ଲିଙ୍ଗାୟତ ସମ୍ପ୍ରଦାୟର ମହାନ ଗୁରୁ ଡ. ଶିବକୁମାରଙ୍କ ଦେହାନ୍ତରେ ବିଶ୍ୱ ହିନ୍ଦୁ ପରିଷଦର ଶୋକ


ବେଙ୍ଗାଲୁର, ୨୧/୧  : ଲିଙ୍ଗାୟତ ସମ୍ପ୍ରଦାୟର ମହାନ ଗୁରୁ ଡ. ଶିବକୁମାର ସ୍ୱାମୀଜୀଙ୍କ ୧୧୧ ବର୍ଷ ବୟସରେ ଦେହାନ୍ତ ଘଟିଛି  । ଆଜି ମଧ୍ୟାହ୍ନ ପ୍ରାୟ ୧୧ଟା ୪୦ରେ କର୍ଣ୍ଣାଟକର ତୁମକୁରସ୍ଥିତ ଶ୍ରୀସିଦ୍ଧଗଙ୍ଗା ମଠରେ ସେ ପ୍ରାଣତ୍ୟାଗ କରିଛନ୍ତି  । ସେ ସିଦ୍ଧଗଙ୍ଗା ମଠର ମୁଖ୍ୟ ଭାବେ କାର୍ଯ୍ୟ କରୁଥିଲେ ଏବଂ ଅସୁସ୍ଥ ଥିବାରୁ ତାଙ୍କୁ ଦୀର୍ଘ ୨ ସପ୍ତାହ ହେବ ଭେଣ୍ଟିଲେଟରରେ ରଖାଯାଇଥିଲା  । ତାଙ୍କ ମୃତ୍ୟୁରେ ରାଜ୍ୟ ସରକାର ୩ ଦିନିଆ ରାଷ୍ଟ୍ରୀୟ ଶୋକର ଘୋଷଣା କରିଛନ୍ତି  । ଏଥିସହ ଆସନ୍ତା କାଲି ସମସ୍ତ ଶିକ୍ଷାନୁଷ୍ଠାନ ଓ ସରକାରୀ ପ୍ରତିଷ୍ଠାନଗୁଡ଼ିକ ମଧ୍ୟ ବନ୍ଦ ରହିବ ବୋଲି ଘୋଷଣା କରାଯାଇଛି  । ଆସନ୍ତା କାଲି ଅପରାହ୍ଣରେ ଶ୍ରୀଶିବକୁମା ସ୍ୱାମୀଜୀଙ୍କ ଅନ୍ତିମ ସଂସ୍କାର କରାଯିବ  । ପ୍ରକାଶ୍ୟ ଯେ, ସ୍ୱାମୀଜୀ ଉପାଧି ଲିଙ୍ଗାୟତଓ ବୀରଶୈବ ସମ୍ପ୍ରଦାୟର ଧର୍ମଗୁରୁ ଭାବେ ପରିଚିତ ଥିଲେ  । ସେ ପଦ୍ମ ଭୂଷଣ ଉପାଧିରେ ସମ୍ମାନୀତ ହୋଇଥିଲେ  । ଗତ ଡିସେମ୍ବର ମାସରେ ତାଙ୍କ ଯକୃତର ଅସ୍ତ୍ରୋପଚାର କରାଯାଇଥିଲାବେଳେ ପରେ ଏହା ସଂକ୍ରମିତ ହୋଇଥିଲା  । ଏଣୁ ତାଙ୍କର ସ୍ୱାସ୍ଥ୍ୟବସ୍ଥାରେ କ୍ରମେ ଅବନତି ଘଟିଥିଲା । ଅଧିକ ଅସୁସ୍ଥ ହେବାରୁ ସ୍ୱାମୀଜୀଙ୍କୁ ପ୍ରଥମେ ଚେନ୍ନାଇସ୍ଥିତ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇôଥଲା  । ଏହାପରେ ତାଙ୍କୁ ଶ୍ରୀସିଦ୍ଧଗଙ୍ଗା ମଠକୁ ଆଣି ଭେଣ୍ଟିଲେଟରରେ ରଖାଯାଇଥିଲା  । ସ୍ୱାମୀଜୀଙ୍କ ନିଧନରେ ବିଶ୍ୱହିନ୍ଦୁ ପରିଷଦ ତରଫରୁ ଗଭୀର ଶୋକ ପ୍ରକାଶ କରାଯାଇଛି । ବିଶ୍ୱହିନ୍ଦୁ ପରିଷଦ ମହାମନ୍ତ୍ରୀ ମିଲିନ୍ଦ ପରାଣ୍ଡେ ନିଜର ଶୋକବାର୍ତ୍ତାରେ କହିଛନ୍ତି ଯେ,ଶ୍ରୀସିଦ୍ଧଗଙ୍ଗା ଶିକ୍ଷା ସୋସାଇଟିର ପ୍ରତିଷ୍ଠାତା ଡ. ଶିବକୁମାର ସ୍ୱାମୀଜୀ ଅନେକ ପିଲାଙ୍କ ମାଗଣାରେ ଶିକ୍ଷା ବ୍ୟବସ୍ଥା କରାଇଥିଲେ  । ସାହିତ୍ୟରେ ତାଙ୍କର ଉଲ୍ଲେଖନୀୟ ଅବଦାନ ପାଇଁ ତାଙ୍କୁ ଡକ୍ଟରେଟ୍ ଉପାଧି ମିଳିଥିଲା  । ନିଃସ୍ୱାର୍ଥପର ସମାଜସେବା ପାଇଁ ସେ ପ୍ରତିଟି ବର୍ଗ ଓ ଜାତିର ଲୋକଙ୍କ ପୂଜ୍ୟ ହୋଇପାରିଥିଲେ  ।

Comments