ଭାରତ ହେବ ଦ୍ରୁତତମ ଅର୍ଥନୈତିକ ବିକାଶଶୀଳ ରାଷ୍ଟ୍ର: ଜାତିସଂଘ


ନୂଆଦିଲ୍ଲୀ : ବିଶ୍ୱର ଦ୍ୱତୀୟ ବୃହତ୍ ଅର୍ଥନୈତିକ ରାଷ୍ଟ୍ରଭାବେ ଚୀନ୍ ନିଜର ସ୍ଥିତି ଜାହିର କରି ଆସିଥିବା ବେଳେ ସାଂପ୍ରତିକ ସ୍ଥିତିରେ ଏଥିରେ ପରିବର୍ତ୍ତନ ଘଟିଛି । ବିଶେଷକରି ଆମେରିକା ସହ ଏହାର ବାଣିଜ୍ୟିକ ଯୁଦ୍ଧକୁ ନେଇ ଚୀନ୍ର ଅର୍ଥନୀତି ସର୍ବାଧିକ ଭାବେ ପ୍ରଭାବିତ ହୋଇଛି । ଯାହାକୁ ନେଇ ୨୦୧୮ ବର୍ଷର ଆର୍ଥିକ ଫଳାଫଳ ନୈରାଶ୍ୟଜନକ ହେବା ସହ ଚୀନ୍ର ଅଭିବୃଦ୍ଧି ମଧ୍ୟ ପ୍ରଭାବିତ ହୋଇଛି । ଏଭଳି ସ୍ଥିତିରେ ଭାରତର ଆର୍ଥିକ ବ୍ୟବସ୍ଥା ଚୀନ୍ ଠାରୁ ଆଗୁଆ ରହିଥିଲା ବେଳେ ବିଶ୍ୱସ୍ତରରେ ଭାରତୀୟ ଅର୍ଥନୀତି ପ୍ରମୁଖ ଭୂମିକା ଗ୍ରହଣ କରିବାକୁ ଯାଉଛି ବୋଲି ଆନ୍ତର୍ଜାତିକସ୍ତରର ବିଭିନ୍ନ ସଂସ୍ଥାମାନଙ୍କ ପକ୍ଷରୁ ତର୍ଜମା ଚାଲିଛି । ଭାରତର ବର୍ଦ୍ଧିତ ଅର୍ଥନୀତିକୁ ନେଇ ବିଭିନ୍ନ ଆନ୍ତର୍ଜାତିକ ସଂସ୍ଥାମାନଙ୍କ ପକ୍ଷରୁ ଏବେ ଅଙ୍କକଷା ଆରମ୍ଭ ହୋଇଯାଇଥିଲା ବେଳେ ଆଗାମୀ ଦିନରେ ଭାରତ ଚୀନ୍ ଅର୍ଥନୀତିକୁ ଟପିଯିବ ବୋଲି ବିଭିନ୍ନ ଆନ୍ତର୍ଜାତିକସ୍ତରର ଏଜେନ୍ସି ପକ୍ଷରୁ କୁହାଯାଇଛି । ଏହିକ୍ରମରେ ଜାତିସଂଘ ପକ୍ଷରୁ କରାଯାଇଥିବା ଆକଳନରେ ଭାରତ ୨୦୧୯ ଏବଂ ୨୦୨୦ ବର୍ଷରେ ବିଶ୍ୱର ଦ୍ରୁତତମ ଅଭିବୃଦ୍ଧି ହାସଲକାରୀ ଏବଂ ଏକ ବୃହତ୍ ଅର୍ଥନୀତି ଭାବେ ପ୍ରତିଷ୍ଠାଲାଭ କରିବାକୁ ଯାଉଛି ବୋଲି କୁହାଯାଇଛି । ଜାତିସଂଘର ବିଶ୍ୱ ଅର୍ଥନୈତିକ ସ୍ଥିତି ଏବଂ ସମ୍ଭାବନା(ଡବ୍ଲୁ ଇଏସ୍ପି) ରିପୋର୍ଟ - ୨୦୧୯ ଅନୁସାରେ ୨୦୧୮-୧୯ ବର୍ଷରେ ଭାରତର ଭାରତର ସାମଗ୍ରିକ ଘରୋଇ ଉତ୍ପାଦନ(ଜିଡିପି) ହାର ୭.୪ ପ୍ରତିଶତ ରହିବା ସହ ୨୦୧୯-୨୦ ଆର୍ଥିକ ବର୍ଷରେ ଏହି ହାର ୭.୬ ପ୍ରତିଶତ ହେବ । ଅପରପକ୍ଷରେ ୨୦୧୭-୧୮ ଆର୍ଥିକ ବର୍ଷରେ ଚୀନ୍ର ଅଭିବୃଦ୍ଧି ହାର ୬.୬ ପ୍ରତିଶତ ରହିଥିଲା ବେଳେ ୨୦୧୮-୧୯ ବର୍ଷରେ ଏହା ୬.୩ ପ୍ରତିଶତ ମଧ୍ୟରେ ସୀମିତ ରହିବ ବୋଲି ଏହି ରିପୋର୍ଟରେ କୁହାଯାଇଛି । ହେଲେ ୨୦୧୯- ୨୦ ବର୍ଷରେ ଏହି ହାର ଆହୁରି ସଙ୍କୁଚିତ ହେବା ସହ ଏହା ୬.୨ ପ୍ରତିଶତକୁ ଖସି ଆସିବ । ବାଣିଜ୍ୟିକ ଯୁଦ୍ଧକୁ ନେଇ ଲାଗି ରହିଥିବା ନକରାତ୍ମକ ପ୍ରଭାବ ଚୀନ୍ର ବିଭିନ୍ନ କ୍ଷେତ୍ରକୁ ପ୍ରଭାବିତ କରିବ ବୋଲି ଉକ୍ତ ରିପୋର୍ଟରେ କୁହାଯାଇଛି । ଭାରତରେ ଆର୍ଥିକ ବ୍ୟବସ୍ଥାର ବିଭିନ୍ନ ଦିଗରେ ନିକଟରେ ଯେଉଁ ସଂସ୍କାରମୂଳକ ପଦକ୍ଷେପ ନିଆଯାଇଛି ତଦ୍ୱାରା ଏହାର ଆର୍ଥିକ ସ୍ଥିତିକୁ ଅଧିକ ସୁଦୃଢ କରିବାରେ ସଫଳତା ମିଳିବା ସହ ଘରୋଇ କ୍ଷେତ୍ରର ଦ୍ରୁତ ବିକାଶ ହେବ ବୋଲି ରିପୋର୍ଟରେ କୁହାଯାଇଛି ।

Comments