ଦୁର୍ନୀତିମୁକ୍ତ ତାଲିକାରେ ଆଉ ୩ଟି ସ୍ଥାନ ଉପରକୁ ଭାରତ


ୱାଂଶିଟନ,୩୦/୧ : ଏନ୍‍ଡିଏ ସରକାର ଦୁର୍ନୀତିର ମୂଳପୋଛ କରିବ ବୋଲି କହି କ୍ଷମତାକୁ ଆସିଥିଲା । ଲୋକଙ୍କ ଭିତରେ ବି ଏହାକୁ ନେଇ ବହୁତ ଆଶା ଜାଗିଥିଲା; ଗତ ସାଢ଼େ ୪ବର୍ଷ ଭିତରେ ଦୁର୍ନୀତି ନିବାରଣ ପାଇଁ ଯେଉଁ ସ୍ଥିତି ଓ ପରିବେଶ ଆବଶ୍ୟକ,
ତାହା ତିଆରି କରିବାରେ ସରକାର ବେଶ ସଫଳ ହୋଇଛନ୍ତି । ମୋଦି ସରକାରଙ୍କ କୌଣସି ମନ୍ତ୍ରୀଙ୍କ ବିରୋଧରେ ଦୁର୍ନୀତିର ଅଭିଯୋଗ ବା ପ୍ରମାଣ ନାହିଁ । କାର୍ଯ୍ୟପାଳିକାରେ ଦୁର୍ନୀତି ହ୍ରାସ ପାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୁର୍ନୀତି ମୁକ୍ତ ଶାସନ ଭାରତର ଛବିକୁ ନିର୍ମଳ କରୁଛି । ଦେଶ ବିଦେଶରେ ଭାରତ ପ୍ରତି ଥିବା ଆଭିମୁଖ୍ୟ ପରିବର୍ତ୍ତନ ହେଉଛି । ଏ ପରିପ୍ରେକ୍ଷୀରେ ଟ୍ରାନ୍ସପେରେନ୍ସି ଇଣ୍ଟରନେସନାଲ ଦ୍ୱାରା ପ୍ରତିବର୍ଷ ଜାରି କରାଯାଉଥିବା ‘କରପ୍‍ସନ ପରସେପ୍‍ସନ ଇଣ୍ଡେକ୍ସ’ ଗୁରୁତ୍ୱ ବହନ କରିଥାଏ । ସାରା ପୃଥିବୀରେ ସର୍ବେକ୍ଷଣ
କରାଯାଇ ଏହି ତଥ୍ୟ ସଂଗ୍ରହ କରାଯାଉଥିବାରୁ ସଂପୂର୍ଣ୍ଣ ଠିକ୍‍ ନ ହେଲେ ବି ପାଖାପାଖି ପ୍ରତ୍ୟେକ ଦେଶର ଦୁର୍ନୀତିର ଏକ ଆନୁମାନିକ ସ୍ଥିତି ଏଥିରୁ କଳିହୁଏ । ୨୦୦୮ରୁ ଟ୍ରାନ୍ସପରେନ୍ସି ଇଣ୍ଟରନ୍ୟାସନାଲ ୧୮୦ଟି ଦେଶର ଶାସନ ବ୍ୟବସ୍ଥାକୁ ଅନୁଶୀଳନ କରି ସ୍ୱଚ୍ଛତା ତାଲିକା ପ୍ରକାଶ କରି ଆସୁଛି । ଏହି ତାଲିକାରେ ୨୦୧୪ରୁ ଭାରତ କ୍ରମଶଃ ଉପରକୁ ଉଠିବାରେ ଲାଗିଛି । ଅର୍ଥାତ୍ ଭାରତରେ ଦୁର୍ନୀତି ହ୍ରାସ ପାଉଥିବା ଦେଖିବାକୁ ମିଳୁଛି । ଭାରତରେ ବିଗତ ବର୍ଷଗୁଡ଼ିକ ଅପେକ୍ଷାକ୍ରମାଗତ ଦୁର୍ନୀତି ହ୍ରାସ ପାଉଛି ଓ ଏହା ମୋଦି ସରକାରଙ୍କ ପାଇଁ ଶୁଭ ଖବର । ଦୁର୍ନୀତିମୁକ୍ତ ତାଲିକାରେ ଭାରତର ସ୍ଥାନ ୨୦୧୩ରେ ୯୪ତମ, ୨୦୧୪ରେ ୮୫ତମ ଥିଲା । ଏବେ ଭାରତ ୭୮ତମ ସ୍ଥାନକୁ ଉନ୍ନୀତ ହୋଇଛି । ଗତବର୍ଷ ତୁଳନାରେ ଚଳିତ ବର୍ଷ ଭାରତ ଆଉ ୩ଟି ସୋପାନ ଉପରକୁ ଉଠି ୭୮ ସ୍ଥାନରେ ରହିଛି । ଅପରପକ୍ଷରେ ଚୀନ୍ ଆଉ ୨ଟି ସ୍ଥାନ ତଳକୁ ଖସି ୮୧ତମ ସ୍ଥାନକୁ ଚାଲିଆସିଛି । ପାକିସ୍ତାନ ୧୧୩ତମ ସ୍ଥାନରେ ରହିଛି । ଏହି ତାଳିକାରେ ଡେନମାର୍କ ପ୍ରଥମ, ନ୍ୟୁଜିଲାଣ୍ଡ ୨ୟ, ସିଙ୍ଗାପୁର ୩ୟ ସ୍ଥାନରେ ଥିବାବେଳେ ଭିଏତନାମ ସଭା ତଳେ ରହିଛି । ଆମେରିକା ଗତ ଥର ୧୭ଶହ ସ୍ଥାନରେ ଥିବାବେଳେ ଏବେ ୨୨ ତମ ସ୍ଥାନକୁ ଖସି ଆସିଛି ।

Comments