ବହୁତ ଶୀଘ୍ର ବ୍ରିଟେନ୍କୁ ଅର୍ଥନୀତିରେ ପଛରେ ପକାଇ ୫ମ ଆର୍ଥିକ ଶକ୍ତି ହେବ ଭାରତ : ପିଡବ୍ଲ୍ୟୁସି


ନୂଆଦିଲ୍ଲୀ, ୨୦/୧  : ୨୦୧୯ ଆର୍ଥିକ ବର୍ଷରେ ବିଶ୍ୱର ଅର୍ଥବ୍ୟବସ୍ଥାରେ ପୁଣି ଥରେ ଓଲଟ ପାଲଟ ହୋଇପାରେ ବୋଲି ବ୍ରିଟେନର ଏକ ଆର୍ଥିକ ସର୍ଭେକାରୀ ସଂସ୍ଥା ପ୍ରାଇସ୍ ୱାଟରହାଉସ୍ କୁପର୍ସ (ପିଡବ୍ଲ୍ୟୁସି) ତା’ର ରିପୋର୍ଟରେ ଦର୍ଶାଇଛି  । ଯଦି ଭାରତର ଆର୍ଥିକ ଅଭିବୃଦ୍ଧି ଆଗକୁ ମଧ୍ୟ ବର୍ତ୍ତମାନ ହାରରେ ଜାରି ରୁହେ ତେବେ ଖୁବ୍ ଶୀଘ୍ର ଏହା ବ୍ରିଟେନ୍କୁ ପଛରେ ପକାଇ ବିଶ୍ୱର ୫ମ ଆର୍ଥିକ ଶକ୍ତି ଭାବେ ଉଭା ହେବ ବୋଲି ପିଡବ୍ଲ୍ୟୁସି କହିଛି  । ଆର୍ଥିକସ୍ତରରେ ଶୀର୍ଷ ରହିଥିବା ଦେଶଗୁଡ଼ିକ ମଧ୍ୟରେ ବ୍ରିଟେନ୍ ଓ ଫ୍ରାନ୍ସ ଯଥାକ୍ରମେ ଆଗପଛ ହୋଇ ଚାଲୁଛନ୍ତି  । ତେବେ ଯଦି ୨୦୧୯ରେ ଭାରତର ଜିଡିପି ହାର ୭.୬% ରୁହେ ତା’ହେଲେ ବ୍ରିଟେନ୍ର ସ୍ଥାନ ୫ରୁ ୭କୁ ଖସିଆସିବ ଏବଂ ଉଭୟ ଫ୍ରାନ୍ସ ଓ ବ୍ରିଟେନ୍କୁ ପଛରେ ପକାଇ ଭାରତ ୫ମ ସ୍ଥାନ ଅଧିକାର କରିବ ବୋଲି ରିପୋର୍ଟରେ ଦର୍ଶାଯାଇଛି  । ଭାରତ ପୃଥିବୀର ସବୁଠାରୁ ଦ୍ରୁତଭାବେ ଆଗକୁ ବଢ଼ୁଥିବା ଅର୍ଥବ୍ୟବସ୍ଥା ଅଟେ ବୋଲି ପିଡବ୍ଲ୍ୟୁସିର ବରିଷ୍ଠ ଅର୍ଥନୀତିଜ୍ଞ ମାଇକ ଜ୍ୟାକମ୍ୟାନ କହିଛନ୍ତି  । ସେପଟେ ୨୦୧୭ରେ ଭାରତର ଜିଡିପି ୨,୫୯୦ ନିୟୁତ ଡଲାରର ସମକକ୍ଷ ଥିଲା ଓ ଏହା ଫ୍ରାନ୍ସକୁ ପଛରେ ପକାଇ ବିଶ୍ୱର ୬ଷ୍ଠତମ ଆର୍ଥିକ ଶକ୍ତି ଭାବେ ଭାରତ ଉଭା ହୋଇସାରିଥିବା ବିଶ୍ୱବ୍ୟାଙ୍କ କହିସାରିଛି  । ସେତେବେଳେ ଫ୍ରାନ୍ସର ଜିଡିପି ୨,୫୮୦ ନିୟୁତ ଡଲାର ରହିଥିଲା  । ତେବେ ୨୦୧୯ରେ ବିଶ୍ୱର ଆର୍ଥିକ ଅଭିବୃଦ୍ଧି ମାନ୍ଦା ରହିବ ବୋଲି ପିଡବ୍ଲ୍ୟୁସି ରିପୋର୍ଟରେ ଉଲ୍ଲେଖ କରିଛି  ।

Comments