବଡବଜାର ଦେଇ ସମ୍ମିଳନୀ ପଡିଆରେ ପଂହଚିଥିଲା । ରାଲିରେ ସାମିଲ ହୋଇଥିବା ଯୁବକମାନେ ଗୈରିକ ଧ୍ୱଜା ଧରିଥିବା ବେଳେ ଜୟ ଶ୍ରୀରାମ ଧ୍ୱନୀ ଦେଉଥିବା ଦେଖିବାକୁ ମିଳିଥିଲା । ତେଣୁ ସମଗ୍ର ସହର ରାମଧ୍ୱନୀରେ ଗୁଞ୍ଜରିତ ହୋଇଥିଲା । ଏଥିରେ ସମ୍ବଲପୁର ସମେତ ଦେବଗଡ, ବରଗଡ, ଝାରୁସୁଗୁଡା ପ୍ରଭୃତି ଜିଲ୍ଲାରେ ସାଧୁସନ୍ଥଙ୍କ ସମେତ ରାମଭକ୍ତମାନେ ଯୋଗ ଦେଇଥିଲେ । ସହ ସଂପାଦକ ରାଜିବ ଶତପଥି ମଂଚ ପରିଚାଳନା କରିଥିଲେ । ଶେଷରେ ପ୍ରାନ୍ତ ଉପସଭାପତି ଗୁଣସାଗର ଦାଶ ଧନ୍ୟବାଦ ଅର୍ପଣ କରିଥିଲେ ।

Comments