ସାବରୀମାଳା ମନ୍ଦିର କୌଣସି ଏକ ସର୍ବସାଧାରଣ ସ୍ଥାନ ନୁହେଁ : ମୋହନ ଭାଗବତ


ପ୍ରୟାଗରାଜ,(ଭି ଏସ୍ କେ) ୩୧/୧  : ପ୍ରଭୁ ଆୟପ୍ପାଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ କେରଳର ସାବରୀମାଳା ମନ୍ଦିରରେ ମହିଳାଙ୍କ ପ୍ରବେଶକୁ ନେଇ ସମଗ୍ର ରାଜ୍ୟରେ ଏବେ ଅଶାନ୍ତି ଓ ବିକ୍ଷୋଭ ପ୍ରଦର୍ଶନ ଜାରି ରହିଛି  । କାହିଁ ଆଦି କାଳରୁ ଏହି ମନ୍ଦିରରେ ୧୧ ବର୍ଷରୁ ୫୦ ବର୍ଷ ପର୍ଯ୍ୟନ୍ତ ମହିଳାଙ୍କ ପ୍ରବେଶ ଉପରେ କଟକଣା ରହିଆସିଛି  । ମାତ୍ର ମାନ୍ୟବର ସୁପ୍ରିମ୍କୋର୍ଟ ଏହି ସଂକ୍ରାନ୍ତୀୟ ଏକ ମାମଲାର ଶୁଣାଣି କରି ସାବରୀମାଳା ମନ୍ଦିରରେ ମହିଳାଙ୍କ ପ୍ରବେଶ ଉପରେ ରହିଥିବା କଟକଣାକୁ ଉଠାଇ ଦେବା ସହ ସବୁ ବୟସର ମହିଳା ସାବରୀମାଳା ମନ୍ଦିରରେ ପ୍ରବେଶ କରିପାରିବେ ବୋଲି ରାୟ ଦେଇଥିଲେ  । ଏଥିସହ ମହିଳାମାନେ ଯେଭଳି ସୁରକ୍ଷିତ ଭାବେ ସାବରୀମାଳା ଦର୍ଶନ କରିପାରିବେ ସେଥିଲାଗି ପଦକ୍ଷେପ ନେବାକୁ ରାଜ୍ୟ ସରକାରଙ୍କୁ ଆଦେଶରେ ସ୍ପଷ୍ଟ କରିଥିଲେ  । ଏହାପରେ ଗତ ଜାନୁୟାରୀ ୨ ତାରିଖ ଭୋର୍ରୁ ୨ ଜଣ ବୁର୍ଖା ପିନ୍ଧା ମହିଳା ଉକ୍ତ ମନ୍ଦିରରେ ଲୁଚି କରି ପ୍ରବେଶ କରି ପ୍ରଭୁ ଆୟପ୍ପାଙ୍କୁ ଦର୍ଶନ କରିଥିଲେ  । ଏବିଷୟରେ ଜଣାପଡ଼ିବା ପରେ ମନ୍ଦିର ପ୍ରଶାସନ ପକ୍ଷରୁ ମୁଖ୍ୟ କବାଟକୁ ବନ୍ଦ କରାଯାଇ ଏହାକୁ ରୀତି ନୀତି ଅନୁଯାୟୀ ଶୋଧନ କରାଯାଇଥିଲା ଏବଂ ପରେ ସାବରୀମାଳା ମନ୍ଦିର ଟ୍ରଷ୍ଟ ଏବଂ ହିନ୍ଦୁତ୍ୱବାଦୀ ସଂଗଠନଗୁଡ଼ିକ ଏହାକୁ ଘୋର ବିରୋଧ କରି ବିକ୍ଷୋଭ ପ୍ରଦର୍ଶନ କରିବା ସହ ବ୍ୟାପକ ଜଳାପୋଡ଼ା କରିଥିଲେ  । ଅନ୍ୟପଟେ ଏତେ ଦିନ ପରେ ଏହି ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆର୍ଏସ୍ଏସ୍) ପ୍ରମୁଖ ମୋହନ ଭାଗୱତ  । ପ୍ରୟାଗରାଜ ଠାରେ ଆୟୋଜିତ ଧର୍ମ ସଂସଦରେ ଯୋଗ ଦେଇ ସେ କହିଛନ୍ତି ଯେ, ଆମେ ନ୍ୟାୟାଳୟର ସମ୍ମାନ କରୁଛୁ  । ମାତ୍ର ସୁପ୍ରିମ୍କୋର୍ଟଙ୍କ ଦ୍ୱାରା ସାବରୀମାଳା ମନ୍ଦିରରେ ମହିଳାଙ୍କ ଅନୁପ୍ରବେଶ ପାଇଁ ରାୟ ଦେବା ନିହାତି ଅଯୌକ୍ତିକ ଅଟେ  । ଏହାଦ୍ୱାରା କେରଳରେ ହିନ୍ଦୁ ସମାଜର ଧର୍ମୀୟ ଭାବାବେଗ ଉପରେ କୁଠାରଘାତ ଅଟେ  । ଲୋକେ ଭାବୁଛନ୍ତି ଯେ, ପ୍ରଭୁ ଆୟପ୍ପାଙ୍କୁ କେବଳ କେରଳବାସୀ ପୂଜା କରନ୍ତି ମାତ୍ର ତାହା ନୁହେଁ ପ୍ରଭୁ ଆୟପ୍ପାଙ୍କୁ ସମଗ୍ର ଦେଶବାସୀ ପୂଜାର୍ଚ୍ଚନା କରିଥାନ୍ତି ବୋଲି ଶ୍ରୀ ଭାଗବତ କହିଛନ୍ତି  । ତେବେ ସାବରୀମାଳା ମନ୍ଦିର କୌଣସି ସାର୍ବଜନୀନ ସ୍ଥାନ ନୁହେଁ ଯେଉଁଠାକୁ ଯିଏ ନା ସିଏ ପ୍ରବେଶ କରିବେ ଏହା ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର ଧାର୍ମିକ ଭାବନା ସହିତ ଜଡ଼ିତ ଧର୍ମୀୟ ଅନୁଷ୍ଠାନ ଅଟେ  ।

Comments