ଦେଶରେ ଆତଙ୍କୀ ଆକ୍ରମଣ କରିବା ପାଇଁ ଯୋଜନା କରିଥିଲା ଜେଇଏମ୍ : ଏନ୍ଆଇଏ


ନୂଆଦିଲ୍ଲୀ, ୩୦/୧  : ବାଂଲାଦେଶରେ ସକ୍ରୀୟ ଥିବା ଆତଙ୍କବାଦୀ ସଂଗଠନ ଜମାତ-ଉଲ୍ମୁଜାହିଦ୍ଦିନ (ଜେଇଏମ୍) ଭାରତରେ ଏକ ବଡ଼ ଧରଣର ଆତଙ୍କୀ ଆକ୍ରମଣ କରିବାକୁ ଯୋଜନା କରୁଛି ବୋଲି ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍ଆଇଏ) ସତର୍କ ସୂଚନା ଜାରି କରିଛି  । ଜେଇଏମ୍ ତା’ର ଯୋଜନାକୁ ସାକାର କରିବା ଲାଗି ପଶ୍ଚିମବଙ୍ଗରେ ଥିବା ନିଜର ସ୍ଲିପର ସେଲ୍ଙ୍କ ସହି ଯୋଗାଯୋଗ ଜାରି ରଖିଛି ବୋଲି ଗିରଫ ଦୁଇ ଜେଇଏମ୍ ଆତଙ୍କୀ କାଦର କାଜୀ ଏବଂ ସଜ୍ଜାଦ ଅଲ୍ଲୀଙ୍କୁ ପଚରାଉଚୁରାବେଳେ ଏନ୍ଆଇଏ ଜାଣିବାକୁ ପାଇଛି  । ଏହି ୨ ଜଣଙ୍କୁ କିଛିଦିନ ତଳେ ପଶ୍ଚିମବଙ୍ଗର ଆରମାବାଦରୁ ଏନ୍ଆଇଏ ଗିରଫ କରିଥିଲା  । ଗିରଫ ୨ ଆତଙ୍କବାଦୀଙ୍କ ଠାରୁ ଆଇଇଡି ନିର୍ମାଣରେ ବ୍ୟବହାର କରାଯାଉଥିବା ବ୍ୟାଟେରୀ, ତାର, ଇଲେକ୍ଟ୍ରିକ ସର୍କିଟ, ବିଦ୍ୟୁତ ଘଣ୍ଟା ଏବଂ ସାଧାରଣ ଘଡ଼ିକୁ ଜବତ କରାଯାଇଛି  । ଗିରଫ ଆତଙ୍କୀଦ୍ୱୟ ନିଜର ଯୋଜନାକୁ କାର୍ଯ୍ୟକାରୀ କରିବା ଲାଗି ଆରାମବାଦସ୍ଥିତ ଏକ ନିର୍ମାଣଧୀନ ୩ ମହଲା କୋଠାରେ ଆଡ୍ଡା ଜମାଇଥିଲେ  । ସୂଚନା ପାଇ ଏନ୍ଆଇଏ ଏହା ଉପରେ ଚଢ଼ାଉ କରି ଉପରୋକ୍ତ ୨ ଜେଇଏମ୍ ଆତଙ୍କୀଙ୍କୁ ଗିରଫ କରିଛି  । ଅନ୍ୟପଟେ ଗିରଫ ଜେଇଏମ୍ ଆତଙ୍କୀ କାଦର କାଜୀ (୩୨) ମୂଳତଃ ପଶ୍ଚିମବଙ୍ଗର ବୀରଭୂମି ଅଞ୍ଚଳର ବାସିନ୍ଦା ଥିଲା  । ସେ ବହୁଦିନ ହେବ ସୁରକ୍ଷା ଏଜେନ୍ସିକୁ ଚକ୍ମା ଦେଖାଇ ଛଦ୍ମନାମରେ ଏଣେତେଣେ ଲୁଚି ରହୁଥିଲା  । ସେ କେତେବେଳେ ନିଜର ନାମ ବଦଳାଇ ମିଜାନୁର ରହେମାନ ବୋଲି ପରିଚୟ ଦେଉଥିଲା ତ ଆଉ କେତେବେଳେ ହାନୁର ମଣ୍ଡଳ ବୋଲି ନିଜକୁ କହୁଥିଲା  । ତେବେ ବର୍ଦ୍ଧମାନ ବିସ୍ଫୋରଣ ମାମଲାରେ କାଦୀରର ସମ୍ପୃକ୍ତି ଥିବା ଜାଣି ଏନ୍ଆଇଏ ତାକୁ ଗିରଫ କରିବାକୁ ବହୁ ଦିନରୁ ଜାଲ ବିଛାଇଥିଲା  । ତା’ର ମୁଣ୍ଡ ଉପରେ ୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ମଧ୍ୟ ଘୋଷଣା କରାଯାଇଥିଲା  । ସେପଟେ ତା’ର ସାଥୀ ସଜ୍ଜାଦ ଅଲ୍ଲୀ ପଶ୍ଚିମବଙ୍ଗର ମୂର୍ଶିଦାବାଦ ଅଞ୍ଚଳରେ ରହୁଥିଲା ଏବଂ ସେ ଜେଇଏମ୍ ପାଇଁ ଅର୍ଥ ଯୋଗାଡ଼ କରିବା ସହିତ ଯୁବକମାନଙ୍କୁ ଏଥିରେ ସାମିଲ ହେବା ପାଇଁ ପ୍ରବର୍ତ୍ତାଉଥିଲା  । ୨୦୧୪ରେ ଆଇଆଇଡି ବନାଇବାର ପାରଙ୍ଗମ ଥିବା କାଦର କାଜୀ ଏକ ଜନଗହଳିପୂର୍ଣ୍ଣ ଅଞ୍ଚଳରେ ଆଇଆଇଡି ଯୋଗେ ବିସ୍ଫୋରଣ ଘଟାଇବାକୁ ଯୋଜନା କରିଥିଲା  । ମାତ୍ର ବର୍ଦ୍ଧମାନର ଯେଉଁ ଘରେ ସେମାନେ ରହି ଏହି ଯୋଜନା ତିଆରି କରିଥିଲେ ସେଠାରେ ଆଇଆଇଡି ପ୍ରସ୍ତୁତି ବେଳେ ବିସ୍ଫୋରଣ ଘଟି ତାହା ଧ୍ୱଂସ ହୋଇଯାଇଥିଲା  । ଏହି ବିସ୍ଫୋରଣରେ ଜଣେ ବାଂଲାଦେଣୀ ଆତଙ୍କୀ ପ୍ରାଣ ହରାଇଥିବାବେଳେ ଅନ୍ୟ ଜଣେ ଆହତ ହୋଇଥିଲା; କିନ୍ତୁ କାଦର କାଜୀ ସେଠାରୁ ଖସି ପଳାଇଥିଲା  ।

Comments